ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଟି’ର ଟ୍ରେଲର ରିଲିଜ ହୋଇଛି। ଭୁବନେଶ୍ଵରସ୍ଥିତ ସିନେପଲିସଠାରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି। ଏହି ଅବସରରେ ଓଲିଉଡ ଇଣ୍ଡଷ୍ଟ୍ରିର ବହୁ ଖ୍ୟାତନାମା ନିର୍ଦ୍ଦେଶକ, ଅଭିନେତା ଅଭିନେତ୍ରୀ ତଥା ସିନେ ସମୀକ୍ଷକମାନେ ଯୋଗ ଦେଇଥିଲେ।

‘ଟି’କୁ ୟୁ/ଏ ସିର୍ଟିଫିକେଟ ମିଳିବା ପରେ ପ୍ରଯୋଜନା ସଂସ୍ଥା ତଥା ଦର୍ଶକଙ୍କ ଉତ୍ସାହ ଦେଖିବାକୁ ମିଳିଛି।

‘ଟି’ର ଟ୍ରେଲର ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, କିନ୍ନର ସମୀକ୍ଷା, ଅଭିନେତା ଦେବାଶିଷ ସାହୁ, ରଣବୀର କଲସୀ, ସହପ୍ରଯୋଜକ ମନବୀର ସିଂ କଲସୀ ଓ ହିମାଦ୍ରି ତନୟା ଦାସ, ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଟ୍ରାନ୍ସଜେଣ୍ଡରମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପରିକଳ୍ପନା କରିଥିଲେ ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା। ‘ଟି’କୁ ବଡ଼ ପରଦା ପର୍ଯ୍ୟନ୍ତ ନେବାକୁ ତାଙ୍କର ଯୋଜନା ମଧ୍ୟ ରହିଛି। ଓଲିଉଡ ଅଭିନେତା ଦେବାଶିଷ ସାହୁ କିନ୍ନର ମେଘନା ସାହୁଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଏବଂ ପ୍ରସନ୍ନଜିତ ମହାପ୍ରାତ୍ରଙ୍କୁ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ମେ’ ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ‘ଟି’। ରାଜ୍ୟର ପ୍ରାୟ ୩୦ଟି ସିନେମା ଘରେ ଏହି ଚଳଚ୍ଚିତ୍ରଟି ରିଲିଜ ହେବ।

Tags: #OdiaCinema #T #TransGenderslifeStory #Trailer

Comment