ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ପିରିୟଡସ୍‌ ଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ସମାଜରେ ସଚେତନତା ଆଣିବା ଲାଗି ଓଡ଼ିଶାର ଏକ ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ସ୍ଵାସ୍ଥ୍ୟପ୍ଲସ୍ ନେଟଓ୍ଵର୍କ ଏବଂ ଆଇଏଫ୍‌ଆଇ ଫାଉଣ୍ଡେସନର ମିଳିତ ସ୍ୱତନ୍ତ୍ର ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବ’।

ପିରିୟଡସ୍ ବା ଋତୁସ୍ରାବ ଝିଅମାନଙ୍କର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେବି ଝିଅଙ୍କ ମନରୁ ଲାଜ ଛାଡ଼ିନି। ପିରିୟଡସକୁ ନେଇ କେବଳ ଲାଜ ବା ସଙ୍କୋଚ ନୁହେଁ ଏହାକୁ ନେଇ ସମାଜରେ କେତେକ ଅନ୍ଧବିଶ୍ୱାସ ମଧ୍ୟ ରହିଛି। ଏବେ ସମୟ ଆସିଛି ପିରିୟଡସକୁ ନେଇ ରହିଥିବା ଅନ୍ଧବିଶ୍ୱାସକୁ ଦୂର କରିବା ସହ ଲାଜ ନକରି ଏ ବିଷୟରେ ଖୋଲାଖୋଲି କଥା ହେବ।

ପିରିୟଡସକୁ ନେଇ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’ ଅଭିଯାନ ଅଧୀନରେ ଆୟୋଜିତ ହୋଇଛି ପିରିୟଡସ୍ ସମ୍ଵନ୍ଧୀୟ ଏକ ଟକ୍‌-ସୋ। ଏହି ଟକ୍‌-ସୋ’ରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଡାକ୍ତର, ଯୁବକ-ଯୁବତୀ, ସ୍ଵେଚ୍ଛାସେବୀ ଏବଂ ମିଡିଆ।

ପିରିୟଡସ୍ କ’ଣ? ପିରିୟଡସ୍ କାହିଁକି ହୁଏ? ପିରିୟଡସ୍‌ରେ ଅନିୟମିତତା ଏବଂ ପିରିଡୟସ୍‌ ବେଳେ ସଫାସୁତୁରା କେମିତି ରହିବେ? ଏ ଭଳି ଅନେକ ପ୍ରଶ୍ନ ବିଷୟରେ ଏହି ଟକ୍-ସୋ’ରେ ଆଲୋଚନା କରାଯାଇଛି।

ପିରିୟଡସ୍ ସମୟରେ ଝିଅ ବା ମହିଳାମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। କିନ୍ତୁ ଏହା ସେମାନଙ୍କ ସଫଳତା ବାଟରେ ପ୍ରତିବନ୍ଧକ ସାଜିପାରେ ନାହିଁ।

ପ୍ରଥମ ପିରିୟଡସ୍ ପରେ ଝିଅମାନଙ୍କ ଶାରୀରିକ ଏବଂ ମାନସିକ ସ୍ତରରେ ପରିବର୍ତ୍ତନ ହୋଇଥାଏ। ପିରିୟଡସ୍ ସମୟରେ ସ୍ଵଚ୍ଛତା ବଜାୟ ରଖିବା ଅତ୍ୟନ୍ତ ଜାରୁରୀ। ନହେଲେ ଏହାର ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ବୋଲି କୁହନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସ।

ପିରିୟଡସ୍ ସମୟରେ ସଫାସୁତରା ନରହିଲେ ଏହାର ଫଙ୍ଗାଲ ଇନଫେସକ୍ସନ ସହ ପେଟରେ ମଧ୍ୟ ଇନଫେକ୍ସନ ହେବାର ସମ୍ଭାବନା ରହିଛି। ନିୟମିତ ବ୍ୟବଧାନରେ ପ୍ୟାଡ ବଦଳାଇବାର ଆବଶ୍ୟକତା ରହିଛି ବୋଲି ଡାକ୍ତର କୁହନ୍ତି।

