ଓଡ଼ିଶାଲାଇଭ୍ ବ୍ୟୁରୋ

ହକିକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ହକି କଥା ଆସିଲେ ଓଡ଼ିଶାର ନାଁ ଆପେ ଆପେ ଆଗକୁ ଚାଲି ଆସେ। ଓଡ଼ିଶାର ଅନେକ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ରାଜ୍ୟ ପାଇଁ ଆଣିଛନ୍ତି ଅନେକ ଗୌରବ। ହକି ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ବିଶ୍ଵସ୍ତରରେ ସମ୍ମାନିତ ମଧ୍ୟ ହୋଇଛି।

ଆମେ ସମସ୍ତେ ହକି ଖେଳ ଓ ଏହାର ଖେଳାଳିଙ୍କୁ ଜାଣୁ, ହେଲେ ଏହି ଖେଳାଳିମାନଙ୍କୁ ଗଢ଼ିଥିବା କୋଚମାନଙ୍କୁ ଖୁବ କମ ଲୋକ ଜାଣନ୍ତି। ସେହିଭଳି ଜଣେ ହକି କୋଚ୍ ହେଉଛନ୍ତି ଅମୂଲ୍ୟାନନ୍ଦ ବିହାରୀ, ହକିର ଅନ୍ୟତମ ଦ୍ରୋଣାଚାର୍ଯ୍ୟ। ଓଡ଼ିଶାଲାଇଭର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନିଜ ହକି ଜୀବନ ସମ୍ବନ୍ଧରେ ଆଲୋଚନା କରିଛନ୍ତି ଅମୂଲ୍ୟାନନ୍ଦ ବିହାରୀ।

ନିଜର କୋଚିଂ ଜୀବନକୁ ନେଇ ଅମୂଲ୍ୟାନନ୍ଦ କୁହନ୍ତି, “ମୁଁ ୧୯୮୬ ମସିହାରେ ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ହକି କୋଚ୍ ଭାବେ ନିଯୁକ୍ତ ହୋଇଥିଲି। ଏଠାରେ ପଶ୍ଚିମ ଓଡ଼ିଶା ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପିଲାମାନଙ୍କୁ ପ୍ରତିଭା ହିସାବରେ ବଛାଯାଇ ଅଣାଯାଉଥିଲା।  ଆମେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ବାଛି ଉନ୍ନତଧରଣର ପ୍ରଶିକ୍ଷଣ ଦେଉଥିଲୁ। ପରେ ସେହିମାନଙ୍କ ମଧ୍ୟରୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖେଳାଳି ବନିଛନ୍ତି।”

ଓଡ଼ିଶା ହକିର ଜଣେ ପ୍ରମୁଖ ପ୍ରଶିକ୍ଷକ ହେଉଛନ୍ତି ଅମୂଲ୍ୟାନନ୍ଦ ବିହାରୀ। ତାଙ୍କଠାରୁ ତାଲିମ ପାଇ ଅନେକ ଖେଳାଳି ଖାଲି ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ହକି ଖେଳିଛନ୍ତି। ନିଜର ଖେଳ ମାଧ୍ୟମରେ ସେମାନେ ରାଜ୍ୟ ତଥା ଦେଶ ପାଇଁ ସାଉଁଟିଛନ୍ତି ଖୁବ ପ୍ରଶଂସା।

ଅଲିମ୍ପିଆନ ଲାଜରୁସ ବାର୍ଲା, ୱିଲିୟମ ଖାଲକୋ, ଇଗ୍ନେସ ତିର୍କୀଙ୍କ ଭଳି ଖେଳାଳି ଅମୂଲ୍ୟାନନ୍ଦଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି। ଏହାଛଡ଼ା ଅନେକ ମହିଳା ଖେଳାଳିଙ୍କୁ ଗଢ଼ିବାରେ ତାଙ୍କର ବିଶେଷ ଅବଦାନ ରହିଛି। ସୁଭଦ୍ରା ପ୍ରଧାନ, ବିନିତା ଟପ୍ପୋ, ନମିତା ଟପ୍ପୋ ଓ ସୁନିତା ଲାକ୍ରାଙ୍କ ଭଳି ଖେଳାଳି ତାଙ୍କଠାରୁ ତାଲିମ ପାଇଛନ୍ତି।

 

ନିଜ ଜୀବନରେ ଅମୂଲ୍ୟାନନ୍ଦ ବିହାରୀ ଅନେକ ଜଣଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସେ ଜଣେ ଦକ୍ଷ କୋଚ୍ ଭାବେ ବେଶ ଜଣାଶୁଣା। ତାଙ୍କର ହକି ପ୍ରତି ଥିବା ବିଶେଷ ଅବଦାନ ପାଇଁ ସେ ଅନେକ ସ୍ଥାନରୁ ସମ୍ମାନିତ ହୋଇଛନ୍ତି। ୨୦୦୬ ମସିହାରେ ଓଡ଼ିଶା ସରକାର ତାଙ୍କୁ ‘ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର’ ପ୍ରଦାନ କରିଥିଲେ।

Tags: #AmulyanandaBihari #HockeyCoach #Hockey #PanposhSportsHostel

Comment