ଶୁଭଶ୍ରୀ ନାୟକ

ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ୟାଡ୍ ୱମ୍ୟାନ ଅନୁଶ୍ରୀ ଦାଶଙ୍କ କାହାଣୀ ।

ରାଉରକେଲାର ଅନୁଶ୍ରୀ ଦାସ। ଓଡ଼ିଶାର ପ୍ୟାଡ୍ ୱମ୍ୟାନ ଭାବେ ପରିଚିତ। ଋତୁସ୍ରାବ ବା ପିରିୟଡ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସଚେତନା ସୃଷ୍ଟି କରି ସେ ଏଭଳି ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।

ଅନୁଶ୍ରୀ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ, ସୁନାଲରମ୍ଭା ଗାଁର ମୂଳବାସିନ୍ଦା। ବାପା ଦିଲ୍ଲୀପ କୁମାର ଦାଶ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ ଓ ମା’ ଭାରତୀ ମିଶ୍ର ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ରାଉରକେଲାରେ ଅବସ୍ଥାପିତ ଥିଲେ। ଅନୁଶ୍ରୀ ରାଉରକେଲାରେ ପଢ଼ିଛନ୍ତି ଓ ବଢ଼ିଛନ୍ତି ।

ଏଠାରେ ତାଙ୍କର ସ୍କୁଲ ଶିକ୍ଷା ଆରମ୍ଭ ହୋଇଥିଲା। ଏଠାରେ ତାଙ୍କୁ ସ୍କୁଲ କଲେଜ ଶିକ୍ଷା ପରେ ସେ କୋଲକାତାରେ ଏମବିଏ କରିଥିଲେ । ଏମବିଏ ପାସ୍ କରି ବିଭିନ୍ନ କମ୍ପାନିରେ ଭଲ ଦରମାରେ ଚାକିରି ମଧ୍ୟ କରୁଥିଲେ। ପ୍ରାୟ ୧୦ ବର୍ଷ ଚାକିରି କରିବା ପରେ ସେ ସବୁକିଛି ଛାଡ଼ି ସମାଜ ସେବାରେ ନିଜକୁ ଲିପ୍ତ ରଖିଛନ୍ତି ।

ଚାକିରି ଛାଡ଼ି ସମାଜସେବାକୁ ବ୍ରତ କରିଛନ୍ତି ଅନୁଶ୍ରୀ

ଅନୁଶ୍ରୀ ଲକଡାଉନ ବେଳେ ରାଉରକେଲାକୁ ଆସିଥିଲେ । ସେଇ ସମୟରେ ସେ କିଛି ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କଠାରୁୁ ଅସୁରକ୍ଷିତ ଋତୁସ୍ରାବ ବିଷୟରେ ଅବଗତ ହେବା ପରେ ଏ ଦିଗରେ କାମ କରିବାକୁ ମନ ବଳାଇଲେ । ଏହାଛଡ଼ା ଅନୁଶ୍ରୀଙ୍କର ଏ ଦିଗରେ କାର୍ଯ୍ୟ କରିବାର ଆଉ ଏକ କାରଣ ଥିଲା ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ । ତାଙ୍କ ଜେଜେ ମା’ ଖୁବ କମ ବୟସରେ ସର୍ଭିକାଲ କ୍ୟାନସରରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିଲା । ଏହା ତାଙ୍କୁ ଗଭୀର ମର୍ମାହତ କରିଥିଲା ।

ଏହାପରଠାରୁ ଅନୁଶ୍ରୀ ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି । ବିଭିିନ୍ନ ଗ୍ରାମାଞ୍ଚଳ, ବସ୍ତି ଓ ଆଦିବାସୀ ସ୍ଥାନରେ ଝିଅମାନଙ୍କୁ ସାନିଟାରି ପ୍ୟାଡ୍‌, ଅନ୍ତ ବସ୍ତ୍ର, ସାନିଟାଇଜର ଓ ସାବୁନ ମାଗଣାରେ ଦେଇଥାନ୍ତି । ଏଥିପାଇଁ ସେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ‘ଅଦିଭା ସି ଭିଜନ’ ଗଢ଼ିଥିଲେ । ସେଥିରେ ତାଙ୍କୁ ସାହାଯ୍ୟ କରିଥିଲେ ଚାକିରିରୁ ଅବସର ପାଇସାରିଥିବା ତାଙ୍କ ବାପା, ମା’ ।

