ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ନୋଟିସ ଦେଇଛନ୍ତି ହାଇକୋର୍ଟ। ଏହି ମାମଲାରେ ହାଇକୋର୍ଟରେ ଜବାବ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନୋଟିସରେ କୁହାଯାଇଛି। ମଙ୍ଗଳବାର ଦିନ ଓଡ଼ିଶା ହାଇକୋର୍ଟ ଏହି ନୋଟିସକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଆଇନ ବିଭାଗର ସଚିବଙ୍କୁ ପଠାଇଛନ୍ତି।

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ମମାଲାରେ ଗଠିତ କମିଶନର ରିପୋର୍ଟକୁ ସାର୍ବଜନୀନ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନୋଟିସ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦ ତାରିଖରେ ହେବ।

ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଯାଞ୍ଚ କରିଥିବା ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ସର୍ବଜନୀନ କରିବା ଦାବି କରି ସାମାଜିକ କର୍ମୀ ଦିଲ୍ଲୀପ ବରାଳ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଏହି ମାମଲାରେ ଏବେ ଶୁଣାଣି ଆରମ୍ଭ କରିଛନ୍ତି।

୨୦୧୮ ମସିହା ଏପ୍ରିଲ ମାସରେ ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ଚାବି ହଜିବା ଘଟଣା ସାମ୍ନାକୁ ଆସିଥିଲା। ଚାବି ହଜିବା ନେଇ ସତେବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହାପରେ ଏହି ମାମଲା ହାଇକୋର୍ଟକୁ ଯାଇଥିଲା। ହାଇକୋର୍ଟ ଏହି ମାମଲାର ଯାଞ୍ଚ କରିବା ପାଇଁ ଏକ କମିଶନ ଗଠନ କରିବା ପାଇଁ ନିର୍ଦେଶ ଦେଇଥିଲେ।

ଏହାପରେ ୨୦୧୮ ମସିହା ଜୁନ ମାସରେ ଓଡ଼ିଶା ସରକାର ରତ୍ନ ଭଣ୍ଡାରର ଚାବି ହଜିବା ମମାଲାର ଯାଞ୍ଚ କରିବା ପାଇଁ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କ ନେତୃତ୍ଵରେ ଏକ କମିଶନ ଗଠନ କରିଥିଲେ। ଏଥିରେ ୧୬ ଜଣ ସଦସ୍ୟ ଥିଲେ। କମିଶନ ମାମଲାର ଯାଞ୍ଚ କରି ୨୦୧୮ ମସିହା ନଭେମ୍ବର ମାସରେ ରାଜ୍ୟ ସରକାରଙ୍କୁ ନିଜର ଅନ୍ତିମ ରିପୋର୍ଟ ଦେଇଥିଲା।

ଏହି ଘଟଣାକୁ ଅନେକ ସମୟ ବିତି ଯାଇଥିଲେ ମଧ୍ୟ ଓଡ଼ିଶା ସରକାର ଏ ଯାଏଁ ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିନାହାନ୍ତି। ସରକାର ଏହି ରିପୋର୍ଟକୁ କାହିଁକି ସାର୍ବଜନୀନ କରୁନାହାନ୍ତି ଏନେଇ ସାଧରଣ ସ୍ତରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Tags: #SriMandir #RatnaBhandar #OdishaHighCourt #OdishaGovt

Comment