ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବାବେଳେ ଶିଶୁଙ୍କ ବିକାଶ ଲାଗି ‘ପ୍ରାରମ୍ଭ’ ନୀତିକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି।

ବନ୍ଦର ନୀତିରେ ଅନ୍ତର୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି। ଏଥିସହ ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦିଆଯିବ। ସାମୁଦ୍ରିକ ପର୍ଯ୍ୟଟନ ଓ ବହୁମୁଖୀ ଜେଟିକୁ ପ୍ରୋତ୍ସାହିତ କରାଯିବ।

ସେହିପରି ଶିଶୁଙ୍କ ବିକାଶ ପାଇଁ `ପ୍ରାରମ୍ଭ’ ନୀତିକୁ ମଞ୍ଜୁରୀ ମିଳିଥିବାବେଳେ ଟେକ୍ ହୋମ ରାସନ ନୀତି ପ୍ରସ୍ତାବ ଉପରେ ମଧ୍ୟ ମୋହର ମାରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ମ୍ୟୁନିସିପାଲ ଆଇନ୍ ୧୯୫୦ର ସଂଶୋଧନ ପ୍ରସ୍ତାବ ଏବଂ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ୍ ୨୦୦୩ର ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ଏହା ସହ ଓୟୁଟିଆର ରୂପାନ୍ତରଣ ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଅନୁମତି ମିଳିଛି। ଖଣ୍ଡଗିରି ସ୍ଥିତ ଜେଡି ସେଣ୍ଟର ଅଫ ଆର୍ଟ୍ସକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି।

ଏଥିସହ ଗ୍ରୁପ ବି ଓ ଗ୍ରୁପ ସି ସ୍ପେସାଲିଷ୍ଟ ପଦବୀ ଓ ସେବା ନିୟମାବଳୀ ୨୦୨୨ ସମନ୍ଵିତ ପରୀକ୍ଷା ନିମନ୍ତେ ଆସିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅଧିନିୟମରେ ମଧ୍ୟ ସଂଶୋଧନ କରାଯିବ। ଇଚ୍ଛାଧୀନ କୋଟାରେ ସିଙ୍ଗଲ ଆଲର୍ଟମେଣ୍ଟକୁ ଟାସ୍କଫୋର୍ସରୁ ବାଦ ଦିଆଯିବ। ଏଣିକି ବିଡିଏ, ସିଡିଏ ଓ ଓଏସଏଚବିର ସିଙ୍ଗଲ ଆଲର୍ଟମେଣ୍ଟ ଜମି ବୈଧ ହେବ।

Tags: #CabinetMeeting #StateCabinet #CMOdisha #NaveenPatnaik #Proposal

Comment