ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଉପକୂଳରେ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟ ଭିତରକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏଥିପାଇଁ ଗତ କିଛିଦିନ ଧରି ଲାଗିରହିଥିବା ଥଣ୍ଡା କମି ଯାଇଛି। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ି ଯାଇଛି। ଏଥିସହିତ ରାଜ୍ୟର ବିଭିନ୍ନ ଭାଗରେ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ମଙ୍ଗଳବାର ରାଜ୍ୟରେ ଶୀତ ହ୍ରାସ ପାଇଛି। ଜି.ଉଦୟଗିରିରେ ୧୦.୮ ଡିଗ୍ରୀ ସେଲ୍‌ସିୟସ୍‌ ସହ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୨ ଡିଗ୍ରୀ, ସୁନ୍ଦରଗଡ଼ରେ ୧୨.୩ ଡିଗ୍ରୀ, କୋରାପୁଟରେ ୧୩ ଡିଗ୍ରୀ ଓ କେନ୍ଦୁଝରରେ ୧୪.୬ ଡିଗ୍ରୀ ତାପମାତ୍ରା ରହିଛି।

କଟକ ଓ ରାଜଧାନୀ ଭୁବନେଶ୍ୱରରେ ହାରାହାରି ତାପମାତ୍ରା ବୃଦ୍ଧି ପାଇଛି। ମଙ୍ଗଳବାର ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୯.୮ ଡିଗ୍ରୀ ଥିବାବେଳେ କଟକରେ ତାପମାତ୍ରା ୨୦ ଡିଗ୍ରୀ ରେକର୍ଡ କରାଯାଇଛି। ଏହି ଦୁଇ ସହରରେ ସକାଳେ କୁହୁଡ଼ି ମଧ୍ୟ ଦେଖାଦେଇଛି।

Tag: #Fogwarning #ThickFog #VisibilityDrops #meteorologicalcentre #Bhubaneswar #Odisha

 

Comment