ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୨୦୨୧-୨୨ରେ ରାଜ୍ୟରେ କେତୋଟି ଘର ପୋଡ଼ିଛି ଏବଂ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ପୂର୍ଣ୍ଣ ଘର ପୋଡ଼ି ଯାଇଥିବା ପରିବାରଙ୍କ ଥଇଥାନ ପାଇଁ ସରକାର କିପରି ବ୍ୟବସ୍ଥା କରିଛନ୍ତି ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ ଉମେଶ କୁମାର ପାଲ।

ଏହି ପ୍ରଶ୍ନର ଉତ୍ତର ରଖି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୨୦୨୧-୨୨ରେ ରାଜ୍ୟରେ ୨,୧୬୭ଟି ଘରପୋଡ଼ି ଘଟଣା ହୋଇଛି। ବିପର୍ଯ୍ୟୟ ପାଣ୍ଠିର ନିୟମ ଅନୁସାରେ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଘର ପରିବାର ପିଛା ୯୫,୧୦୦, ବାସନକୁସନ ପାଇଁ ୨,୦୦୦ ଓ ଲୁଗାପଟା ପାଇଁ ୧,୮୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ଏହା ବ୍ୟତୀତ ଘରପୋଡ଼ି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଅସ୍ଥାୟୀ ବାସଗୃହ ନିମନ୍ତେ ପଲିଥିନ ଏବଂ ସାମୟିକ ଭାବେ ରନ୍ଧା ଏବଂ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ଏହି ସମୟ ମଧ୍ୟରେ ମୋଟ ୨,୧୬୭ଟି ଘରପୋଡ଼ି ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୭୮ଟି ମାମଲା ସାମ୍ନାକୁ ଆସିଥିବାବେଳେ ଏହା ପଛକୁ ରହିଛି ଯାଜପୁର ଜିଲ୍ଲା। ଏଠାରେ ୨୫୨ଟି ଘର ପୋଡ଼ି ଘଟଣା ସାମ୍ନାକୁ ଆସିଥିବାବେଳେ କେନ୍ଦ୍ରାପଡ଼ାରେ ୨୧୦, କଟକରେ ୨୦୩, ପୁରୀରେ, ୧୮୫, ଢେଙ୍କାନାଳରେ ୧୩୯, ବାଲେଶ୍ଵରେ ୧୨୪, ଅନୁଗୁଳରେ ୯୩, ମୟୂରଭଞ୍ଜ ୮୬, କେନ୍ଦୁଝରରେ ୮୦, ଭଦ୍ରକରେ ୫୭, ନୟାଗଡ଼ ୪୯, କନ୍ଧମାଳ ୩୮, ନବରଙ୍ଗପୁର ୩୬, ସୁବର୍ଣ୍ଣପୁର ୩୨, ଖୋର୍ଦ୍ଧା ୨୮, ଗଜପତି ୨୪, ରାୟଗଡ଼ା ୨୧, ମାଲକାନଗିରି ୧୯, କୋରାପୁଟ ୧୫, ବରଗଡ଼ ଓ ଦେଓଗଡ଼ରେ ୯ଟି ଏବଂ କନ୍ଧମାଳରେ ୨ଟି ଘରପୋଡ଼ି ଘଟଣା ଘଟିଛି। କିନ୍ତୁ ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ କୌଣସି ଘରପୋଡ଼ି ଘଟଣା ଘଟିନାହିଁ।

Tags: #Odisha #OdishaAssemblyWinterSession #OdishaAssembly #AdditionalBudget

Comment