ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା ତଥା ବିଭିନ୍ନ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କ୍ରୀଡ଼ା ବିଭାଗ ପାଇଁ ବଜେଟରେ ବ୍ୟୟବରାଦ କରିଛନ୍ତି। ୨୦୨୩-୨୪ ବଜେଟରେ କ୍ରୀଡ଼ା ପାଇଁ ୩୩୯୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ପୂର୍ବବର୍ଷ ତୁଳନାରେ ୭୨୩ କୋଟି ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୨-୨୩ ବଜେଟରେ କ୍ରୀଡ଼ା ପାଇଁ ୩୦୬୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା କିନ୍ତୁ ଗତବର୍ଷ ଚୀନରେ ଏସିଆନ ଗେମ୍ସ ନହେବାରୁ ବଜେଟକୁ ୨୬୭୩ କୋଟିକୁ ହ୍ରାସ କରଯାଇଥିଲା।

କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେଉଥିବା ବଡ଼ ପ୍ରତିଯୋଗିତା ‘ଖେଲୋ ଇଣ୍ଡିଆ’ ଗେମ୍ସ ପାଇଁ ବଜେଟରେ ୧୦୪୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ୨୦୨୨-୨୩ ବଜେଟରେ ୬୦୬ କୋଟି ଟଙ୍କା ଥିଲା। ସେହିପରି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(ସାଇ)କୁ ୭୮୫ କୋଟି ଟଙ୍କା ମିଳିଛି।

ବଜେଟରେ ଜାତୀୟ କ୍ରୀଡ଼ା ଫେଡେରେସନ୍(ଏନଏସଏଫ) ପାଇଁ ୩୨୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପୂର୍ବବର୍ଷ ବଜେଟରେ ଏହି ସଂସ୍ଥାକୁ ୨୮୦ କୋଟି ଟଙ୍କା ମିଳିଥିଲା।

୨୦୨୩-୨୪ ବଜେଟରେ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ଏବଂ ନ୍ୟାସନାଲ ଡୋପ୍ ଟେଷ୍ଟିଂ ଲାବୋରେଟୋରୀ (ଏନଡିଟିଏଲ) ପାଇଁ ଯଥାକ୍ରମେ ୨୧ କୋଟି ୭୩ ଲକ୍ଷ ଟଙ୍କା ଓ ୧୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ସେହିଭଳି ଜାତୀୟ କ୍ରୀଡ଼ା ବିଜ୍ଞାନ ଏବଂ ଅନୁସନ୍ଧାନ କେନ୍ଦ୍ର ପାଇଁ ୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Tags: #Budget2023-24 #SportsBudget #DeptofSports #UnionFinanceMinister #NirmalaSitharaman #Parliament #India

Comment