ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ଆଜି ୧୫ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ବାଜିଛି। କ୍ୟାବିନେଟ ବୈଠକ ପୂର୍ବରୁ ୨୦୨୩-୨୪ର ବାର୍ଷିକ ବଜେଟକୁ ଅନୁମୋଦନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି।

ଓଡ଼ିଶା ପେନସନ ନିୟମ ୧୯୯୨ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏଣିକି ତୃତୀୟ ଲିଙ୍ଗି ସନ୍ତାନଙ୍କୁ ମିଳିବ ପରିବାର ପେନସନ। ଯଦି କୌଣସି ତୃତୀୟ ଲିଙ୍ଗି ଏକମାତ୍ର ଉତ୍ତରାଧିକାରୀ ହୋଇଥିବେ ତେବେ ସେ ଅବିବାହିତ ଝିଅ ଭାବେ ବିବେଚିତ ହୋଇ ଏହି ନପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଜେଲରେ କୌଣସି କାରଣରୁ କଏଦୀଙ୍କର ମୃତ୍ୟୁ ହେଲେ ସମ୍ପର୍କୀୟ କ୍ଷତିପୂରଣ ପାଇବେ। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ନିମନ୍ତେ ୧୦୦ ସିଟ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି।

ଏହା ସହିତ ଏମଏସଏମଇ ଉନ୍ନୟନ ନୀତି ୨୦୧୬ରେ ସଂଶୋଧନ ସହ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧାନ କରାଯାଇଛି। ବିମାନ ଇନ୍ଧନରେ ୧ ପ୍ରତିଶତ ହ୍ରାସ କରାଯାଇଛି। ଗଣଶିକ୍ଷା ବିଭାଗରେ ଛୁଟି କିମ୍ବା ଟ୍ରେନିଂରେ ଯିବା ପରେ ଖାଲି ପଡ଼ୁଥିବା ପଦବୀ ପୂରଣ ଲାଗି ଲିଭ୍ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ ତିଆରି ହୋଇଛି।

ଭୁବନେଶ୍ଵରରେ ଜଳ ଯୋଗାଣ ନିମନ୍ତେ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ। ଏଥିପାଇଁ ୧୩୦ ମିଲିୟନ ଲିଟର କ୍ଷମତା ବିଶିଷ୍ଟ ଜଳ ବିଶୋଧନ ପ୍ଲାଣ୍ଟ ନିମନ୍ତେ ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ପାଇଁ ୫ ଏକର ଜାଗା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।

ଏହା ସହିତ ଜଟଣୀରେ ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଲ ବିଶ୍ଵବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବେ। ଜଳ ସମ୍ପଦ ବିଭାଗର ଡ୍ରେନେଜ ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି। ଏହି ନୂତନ ଯୋଜନା ଲାଗି କ୍ୟାବିନେଟରେ ଅର୍ଥ ମଧ୍ୟ ବ୍ୟୟ ବରାଦ କରାଯାଇଛି।

Tags: #StateCabinet #Proposal #CMOdisha #NaveenPatnaik #CabinetMeeting

Comment