ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଆଧାରକାର୍ଡ ନଥିଲେ ମଧ୍ୟ ପିଲାମାନେ ବିଦ୍ୟାଳୟରେ ନାମ ଲେଖାଇ ପାରିବେ। ଏନେଇ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର କମିଶନର ତଥା ସଚିବ ରୂପାରୋଶନ ସାହୁ ସବୁ ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ଆଧାର କାର୍ଡ ନଥିଲେ ବି ପିଲାଙ୍କ ନାମ ଲେଖା ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି।

ପିଲାଙ୍କ ନାମ ଲେଖା ସରିବା ପରେ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଆଧାର କାର୍ଡର ବ୍ୟବସ୍ଥା କରିବେ ବୋଲି ନିର୍ଦେଶ ଦିଆଯାଇଛି। ଏହାକୁ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ଜଣାଇବା ପାଇଁ ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ ଚିଠିରେ କୁହାଯାଇଛି।

ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ୧୭୩୫ଟି ସ୍କୁଲ ରହିଛି। ଏଥିରୁ ଅଧିକାଂଶ ସ୍କୁଲ ରାଜ୍ୟର ଉପାନ୍ତ ଅଞ୍ଚଳରେ ରହିଛି। ଏଠାରେ ପଢ଼ୁଥିବା ପ୍ରାୟ ୯୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତିରୁ ଆସନ୍ତି।

ଏବେ ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ନକଲ ଦେବା ବାଧ୍ୟତାମୂଳକ କରାଯାଇଛି। ଏହାଫଳରେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ଲୋକମାନଙ୍କୁ ବିଭିନ୍ନ ସମସ୍ୟା ଦେଖାଦେଉଥିବା ନଜରକୁ ଆସିଛି। କେତେକ ସ୍ଥାନରେ ଅଭିଭାବକମାନେ ପିଲାଙ୍କର ଆଧାର କାର୍ଡ କରିନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ନାମ ଲେଖୁନାହାନ୍ତି।

Tags: #Schools #Admissions #Students #SCSTDevelopmentDept #Odisha

Comment