ଓଡ଼ିଶାଲାଇଭ୍ ବ୍ୟୁରୋ

ସମୟ ଯେତିକି ଗଡ଼ୁଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ସନ୍ଦେହ ସେତିକି ବଢ଼ିବାକୁ ଲାଗିଛି। ଜଣେ ପୋଲିସ ଅଧିକାରୀ ଦିନ ଦ୍ଵି’ପ୍ରହରରେ ଜଣେ ପ୍ରଭାବଶାଳୀ ନେତାଙ୍କୁ କାହିଁକି ଗୁଳି କଲେ ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

ସ୍ପଷ୍ଟ ଦିବାଲୋକରେ ଶହ ଶହ ସମର୍ଥକଙ୍କ ଗହଣରେ ଥାଇ ମଧ୍ୟ ଜଣେ ମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ଷଡ଼ଯନ୍ତ୍ର କରି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି ଉଭୟ ବିଜେପି ଏବ କଂଗ୍ରେସ।

ରିମାଣ୍ଡରେ ଅଭିଯୁକ୍ତ ଗୋପାଳ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ଖୋଳତାଡ଼ କରୁଛି। ଗୋପାଳଙ୍କୁ ରିମାଣ୍ଡରେ ନେଇ ମନ୍ତ୍ରୀଙ୍କ ହତ୍ୟା ସମ୍ପର୍କରେ ତଥ୍ୟ ଆଦାୟ କରୁଛି କ୍ରାଇମବ୍ରାଞ୍ଚ। ଜେରା ସମୟରେ ଅଭିଯୁକ୍ତ ଗୋପାଳ କ୍ରାଇମବ୍ରାଞ୍ଚକୁ ଅନେକ ଚାଞ୍ଚଲ୍ୟକର ବୟାନ ଦେଇଥିବା କୁହାଯାଉଛି। ମନ୍ତ୍ରୀ ନବ ଦାସଙ୍କ ଛାତିକୁ ନୁହେଁ ବରଂ ମୁଣ୍ଡକୁ ଗୁଳିମାରିବାକୁ ଗୋପାଳ ଯୋଜନା କରିଥିବା ଜଣାପଡ଼ିଛି। ଏହି ଖୋଳତାଡ଼ ସମୟରେ ଗୋପାଳ ଝାରସୁଗୁଡ଼ା ଥାନା ପାଇଖାନା ଟାଙ୍କିରେ କିଛି ପ୍ରମାଣ ପକାଇଥିବା ସୂଚନା ପାଇଛି କ୍ରାଇମବ୍ରାଞ୍ଚ।

ପାଇଖାନା ଟାଙ୍କିରେ ମନ୍ତ୍ରୀଙ୍କ ହତ୍ୟା ରହସ୍ୟ!

ରବିବାର ଦିନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିବା ପରେ ଝାରସୁଗୁଡ଼ା ଏୟାରପୋର୍ଟ ଥାନାରେ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଅଟକ ରଖାଯାଇଥିଲା। ସେହି ସମୟରେ କିଛି ହାତ ଲେଖା କାଗଜକୁ ସେ ପାଇଖାନା ଭିତରେ ପକାଇ ପାଣି ଢାଳି ଦେଇଥିବା କଥା କୁହାଯାଉଛି। ଏହି କାଗଜରେ ମନ୍ତ୍ରୀଙ୍କ ହତ୍ୟା ମାମଲାର ରହସ୍ୟ ଲୁଚି ରହିଥିବା ସନ୍ଦେହ କରି ରାତି ଅଧିଆ ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ କାଗଜକୁ ଖୋଜିବାକୁ ଚେଷ୍ଟା ହୋଇଥିଲା। ଗୁରୁବାର ଦିନ ସେହି ହାତଲେଖା କାଗଜର କେତୋଟି ଖଣ୍ଡ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା କୁହାଯାଉଛି। ତେବେ କାଗଜରୁ ଅକ୍ଷର ଲିଭିଯାଇଥିବାରୁ ଏହାକୁ ଲ୍ୟାବକୁ ପଠାଯାଇଛି। ଏହି ହାତଲେଖା ଚିଠି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତରେ ସହାୟକ ହେବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ।

ଗୋପାଳଙ୍କ ଜୀବନ ପ୍ରତି ବିପଦ ରହିଛି – ଜୟ ନାରାୟଣ ମିଶ୍ର

ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚରା କରୁଛି। କୌଣସି ଅଜ୍ଞାତ ସ୍ଥାନରେ ଗୋପାଳଙ୍କୁ ଜେରା କରାଯାଉଥିବା ଜଣାପଡ଼ିବା ପରେ ଏହାକୁ ନେଇ ଏବେ ରାଜନୈତିକ ମାହୋଲ ଗରମ ହୋଇଛି। ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ଜୀବନ ପ୍ରତି ବିପଦ ରହିଥିବା କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର।

ଜୟ ନାରାୟଣ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, “ଗୋପାଳଙ୍କୁ ପୋଲିସ କେଉଁଆଡ଼େ ନେଉଛି କାହାକୁ ଜଣାନାହିଁ। ଗୋପାଳ ସୁରକ୍ଷିତ ନୁହଁନ୍ତି। କୌଣସି ସମୟରେ କିଛି ବି ଅଘଟଣ ଘଟିପାରେ। ଓଡ଼ିଶା ପୋଲିସ ଉପରେ ଭରସା କରିହେବ ନାହିଁ। ତୁରନ୍ତ ଗୋପାଳଙ୍କୁ କେନ୍ଦ୍ରୀୟ ସୁରକ୍ଷା ପ୍ରଦାନ କରାଯାଉ। ଯଦି ଗୋପାଳଙ୍କର କୌଣସି କ୍ଷତି ହୁଏ ତେବେ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ।”

ପୋଲିସ ଏଏସଆଇ ଥିବା ଗୋପାଳକୃଷ୍ଣ ଦାସ କାହିଁକି ଏତେ ପରିମାଣରେ ରାଗି ଗଲେ ଯେ, ମନ୍ତ୍ରୀ  ନବ ଦାସଙ୍କ ଜୀବନ ନେବାକୁ ପଛାଇଲେ ନାହିଁ? ବ୍ୟକ୍ତିଗତ କାରଣରୁ ନା କାହା ଚାପରେ ଆସି ସେ ଏହିଭଳି କାଣ୍ଡ ଘଟାଇଲେ? ମନ୍ତ୍ରୀଙ୍କ ହତ୍ୟା ପାଇଁ ମୋହରା ସାଜିଥିଲେ କି ଗୋପାଳ? କେମିତି ପାଇଖାନା ଟାଙ୍କିକୁ ଗଲା ଗୋପାଳଙ୍କ ହାତ ଲେଖା ଚିଠି? ପୋଲିସ ଅଟକ ରଖିବା ସମୟରେ ଭଲ ଭାବେ ତାଙ୍କୁ ଯାଞ୍ଚ କରିନଥିଲା କି? ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

Tags: #OdishaPolitics #NabaKishorDas #Death #Murder #GopalKrishna #CrimeBranchInvestigation

Comment