ଅନୁଶ୍ରୀ ବିିଭିନ୍ନ ଅପହଞ୍ଚ ଇଲାକା ବୁଲି ଆରମ୍ଭ କଲେ ସଚେତନତା କାର୍ଯ୍ୟକ୍ରମ । ନିଜସ୍ୱ ସମ୍ବଳରେ ପ୍ରାପ୍ତ ବୟସ୍କା ଯୁବତୀ ଓ ମହିଳାଙ୍କୁ ପ୍ୟାଡ୍ ବ୍ୟବହାର, ତା’ର ଉପକାରିତା ଓ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ବୁଝାଇବା ସହ ସେମାନଙ୍କୁ ମାଗଣାରେ ବ୍ୟବହାର ପାଇଁ ଏକ କିଟ୍ ଯୋଗାଇବା ଆରମ୍ଭ କଲେ ।

“ସମାଜ ପ୍ରତି ସମସ୍ତର ଗୋଟିଏ କର୍ତ୍ତବ୍ୟ ଅଛି । ତେଣୁ ସେଇ କର୍ତ୍ତବ୍ୟ ପାଳନ କରିବାକୁ ମୁଁ ଚାକିରି ଛାଡ଼ି ଦେଇ ଆସିଥିଲି । ତା’ପରେ ଆଉ ମୁଁ ପଛକୁ ଦେଖିନି’’ କହନ୍ତି ଅନୁଶ୍ରୀ ।

ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିବା ଅନୁଶ୍ରୀ ଏଥିପାଇଁ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଅନୁଶ୍ରୀ କହନ୍ତି, “ଋତୁସ୍ରାବକୁ ନେଇ କେହି କଥା ହେବାକୁ ଚାହାନ୍ତିନି । ଏହାକୁ ନେଇ ଏବେବି ଅନେକ ଅନ୍ଧବିଶ୍ୱାସ ରହିଛି । ତେଣୁ ନାରୀ ସମାଜ ଆଜି ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟହାନି ହେଉଛି । ତେଣୁ ଏହାକୁ ପରିବର୍ତ୍ତନ କରିବାକୁ ମୁଁ ମୋ ପାଦ ଆଗକୁ ବଢ଼େଇଛି । ଆଗାମୀ ଦିନରେ ଏହି ସେବାକୁ ଆହୁରି ବ୍ୟାପକ ଓ ତ୍ୱରାନ୍ୱିତ କରିବା ମୋର ଲକ୍ଷ୍ୟ ।”

ଛାତ୍ରୀଙ୍କ ପାଇଁ ‘ଆନନ୍ଦିନୀ’ କାର୍ଯ୍ୟକ୍ରମ

ସ୍ୱେଚ୍ଛାସେବୀ ସଙ୍ଗଠନ ‘ଅଦିଭା-ସି-ଭିଜନ’ ପକ୍ଷରୁ ସ୍କଲ କଲେଜର ଛାତ୍ରୀମାନଙ୍କୁ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଆନନ୍ଦିନୀ କାର୍ଯ୍ୟକ୍ରମ ଚାଲିଛି । ଝିଅମାନଙ୍କୁ ଋତୁସ୍ରାବ ଉପରେ ଥିବା ଅନ୍ଧ ବିଶ୍ୱାସ, ସ୍ୱାସ୍ଥ୍ୟଗତ ସୁରକ୍ଷା, ପ୍ୟାଡ୍‌ର ବ୍ୟବହାର ସମ୍ପର୍କରେ ସଚେତନ କରାଯାଉଛି ।

“ଝିଅମାନେ ପ୍ରକୃତିର ଦାନ । ଏଣୁ ଝିଅମାନେ ଏନେଇ କୌଣସି ପ୍ରକାର ଲଜ୍ଜା ଅନୁଭବ କରିବା ଅନୁଚିତ । ବରଂ ହସଖୁସିରେ ଜୀବନ ବଞ୍ଚିବାକୁ ପ୍ରାଧାନ୍ୟ ଦେବା କଥା”, କହନ୍ତି ଅନୁଶ୍ରୀ ।

