ଅନୁଜ ଦାସ

ପିରିୟଡସ୍‌ ବା ୠତୁସ୍ରାବ ସ୍ୱଚ୍ଛତାକୁ ନେଇ ଯୁବ ସାମ୍ବାଦିକ ଅନୁଜ ଦାସଙ୍କ ଏକ ସଚେତନତାଧର୍ମୀ କ୍ଷୁଦ୍ର ଗଳ୍ପ ‘ପିରିୟଡସ୍‌ ହେଇଛି’।

ଟିକ୍ ଟିକ୍… ଟିକ୍ ଟିକ୍…

ଏମିତି ଅନେକ ସମୟ ହେବ ଆଲାରାମ ବାଜୁଥାଏ। କିନ୍ତୁ ନିଘୋଡ଼ ନିଦରେ ଶୋଇଥାଏ ପିଙ୍କି। ଗତକାଲି ଅଫିସରୁ ଫେରିଲାବେଳକୁ ଟିକେ ବିଳମ୍ବ ହେଇଯାଇଥିଲା। ଥକିପଡ଼ି ଶୋଇପଡ଼ିଛି ଯେ, ଉଠିବାକୁ ତା’ର ଆଉ ଜୋର ପାଉନି।

ଏତିକିବେଳେ ମୋବାଇଲ ରିଂ ହେଲା। ଫୋନ ରିଂ ବାରମ୍ବାର ହେଉଥାଏ। ଦୁଇ ତିନି ଥର ରିଂ ହେଇ ହେଇ କଟିଗଲା। ପୁଣି ରିଂ ଶୁଣିଲାବେଳକୁ ହଠାତ୍ ନିଦ ଭାଙ୍ଗିଲା।

ପିଙ୍କି – ହଁ, ବୋଉ କହ

ପିଙ୍କିର ବୋଉ – କିରେ, ଫୋନ୍ କରି କରି ମୁଁ ଥକି ଗଲିଣି, କିନ୍ତୁ ତୁ ତ ଗଧ ଭଳି ଶୋଇଛୁ, ଉଠିପଡ଼।

ପିଙ୍କି – କେତେ ବାଜିଛି ଯେ?

ପିଙ୍କିର ବୋଉ – ଆଲୋ ୯ଟା ବାଜିଲାଣି, ଆଉ ତୁ ଶୋଇଛୁ।

ପିଙ୍କି- ଏଁ… ୯ଟା! ବୋଉ ତୁ ଫୋନ ରଖିଲୁ। ମୁଁ ବାହାରି ପଡ଼େ, ବହୁତ ଡେରି ହେଇଗଲାଣି।

ଏତିକି କହି ବାଥରୁମକୁ ଗଲା ପିଙ୍କି। ବିଛଣାରୁ ଉଠିଲା ବେଳକୁ ଭାରି କଷ୍ଟ ଲାଗୁଥାଏ। ବାଥରୁମ୍ ଯାଇ ଦେଖିଲାବେଳକୁ ଋତୁସ୍ରାବ ହେଇଛି। ଅଫିସ ଟାଇମ ବିଳମ୍ବ ହେଉଥିବାବେଳେ ଶରୀରରେ ଯନ୍ତ୍ରଣା ବି ବଢୁଥାଏ। ଗୋଟିଏ ସମୟ ପାଇଁ ପିଙ୍କି ଭାବିଲା, ଆଜି ଆଉ ଅଫିସ ଯିବନି। ଫୋନ କରି ମନା କରିଦେବ। ଏତିକି ଭାବିଲା ବେଳକୁ ଅଫିସରୁ ଦୀପକର କଲ୍ ଆସିଗଲା।

ଦୀପକ – ପିଙ୍କି କେତେବେଳେ ପହଞ୍ଚିବ?

ପିଙ୍କି – ମୁଁ କ’ଣ ଭାବୁଥିଲି କି ? ଆଜି ଛୁଟି ନେଇଯାଇଥାନ୍ତି। ଦେହ ଟା ଜମା ଭଲ ଲାଗୁନି।

ଦୀପକ – ଅରେ, ଆଜି ତମର ପ୍ରେଜେଣ୍ଟେସନ ଅଛି ପରା, ମନେ ଅଛି ତ?

