ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ହେଉଥିବା ଜମିର ଇ-ରେଜିଷ୍ଟ୍ରେସନ ବା ପଞ୍ଜୀକରଣ ବ୍ୟବସ୍ଥାରେ ଏବେ ପରିବର୍ତ୍ତନ କରାଯାଇଛି। ଏବେ ଜମି ପଞ୍ଜୀକରଣ ପାଇଁ ଆଗୁଆ ଅନଲାଇନରେ ସ୍ଲଟ ବୁକିଂ କରିବାକୁ ପଡ଼ିବ। ଆଗୁଆ ସ୍ଲଟ ବୁକିଂ ହୋଇଥିଲେ ହିଁ ଜଣେ ବ୍ୟକ୍ତି ଜମି ପଞ୍ଜୀକରଣ କରିପାରିବେ। ଏନେଇ ବୁଧବାର ଦିନ ଓଡ଼ିଶାର ଇନ୍ସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାର ବିଭିନ୍ନ ରେଜିଷ୍ଟ୍ରାର ଅଫିସରେ ଜମି ପଞ୍ଜୀକରଣ ପାଇଁ ଲାଗୁଥିବା ଭିଡ଼କୁ କମ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏବେ ସ୍ଲଟ ବୁକିଂ କରିଥିବା ଲୋକ ନିର୍ଦ୍ଧାରିତ ସମୟରେ ଆସି ନିଜ ଜମିଜମା ପଞ୍ଜୀକରଣ କରାଇପାରିବେ। ଏଭଳି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ।

ଏହି ସ୍ଲଟ ବୁକିଂ ବ୍ୟବସ୍ଥା ହେବାଦ୍ୱାରା ଅଧିକାରୀମାନେ ଜମି ପଞ୍ଜୀକରଣ କରିବାକୁ ଥିବା ବ୍ୟକ୍ତିଙ୍କ କାଗଜପତ୍ର ଯାଞ୍ଚ ପାଇଁ ଅଧିକ ସମୟ ପାଇବେ। ଏହାଫଳରେ ଜମି କିଣାବିକାରେ ହେଉଥିବା ଜାଲିଆତି ଉପରେ ରୋକ ଲଗାଯାଇ ପାରିବ।

ଅନ୍ୟପଟେ ଜଣେ ଜଣେ ବ୍ୟକ୍ତି ବିଶ୍ଵର ଯେକୌଣସି ଦେଶରେ ଥିଲେ ମଧ୍ୟ ଓଡ଼ିଶାରେ ଜମି ପଞ୍ଜୀକରଣ ପାଇଁ ସ୍ଲଟ ବୁକିଂ କରିପାରିବ। ତାଙ୍କୁ ମିଳିଥିବା ସମୟ ଅନୁସାରେ ରେଜିଷ୍ଟ୍ରାର ଅଫିସରେ ହାଜର ହୋଇ ପ୍ରତ୍ୟକ୍ଷରେ ଜମି ପଞ୍ଜୀକରଣ କରିବାକୁ ପଡ଼ିବ। ବିଶେଷ କ୍ଷେତ୍ରରେ ସ୍ଲଟ ବୁକିଂ କରି ତତ୍କାଳ ଜମି ପଞ୍ଜୀକରଣ କରିବାର ବ୍ୟବସ୍ଥା କରାଯିବ।

ଓଡ଼ିଶାରେ ଲୋକମାନଙ୍କ ଜମି କିଣାବିକା ଓ ପଞ୍ଜୀକରଣ ବ୍ୟବସ୍ଥାରେ ସୁଧାର ଆଣିବା ତଥା ଏହି କ୍ଷେତ୍ରରେ ଥିବା ଅନିୟମିତାକୁ ଦୂର କରିବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି।

Tags: #LandRegistration #OnlineSlotBooking #RegistrarOffice #Odisha

Comment