ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ମିଳିବ ୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଦିନ ଘୋଷଣା କରଯାଇଛି ।ଦିନକୁ ଦିନ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ବଢ଼ିବାରେ ଲାଗିଛି ସଂଘର୍ଷ। ପ୍ରତିବର୍ଷ ବନ୍ୟପ୍ରାଣୀ ଆକ୍ରମଣର ଶିକାର ହୋଇ ରାଜ୍ୟରେ ଅନେକ ଲୋକଙ୍କର ମୃତ୍ୟୁ ହେଉଛି।

ପୂର୍ବରୁ ମୃତକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଅନୁକମ୍ପା ରାଶି ରହିଥିଲା ତାହାକୁ ବୃଦ୍ଧି କରାଯାଇଛି।ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବନ୍ୟପ୍ରାଣୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପାଇଁ ଥିବା ଅନୁକମ୍ପାମୂଳକ ରାଶି ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗୁରୁତର ଆହତଙ୍କ କ୍ଷେତ୍ରରେ ସହାୟତା ରାଶିକୁ ମଧ୍ୟ ବୃଦ୍ଧି କରାଯାଇଛି। ୬୦ ପ୍ରତିଶତରୁ କମ୍ ଆହତ ହୋଇଥିବା ବ୍ୟକ୍ତି ପାଇଁ ସହାୟତା ରାଶି ୧ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ଏବଂ ୬୦ ପ୍ରତିଶତରୁ ଅଧିକ ଆହତ ହୋଇଥିବା ବ୍ୟକ୍ତି ପାଇଁ ସହାୟତା ରାଶି ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅନ୍ୟପଟେ ସାମାନ୍ୟ ଆହତଙ୍କ ପାଇଁ ପୂର୍ବରୁ ୫ ହଜାର ଟଙ୍କା ସହାୟତା ରାଶି ରହିଥିଲା। ଏହାସହ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଏକ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସାର ଆବଶ୍ୟକତା ଥିଲେ ସରକାରୀ ଡ଼ାକ୍ତରଖାନାରେ ମାଗଣା ଚିକିତ୍ସା ସହ ୧୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ। ସେହିପରି ଏକ ସପ୍ତାହରୁ ଚିକିତ୍ସାର ସମୟ କମ୍ ହେଲେ ମାଗଣା ଚିକିତ୍ସା ସହ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।

ଗୃହପାଳିତ ପଶୁଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ସହାୟତା ରାଶିକୁ ବୃଦ୍ଧି କରାଯାଇଛି। ଗାଈ ଓ ମଇଁଷି ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ୩୭ ହଜାର ୫୦୦ ଟଙ୍କା ଏବଂ ବଳଦର ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ୩୨ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ବାଛୁରୀ ମୃତ୍ୟୁ ପାଇଁ ୫ ହଜାର, ଛେଳି ଓ ମେଣ୍ଡାଙ୍କ ପାଇଁ ୪ ହଜାର , ଛେଳି ଓ ମେଣ୍ଡା ଛୁଆ ମୃତ୍ୟୁ ପାଇଁ ୧୫୦୦ ଟଙ୍କା ବୃଦ୍ଧି ହୋଇଛି।

ଏହାସହିତ ଘରଦ୍ଵାର ଭାଙ୍ଗିବା ଓ ଫସଲ ନଷ୍ଟ ହେବାର ସହାୟତା ରାଶିକୁ ମଧ୍ୟ ବୃଦ୍ଧି କରାଯାଇଛି। ଧାନ ଏବଂ ଅନ୍ୟାନ୍ୟ ଖାଦ୍ୟଫସଲର କ୍ଷୟକ୍ଷତି ବାବଦକୁ ସହାୟତା ରାଶି ଏକର ପିଛା ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥକାରୀ ଫସଲ କ୍ଷତି ବାବଦକୁ ସହାୟତା ରାଶି ୧୨ ହଜାରରୁ ୨୫ ହଜାରକୁ ବୃଦ୍ଧି କରାଯାଇଛି। ସେହିପରି ଘର ଗୁଡ଼ିକର ଆଂଶିକ କ୍ଷତି କ୍ଷେତ୍ରରେ ୨୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ସହାୟତା ରାଶି ବୃଦ୍ଧି କରାଯାଇଛି। ଘର ସଂପୂର୍ଣ୍ଣ ଭାବେ ଭାଙ୍ଗିଥିଲେ , ବିଜୁ ପକ୍କା ଘର କିମ୍ଵା ସେହି ମୂଲ୍ୟର ଅର୍ଥ ସହିତ ୨୦ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ। ପୂର୍ବରୁ ଏହି ସହାୟତା ରାଶି ୧୦ ହଜାର ଟଙ୍କା ରହିଥିଲା।

Tags: #Odisha #Compensation #Wildanimal #NaveenPatnaik

Comment