ଓଡ଼ିଶାଲାଇଭ୍ ବ୍ୟୁରୋ

tribalବଜେଟ୍ ୨୦୨୩-୨୪ରେ କେନ୍ଦ୍ର ସରକାର ପିଲାମାନଙ୍କ ଶିକ୍ଷା ଓ ସ୍ଵାସ୍ଥ୍ୟ ପାଇଁ ୧ ଲକ୍ଷ ୩ ହଜାର ୭୯୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ପୂର୍ବ ବର୍ଷ ବଜେଟ୍ ତୁଳନାରେ ୧୧ ହଜାର ୫୪ କୋଟି ଅଧିକ ରହିଛି। ପିଲାମାନଙ୍କ ପାଇଁ ବ୍ୟୟବରାଦ ମୋଟ ବଜେଟର ଶତକଡା ୨.୩୦ ପ୍ରତିଶତ ଅଟେ। ପୂର୍ବବର୍ଷ ଏହା ୨.୩୫ ପ୍ରତିଶତ ଥିଲା। ବଜେଟରେ ପିଲାମାନଙ୍କ ପାଇଁ ରହିଥିବା ଯୋଜନା ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ‘ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ'(କ୍ରାଏ)ର ପୂର୍ବାଞ୍ଚଳ ନିର୍ଦ୍ଦେଶକ ତ୍ରିନା ଚକ୍ରବର୍ତ୍ତୀ।

“କେନ୍ଦ୍ର ବଜେଟ୍ ୨୦୨୩-୨୪ କୋଭିଡ୍ ପରବର୍ତ୍ତୀ ସମୟରେ ଭାରତରେ ସମନ୍ଵିତ ବିକାଶର ରୂପରେଖ ପ୍ରସ୍ତୁତ କରିଛି। ହେଲେ ପିଲାମାନଙ୍କ ପାଇଁ ଏହି ବଜେଟରେ ସେପରି କିଛି ଉଲ୍ଲେଖନୀୟ ବ୍ୟବସ୍ଥା କରାଯାଇନାହିଁ, ଯେଉଁମାନେ ଭାରତର ସମୁଦାୟ ଜନସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ଅଟନ୍ତି’’, କହିଛନ୍ତି ତ୍ରିନା ଚକ୍ରବର୍ତ୍ତୀ।

ଚଳିତ ବଜେଟରେ ସରକାର ‘ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦’ ଯୋଜନା ପାଇଁ ବ୍ୟୟବରାଦ ହୋଇଥିବା ରାଶିରେ ୧.୪୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ୨୦୨୨-୨୩ ବଜେଟରେ ୧୭ ହଜାର ୨୨୩ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ରେ ୧୭ ହଜାର ୪୭୧ କୋଟି ହୋଇଛି। ସେହିପରି କେନ୍ଦ୍ର ସରକାର ‘ମିସନ ବାତ୍ସଲ୍ୟ’ ପାଇଁ ବଜେଟରେ କରିଥିବା ବ୍ୟୟବରାଦରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏହା ପୂର୍ବବର୍ଷ ଭଳି  ସମାନ ୧୪୭୨ କୋଟି ଟଙ୍କା ରହିଛି।

ସରକାର ପିଲାମାନଙ୍କ ପାଠପଢା ପାଇଁ ଚଲାଉଥିବା ବୃହତ ଶିକ୍ଷା ଯୋଜନା ‘ସର୍ବ ଶିକ୍ଷା ଅଭିଯାନ’ ପାଇଁ ବ୍ୟୟବରାଦକୁ ମାତ୍ର ୦.୧୯ ପ୍ରତିଶତ ବୃଦ୍ଧି କରିଛନ୍ତି। ପୂର୍ବ ବଜେଟରେ ଏଥିଲାଗି ୩୭ ହଜାର ୩୮୩ କୋଟି ଟଙ୍କା ଥିବାବେଳେ ଚଳିତ ବଜେଟରେ ୩୭ ହଜାର ୪୫୩ କୋଟି ଟଙ୍କା ରହିଛି।

“ଏହା ବାସ୍ତବରେ ସକରାତ୍ମକ ବିଷୟ ଯେ, କେନ୍ଦ୍ର ସରକାର ବଜେଟ୍ ୨୦୨୩-୨୪ରେ ମୋଟ ଅର୍ଥର ପରିମାଣକୁ ପୂର୍ବ ବଜେଟ୍ ତୁଳନାରେ ୧୪.୧୫ ପ୍ରତିଶତ ବୃଦ୍ଧି କରିଛନ୍ତି। ପିଲାମାନଙ୍କ ପାଇଁ ସମୁଦାୟ ବଜେଟରେ ୧୧ ହଜାର ୫୪ କୋଟି ଟଙ୍କାର ବୃଦ୍ଧି ହୋଇଛି। କିନ୍ତୁ ଏହାକୁ ଭଲରେ ଅନୁଧ୍ୟାନ କଲେ ଜଣାଯାଏ ଯେ, ବଜେଟରେ ପିଲାମାନଙ୍କର ପାଇଁ ହୋଇଥିବା ବ୍ୟୟବରାଦରେ ପୂର୍ବବର୍ଷ ଅପେକ୍ଷା ୦.୦୫ ପ୍ରତିଶତ ହ୍ରାସ ହୋଇଛି। ଏହାକୁ ଆହୁରି ବିଶ୍ଲେଷଣ କଲେ ଜଣାପଡ଼ୁଛି ଯେ, ଭାରତର ଜିଡିପି ଅନୁସାରେ ୨୦୨୩ରେ ପିଲାମାନଙ୍କ ବଜେଟ୍ ୦.୩୪ ପ୍ରତିଶତ ରହିଛି, ଯାହା ପୂର୍ବବର୍ଷରେ ଜିଡିପିର ୦.୩୬ ପ୍ରତିଶତ ଥିଲା”,କହିଛନ୍ତି ତ୍ରିନା ଚକ୍ରବର୍ତ୍ତୀ।    ସେ ଆହୁରି ମଧ୍ୟ କହିଛନ୍ତି,”ସରକାର ବଜେଟରେ ପିଲାମାନଙ୍କ ପାଇଁ ଆଣିଥିବା ଯୋଜନା ଓ ପଦକ୍ଷେପଗୁଡ଼ିକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ଏହା ଦରିଦ୍ର୍ୟ ସୀମାରେଖା ତଳେଥିବା ଏବଂ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ପିଲାମାନଙ୍କ ପାଖରେ ପହଞ୍ଚିବାରେ ବିଫଳ ହେବ।”

Tags: #Budget2023-24 #Childbudget #ChildEducationandHealth #UnionFinanceMinister #NirmalaSitharaman #Parliament #India

Comment