ମେନଷ୍ଟ୍ରୁଆଲ କପ୍ ଓ ଟାମ୍ପୁନସ୍

ଆଗରୁ ଋତୁସ୍ରାବ ସମୟରେ କପଡ଼ା ବ୍ୟବହାର କରାଯାଉଥିଲା। ଏହା ପରେ ପ୍ୟାଡ ଆସିଲା, ଯାହା ଋତୁସ୍ରାବ ସମୟରେ ବ୍ୟବହାର କରିବା ଝିଅମାନଙ୍କ ପାଇଁ ସହଜ ହୋଇଗଲା। ଏବେ ମେନଷ୍ଟ୍ରୁଆଲ୍ କପ୍ ଏବଂ ଟାମ୍ପୁନସ୍ ମଧ୍ୟ ବଜାରକୁ ଆସିଯାଇଛି। ଏହାକୁ ଋତୁସ୍ରାବ ସମୟରେ ଏବେ କିଶୋରୀ ଏବଂ ମହିଳାମାନେ ବ୍ୟବହାର କରୁଛନ୍ତି।

କପଡ଼ା ପରି ମେନଷ୍ଟ୍ରୁଆଲ୍ କପକୁ ମଧ୍ୟ ଭଲ ଭାବେ ପରିଷ୍କାର କରି ରଖିବା ଆବଶ୍ୟକ। ମେନଷ୍ଟ୍ରୁଆଲ କପକୁ ଭଲ ଭାବେ ସଫା କରି ତାକୁ ଶୁଖାଇବା ପରେ ଏକ କଣ୍ଟେନରରେ ସାଇତିକି ରଖିବା ଜରୁରୀ। କିନ୍ତୁ ଟାମ୍ପୁନସକୁ ପ୍ୟାଡ ଭଳି ଡିସପୋଜ କରିବାକୁ ପଡ଼ିଥାଏ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ମେନଷ୍ଟ୍ରୁଆଲ କପ୍ ଏବଂ ଟାମ୍ପୁନସକୁ ଠିକ୍ ଭାବେ ବ୍ୟବହାର କରି ଶିଖିବା ଆବଶ୍ୟକ। କପ୍ ଏବଂ ଟାମ୍ପୁନସ୍ ବ୍ୟବହାର ପାଇଁ ସ୍ଵତନ୍ତ୍ର କାଇଦା ରହିଥାଏ ବୋଲି ଡାକ୍ତର କୁହନ୍ତି।

କପଡ଼ା ହେଉକି କପ୍, ଏହାକୁ ବ୍ୟବହାର କରିବା ପରେ ଭଲ ଭାବେ ପରିଷ୍କାର କରିବାର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ ପରିୟଡସ୍ ସମୟରେ ସ୍ଵଚ୍ଛତା ବଜାୟ ନରଖିଲେ ଏହା ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ବୋଲି ଡାକ୍ତର କୁହନ୍ତି।

ପୂର୍ବରୁ ପିରିୟଡସକୁ ନେଇ କିଶୋରୀ ବା ମହିଳାମାନେ ସେତେଟା ସଚେତନ ନଥିଲେ। କପଡ଼ା ବ୍ୟବହାର କରିବା ସହ ବାହାରେ ଶୁଖିବାକୁ ଛାଡ଼ି ଦେଉଥିଲେ। ପୁଣି ପିରିୟଡସ୍ ହେଲେ ସେହି କପଡ଼ାକୁ ବ୍ୟବହାର କରୁଥିଲେ। ଏହା ଦ୍ଵାରା ଟକ୍ସିକ୍ ସକ ସିମଣ୍ଡ୍ରୋମ ଦେଖିବାକୁ ମିଳୁଥିଲା, ଯାହା ଶରୀରର ବିଭିନ୍ନ ଅଂଗକୁ ବିଶେଷ ଭାବେ ପ୍ରଭାବିତ କରୁଥିଲା। ଏବେ କିନ୍ତୁ ଏହା ବହୁମାତ୍ରାରେ କମିଯାଇଛି ବୋଲି ଡାକ୍ତର କୁହନ୍ତି।

ପିରିୟଡସକୁ ନେଇ ଏବେ ମହିଳାମାନେ ସଚେତନ ହେଲେଣି। ଏହାକୁ ନେଇ ନିଜ ମନ ଭିତରେ ରହିଥିବା ପ୍ରଶ୍ନ ପଚାରିବାକୁ ଆଗେଇ ଆସିଲେଣି। ଯାହା ଫଳରେ ସେମାନଙ୍କ ମନରେ ରହିଥିବା ସନ୍ଦେହ ଦୂର ହୋଇପାରୁଛି ବୋଲି କୁହନ୍ତି ଡାକ୍ତର ଅଲକ୍ତା ଦାସ।

ପିରିୟଡସକୁ ନେଇ ଆପଣଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ପାଇବା ପାଇଁ ଦେଖନ୍ତୁ ଭିଡିଓ।

Tags: #MHDAY2023 #WeAreCommitted #EndPeriodStigma #EndPeriodPoverty #PeriodEnducationForAll #PeriodFriendlyToiletsForAll

Comment