ପିଙ୍କି – ହଁ ହଁ ମନେ ଅଛି। ଜଷ୍ଟ ବାହାରୁଛି।

ଦୀପକ –ଜଲଦି ପହଞ୍ଚିଯିବ। ମହାନ୍ତି ସାରଙ୍କ କଥା ତ ଜାଣିଛ, ନହେଲେ ଅଯଥା ଟେନସନ।

ପିଙ୍କି – ହଁ ହଁ

ଫୋନ ରଖି ଅଫିସ ଯିବା ପାଇଁ ପ୍ରସ୍ତୁତ ହୋଇଗଲା ପିଙ୍କି। ଦେହକୁ କଷ୍ଟ ଲାଗୁଥିଲେ ବି ଅଫିସ ଯିବାକୁ ପଡ଼ିବ।

ସେ ତୁଳସୀପୁରରୁ ଅଟୋ ଧରି ବାଦାମବାଡ଼ି ପହଞ୍ଚିଲା। ଅଟୋରୁ ଓହ୍ଲେଇ ଆଗକୁ ଦେଖିଲାବେଳକୁ ଭୋନସର ଭୋନସର ଡାକୁଥାଏ କଣ୍ଡକ୍ଟର। ଆଉ ଡେରି ନକରି ବସରେ ଚଢ଼ଗଲା ପିଙ୍କି। ବସରେ ପ୍ରବଳ ଭିଡ଼। ଠିଆ ହେବାକୁବି ଜାଗା ନଥାଏ। ଋତୁସ୍ରାବ ଯୋଗୁଁ ଶରୀର ପୀଡ଼ା ହେଉଥାଏ। ଆଉ ଏଭଳି ସ୍ଥିତିରେ ଭିଡ ଭିତରେ ଛିଡ଼ା ହେବା ସହଜ ନଥିଲା। ଘଣ୍ଟାକ ଭିତରେ ଭୁବନେଶ୍ଵର ପହଞ୍ଚିଲା ବସ୍। ବାସ କେଇ ମୁହୂର୍ତ୍ତରେ ଅଫିସ ପହଞ୍ଚିଯାଏ ପିଙ୍କି। କିନ୍ତୁ ପିଙ୍କି ପହଞ୍ଚିଲା ବେଳକୁ ମିଟିଙ୍ଗ ଆରମ୍ଭ ହୋଇସାରିଥାଏ।

ପିଙ୍କି – ମେ ଆଇ କମ୍ ଇନ୍ ସର୍?

ମହାନ୍ତି  ସାର – ନୋ, ୟୁ ଆର୍ ଠୁ ଲେଟ୍।

ପିଙ୍କି – ସରି ସାର, ମୋ ଦେହ ଟିକେ ଭଲ ନଥିଲା। ସେଥିପାଇଁ ବିଳମ୍ବ ହୋଇଗଲା।

ମହାନ୍ତି ସାର – ଓ… ଡେରିରେ ଆସିବ, ତା’ ପରେ ମିଛ ବାହାନା। ବାଇ ଦ ୱେ ତମର ପ୍ରୋବ୍ଲେମ କ’ଣ ହେଇଛି?

ପିଙ୍କି – ସର୍ ସର୍ ପିରିୟଡସ୍ ହେଇଛି।

ଏତିକି ଶୁଣିଲା ବେଳକୁ ପୁରୁଷ ସହକର୍ମୀମାନେ ହସିବା ଆରମ୍ଭ କରିଦେଇଥିଲେ।

ମହାନ୍ତି ସାର – ସୋ ହ୍ଵାଟ? ଇଟ୍ସ ନଟ ଆୱାର ପ୍ରୋବ୍ଲେମ, ଇଟ୍ସ ୟୋର ପ୍ରୋବ୍ଲେମ। ଡେରିରେ ଆସିଛ, ଆଜି ତମର ହାଫ ଡେ ପଡ଼ିବ।

ମୁହଁ ଶୁଖେଇ ଚ୍ୟାରରେ ବସି ପଡ଼ିଲା ପିଙ୍କି। କ’ଣ ବା କରିଥାନ୍ତା? ବଡ଼ ଲୋକଙ୍କୁ ଉତ୍ତର ନାହିଁ ପରା।

ଧୀରେ ଧୀରେ ସନ୍ଧ୍ୟା ହେଉଥାଏ। କିନ୍ତୁ ପିଙ୍କିର କାମ ସରୁନଥାଏ। କାମ ସାରି ଘରକୁ ଫେରିଲା ବେଳକୁ ରାତି ୯ଟା। କ’ଣ ଦିଇଟା ଖାଇଦେଇ ବିଛଣାରେ ପଡ଼ିଯାଏ ପିଙ୍କି।

ଅନ୍ୟପଟେ ଅଫିସର ସିନିୟର ଷ୍ଟାଫମାନଙ୍କ ସହ ଗୋଟେ ବଡ଼ ହୋଟେଲରେ ପାର୍ଟିରେ ବ୍ୟସ୍ତ ଥାନ୍ତି ମହାନ୍ତି ସାର। ହଠାତ୍ ତାଙ୍କ ଘରୁ କଲ୍ ଆସିଲା।

ମିସେସ ମହାନ୍ତି – ଶୁଣ, ଜଲଦି ଘରକୁ ଆସ। ଝିଅ ଦେହ ଭଲ ନାହିଁ। ତାକୁ ଭାରି କଷ୍ଟ ଲାଗୁଛି। ଯନ୍ତ୍ରଣାରେ ଛଟପଟ ହେଉଛି।

