ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୯ ତାରିଖରେ ବାତ୍ୟା ସମ୍ଭାବନା ଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବାତ୍ୟାର ଗତିପଥ କେଉଁଆଡ଼େ ଯିବ ତାହା ସ୍ପଷ୍ଟ ହୋଇନଥିବା ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ବାତ୍ୟାର ସ୍ପଷ୍ଟତା ଆସିବ ବୋଲି ସେ କହିଛନ୍ତି।

ଆଇଏମଡି ପକ୍ଷରୁ ଏହା ଉପରେ ଲଗାତର ନଜର ରଖାଯାଇଛି। ବାତ୍ୟା ସମ୍ପର୍କୀତ ଟିକିନିଖ ସୂଚନା ପ୍ରଦାନ କରାଯିବ ବୋଲି ଆଇଏମଡି ଡିଜି କହିଛନ୍ତି।

ସାମୁଦ୍ରିକ ଗତିବିଧି ଉପରେ ପୂର୍ବାନୁମାନ କରାରୁଥିବା ଭାରତୀୟ ସଂସ୍ଥା ଇନକୋଏସ ଅନୁସାରେ ସମ୍ଭାବ୍ୟ ବାତ୍ୟାର ଗତିପଥ ମିଆଁମାର ଆଡ଼କୁ ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ଏହାକୁ ନେଇ ଆଇଏମଡି ପକ୍ଷରୁ କୌଣସି ଆକଳନ କରାଯାଇନାହିଁ।

ଆସନ୍ତା ୭ ତାରିଖ ପରେ ବାତ୍ୟାର ଗତିପଥ ସମ୍ପର୍କରେ ଜଣାପଡ଼ିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଘନିଭୂତ ହୋଇ ୮ ତାରିଖ ବେଳକୁ ଅବପାତରେ ପରିଣତ ହେବ। ପରେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଇଛି।

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ସମ୍ପର୍କରେ ସ୍ପଷ୍ଟତା ଆସିବ। ଏହାର ତୀବ୍ରତା ଏବଂ ଏହା କେଉଁ ଉପକୂଳକୁ ଗତି କରିବ ତାହା ଜଣାପଡ଼ିବ। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ଆକଳନ କରାଯାଇ ନାହିଁ। ଏବେଠାରୁ ବାତ୍ୟାକୁ ନେଇ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି।

Tags: #WeatherUpdates #Cyclone #CycloneAlert #IMD

Comment