‘ଅଦିଭା ସି ଭିଜନ’ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଶ୍ରୀ ଦାଶଙ୍କ ସଂସ୍ଥା କେବଳ ଋତୁସ୍ରାବ, ମହିଳାଙ୍କ ଶିକ୍ଷା, ସେମାନଙ୍କ ଅଧିକାର ସମ୍ପର୍କରେ କାମ କରେ ତାହା ନୁହେଁ, ଏହି ସଂସ୍ଥା ବିିଭନ୍ନ ସଫେଇ କାର୍ଯ୍ୟ ମଧ୍ୟ କରେ । ବିଶେଷକରି ନଦୀ କୂଳ, ପୋଖରୀ, ରାସ୍ତାଘାଟ ସଫେଇ କାର୍ଯ୍ୟକ୍ରମ ଆଦି କରେ ଏହି ସଂସ୍ଥା । ସେହିପରି ବୁଲା ଗାଈଗୋରୁଙ୍କ ସୁରକ୍ଷା, ଭିକ୍ଷୁକଙ୍କୁ ଶୀତ ବସ୍ତ୍ର ବାଣ୍ଟିବା କାର୍ଯ୍ୟ କରେ ‘ଅଦିଭା ସି ଭିଜନ’ ।

ଅନୁଶ୍ରୀଙ୍କ ନିଶା ଫ୍ୟାଶନ ଡିଜାଇନିଂ

ଅନୁଶ୍ରୀଙ୍କର ଆଉ ଏକ ପ୍ରତିଭା ହେଉଛି ଫ୍ୟାଶନ ଡିଜାଇନିଂ । ନିଜର ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢ଼ି ସେ ସମ୍ବଲପୁରୀ ଶାଢ଼ି, କୁର୍ତ୍ତା, ସାଲୱାର ଆଦିର ଡିଜାଇନିଂ କରୁଛନ୍ତି । ବୁଣାକାରମାନଙ୍କ ସହିତ ଆଲୋଚନା କରି ସେ ଏହାକୁ ତିଆରି କରନ୍ତି । ତେଣୁ ଏବେ ସେ ଏସବୁ କାମ କାମ ପାଇଁ ନିଜେ ଏକ ସଂସ୍ଥା ଗଢ଼ିଛନ୍ତି ‘ଅଦିଭା’ ।

ବିବାହରେ ବୟସ ନୁହେଁ ଖୁସି ଦେଖିବା କଥା: ଅନୁଶ୍ରୀ

“ଆମ ସମାଜରେ ରହି ଆସିଛି ଯେ ବିବାହରେ ପୁଅ ବୟସରେ ବଡ଼ ଓ ଝିଅ ସାନ ହୋଇଥିବା ଦରକାର । ହେଲେ ମୋର ଜୀବନସାଥୀ ମୋଠୁ ୪ ବର୍ଷ ସାନ । କିନ୍ତୁ ଆମେ ଏବେ ବେଶ୍ ଖୁସିରେ ଅଛୁ । କିନ୍ତୁ ଯେତେବେଳେ ପରିବାର ଲୋକ ଆମ ବିଷୟରେ ଜାଣିଥିଲେ ସେତେବେଳେ ସମସ୍ତେ ଆମକୁ ନିନ୍ଦା କରିଥିଲେ, ଅନେକ କଥା କହିଥିଲେ । କିନ୍ତୁ ଦୃଢ଼ ଥିଲୁ ଯେ ଆମେ ବିବାହ କରିବୁ । ତେଣୁ ବହୁଦିନର ସଂଘର୍ଷ ପରେ ଆମର ବିବାହ ହେଲା । ସେ ଏବେ ମୋର ସବୁ କାମରେ ମତେ ସାହାଯ୍ୟ କରନ୍ତି । ତେଣୁ  ମୁଁ ଭାବେ ବିବାହରେ ବୟସ ନୁହେଁ ଖୁସି ଦେଖିବା ଦରକାର ।’’

ଅନୁଶ୍ରୀ ସମାଜସେବା ସହିତ ଲେଖାଲେଖି କରିବାରେ ମଧ୍ୟ ରୁଚି ରଖନ୍ତି । ହିନ୍ଦୀ ଓ ଇଂରାଜୀରେ ବିିଭନ୍ନ ପ୍ରସଙ୍ଗ ଉପରେ ଲେଖାଲେଖି କରି ସେ ବେଶ ପାଠକୀୟ ଆଦୃତି ପାଇଛନ୍ତି ।

Comment