ମହାନ୍ତି ସାର – ମୁଁ ଡାଇରେକ୍ଟ ହସ୍ପିଟାଲ ଯାଉଛି, ତମେ ଝିଅକୁ ନେଇକି ପହଞ୍ଚ।

ଏତିକି କହି ଗାଡ଼ି ବାହାର କରି ହସ୍ପିଟାଲ ବାହାରି ପଡ଼ିଲେ ମହାନ୍ତି ବାବୁ। ରାସ୍ତାଘାଟ କିଛି ମାନିଲେନି। ହସ୍ପିଟାଲ ପହଞ୍ଚିଲାବେଳକୁ ଝିଅର ଚେକ୍ ଅପ୍ ଚାଲିଥାଏ। ବାପାଙ୍କୁ ଦେଖି ଆଉ କାନ୍ଦ ସମ୍ଭାଳି ପାରିଲାନି ଝିଅ। ଭୋ ଭୋ ହୋଇ କାନ୍ଦିଲା।

ମହାନ୍ତି ସାରଙ୍କ ଝିଅ – ବହୁତ କଷ୍ଟ ଲାଗୁଛି। ଦେହ ହାତ ଛିଡ଼ଗଲା ଭଳି ଲାଗୁଛି।

ମହାନ୍ତି ସାର – ଜମା ବ୍ୟସ୍ତ ହନି, ସବୁ ଠିକ୍ ହୋଇଯିବ।

ଡାକ୍ତରଙ୍କୁ ଦେଖି ବ୍ୟସ୍ତ ହୋଇ ପଚାରିଲେ ମହାନ୍ତି ସା – ସାର ମୋ ଝିଅର କ’ଣ ହେଇଛି ? ଭଲ ପେନ୍ କିଲର ଦିଅନ୍ତୁ। ତାକୁ ଭାରି କଷ୍ଟ ହେଉଛି।

ଡାକ୍ତର – ସାର, ଜମା ବ୍ୟସ୍ତ ହୁଅନ୍ତୁନି। ଋତୁସ୍ରାବ ହେଇଛି, ଟିକେ ଯନ୍ତ୍ରଣା ରହିବ। ଋତୁସ୍ରାବ ହେଲେ ଅନେକଙ୍କର ବହୁତ ବ୍ଲିଡିଂ ହୁଏ। କଷ୍ଟ ହେବା ସ୍ଵଭାବିକ। ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ପେନ୍ କିଲର ଦେଇଦେଇଛି। କିଛି ସମୟରେ ଠିକ୍ ହୋଇଯିବ ଝିଅ।

ଡାକ୍ତରଙ୍କଠାରୁ ଏତେ କଥା ଶୁଣିଲାବେଳକୁ ସକାଳ ସମୟର ଘଟଣା ସବୁ ଆଖି ସାମ୍ନାକୁ ଚାଲି ଆସୁଥାଏ। ଆଉ ମନେ ମନେ ମହାନ୍ତି ବାବୁ ଭାବୁଥିଲେ ପିଙ୍କିର ବି ସମାନ ସମସ୍ୟା ହୋଇଥିଲା। କିଛି ବୁଝିବା ପୂର୍ବରୁ ତାକୁ କେତେ କଥା ଶୁଣେଇ ଦେଇଛି।

ପକେଟରୁ ଫୋନ ବାହାର କରି ପିଙ୍କିକୁ କଲ୍ କଲେ।

ଏତେ ରାତିରେ ସାରଙ୍କ କଲ୍ ଦେଖି ଘାବରେଇ ଗଲା ପିଙ୍କି। ଆଉ ଭାବୁଥାଏ ପୁଣି କିଛି ଭୂଲ ହୋଇଯାଇନି ତ? ସାହସ କରି କଲ୍ ରିସିଭ କଲା ପିଙ୍କି।

ଆଉ ସେପଟୁ ଶୁଭିଲା “ଆଇ ଆମ୍ ସାରି”।

ମହାନ୍ତି ସାର – ଆଇ ଆମ୍ ସରି। ତମ ଦେହ ଭଲ ନାହିଁ। ତମ ଉପରେ ଏଭଳି ବିରକ୍ତି ହେବାର ନଥିଲା। ମତେ କ୍ଷମା କରିଦେବ। ଆଉ ଶୁଣ କାଲି ଛୁଟିରେ ରହିଯିବ, ମୁଁ ଛୁଟି ଆପ୍ରୁଭ କରିଦେବି।

ପିଙ୍କି – ଥ୍ୟାଙ୍କ ୟୁ ସାର।

ଏତିକି କହି ନିଶ୍ଚିନ୍ତରେ ଶୋଇଗଲା ପିଙ୍କି।

(ସୌଜନ୍ୟ: ସୋସିଆଲ ମିଡିଆ)

Tags: #MHDAY2023 #WeAreCommitted #EndPeriodStigma #EndPeriodPoverty #PeriodEnducationForAll #PeriodFriendlyToiletsForAll

Comment