ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଜିଠୁ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଦୃଶ୍ୟ ଲଘୁଚାପ ଦୁର୍ବଳ ଯୋଗୁଁ ସାମୁଦ୍ରିକ ବାୟୁର ପ୍ରଭାବ କମିବ। ଗତକାଲି ରାତିରେ ରାଜ୍ୟରେ ବିଶେଷ ଶୀତ ପ୍ରକୋପ ନଥିଲା। ଅଧିକାଂଶ ସ୍ଥାନର ତାପମାତ୍ରା ପ୍ରାୟତଃ ସ୍ଵାଭାବିକ ରହିଥିବା ବେଳେ ୧୩.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ଉପକୂଳ, ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ୩ ଦିନ ଅର୍ଥାତ ୨୬ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବ। ଉପକୂଳରେ ୩ ଡିଗ୍ରୀ କମିବା ବେଳେ ଦକ୍ଷିଣ ଆଭ୍ୟନ୍ତରରେ ପ୍ରାୟ ୧.୫ ଡିଗ୍ରୀ କମିପାରେ।

୨୭ ତାରିଖରୁ ଉପକୂଳରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ। ୨୯ ତାରିଖ ସୁଦ୍ଧା ପ୍ରାୟ ୨ ଡିଗ୍ରୀ ତାପମାତ୍ରା ବଢ଼ିପାରେ। ଦକ୍ଷିଣ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ୨୭ ଓ ୨୮ ତାରିଖ ୨ ଦିନରେ ପ୍ରାୟ ୨ ଡିଗ୍ରୀ ତାପମାତ୍ରା ବଢ଼ିବ।

Tags: #WeatherUpdate #Winter #Odisha #MetrologicalCenter #NightTemperature

Comment