ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ବଜେଟ୍ ୨୦୨୩-୨୪ରେ ଭାରତୀୟ ପ୍ରତିରକ୍ଷା ବିଭାଗର ବ୍ୟୟବରାଦ ବୃଦ୍ଧି କରିଛନ୍ତି। ବୁଧବାର ସଂସଦରେ ଉପସ୍ଥାପିତ ସାଧାରଣ ବଜେଟରେ ପ୍ରତିରକ୍ଷା ବ୍ୟୟବରାଦ ୫ ଲକ୍ଷ ୯୪ ହଜାର କୋଟିକୁ ବୃଦ୍ଧି ପାଇଛି। ଏହା ମୋଟ ବଜେଟର ପ୍ରାୟ ୮ ପ୍ରତିଶତ ଅଟେ। ପୂର୍ବ ବର୍ଷ ବଜେଟରେ ଏହା ୫ ଲକ୍ଷ ୨୫ ହଜାର କୋଟି ଟଙ୍କା ରହିଥିଲା।

୨୦୨୩-୨୪ ବଜେଟରେ ପ୍ରତିରକ୍ଷା ପାଇଁ ରହିଥିବା ୫ ଲକ୍ଷ ୯୪ ହଜାର କୋଟିରୁ ୧ ଲକ୍ଷ ୬୨ ହଜାର କୋଟି ପୁଞ୍ଜି ବ୍ୟୟ ପାଇଁ ବିନିଯୋଗ ହେବ। ଅର୍ଥାତ ଏହି ଅର୍ଥକୁ ବିଭିନ୍ନ ଅସ୍ତ୍ରଶସ୍ତ୍ର, ବିମାନ, ଜାହାଜ ଏବଂ ଅନ୍ୟ ସୈନ୍ୟ ଉପକରଣ କିଣିବା ପାଇଁ ବ୍ୟବହାର କରାଯିବ। ଚଳିତ ବଜେଟରେ ଏହି ରାଶିର ୬୮ ପ୍ରତିଶତ ଅର୍ଥ ଭାରତରେ ପ୍ରସ୍ତୁତ ପ୍ରତିରକ୍ଷା ସାମଗ୍ରୀ କିଣିବା ପାଇଁ ବ୍ୟବହାର କରାଯିବ। ପୂର୍ବ ବର୍ଷ ଏହା ୫୮ ପ୍ରତିଶତ ଥିଲା।

ବଜେଟରେ ସରକାର ଭାରତୀୟ ସେନାର ୩ଟି ବିଭାଗ ପାଇଁ ମୋଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏଥିରୁ ଭାରତୀୟ ବାୟୁସେନାକୁ ସର୍ବାଧିକ ୫୭ ହଜାର ୧୩୭ କୋଟି ମିଳିଛି। ସେହିପରି ଭାରତୀୟ ନୌସେନାକୁ ୫୨ ହଜାର ୮୦୪ କୋଟି ଏବଂ ସ୍ଥଳସେନାକୁ ୩୭ ହଜାର ୨୪୧ କୋଟି ମିଳିଛି।

ବଜେଟରେ ସୈନ୍ୟବାହିନୀର ଦରମା, ପେନସନ ଓ ଅନ୍ୟାନ୍ୟ କାର୍ଯ୍ୟ ବାବଦରେ ୨ ଲକ୍ଷ ୭୦ ହଜାର କୋଟି ଟଙ୍କା ବ୍ୟୟ ହେବ। କେବଳ ପେନସନ ପାଇଁ ୧ ଲକ୍ଷ ୩୮ ହଜାର କୋଟି ଖର୍ଚ୍ଚ ହେବ।

ପ୍ରତିରକ୍ଷା ବିଭାଗକୁ ମିଳିଥିବା ବଜେଟରେ ବିଭିନ୍ନ ରକ୍ଷା ଭିତ୍ତିଭୂମି ନିର୍ମାଣ କରିବା ପାଇଁ  ୮,୭୭୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସରକାର ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହେବାକୁ ଥିବା କିଛି ଅର୍ଥକୁ ରକ୍ଷା ଗବେଷଣା ଓ ବିକାଶ, ପ୍ରତିରକ୍ଷା ଷ୍ଟାର୍ଟଅପଗୁଡ଼ିକୁ ପ୍ରେତ୍ସାହନ ଦେବା ପାଇଁ ବ୍ୟୟ କରିବାକୁ ଯୋଜନା ରଖିଛନ୍ତି।

Tags: #Budget2023-24 #DefenceSector #UnionFinanceMinister #NirmalaSitharaman #Parliament #India

Comment