ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ସୋମବାରଠାରୁ ଆରମ୍ଭ ହୋଇଛି ଅନଲାଇନ ଆବେଦନ ପ୍ରକ୍ରିୟା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଧିନରେ ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷାରେ ନାମଲେଖା ପାଇଁ ଏହି ଆବେଦନ ଚାଲିଛି। ସିଏଚଏସଇର ‘ସାମ୍ସ’ ୱେବସାଇଟରେ ସୋମବାର ଦିନ ୧୧ ଟାରୁ ଏହି ଆବେଦନ ଆରମ୍ଭ ହୋଇଛି।

ଯୁକ୍ତ ୨ରେ ଆବେଦନ ସକାଶେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଶୁଳ୍କ ୨୦୦ ଟଙ୍କା ରଖାଯାଇଛି। ସେହିପରି ଅନୁସୂଚିତ ଜାତି, ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ରହିଛି। ଜୁନ୍ ମାସ ୨୦ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲିବ। ଏଥିରେ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ବିଷୟ ଓ ସେମାନଙ୍କ ମନପସନ୍ଦର କଲେଜ ପାଇଁ ଆବେଦନ କରିପାରିବେ।

ଏହାପରେ ଜୁନ୍ ମାସ ୨୮ ତାରିଖରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରିବ। ଏହାପରେ ଜୁନ୍ ୨୯ ତାରିଖରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ନାମଲେଖା ଚାଲିବ। ଏହାପରେ ଜୁଲାଇ ୧୩ ତାରିଖରେ ଦ୍ଵିତୀୟ ମେରିଟ ଲିଷ୍ଟ ବାହାରିବ। ଏଥିପାଇଁ ଜୁଲାଇ ୧୪ ତାରିଖରୁ ୧୭ ତାରିଖ ଯାଏଁ ନାମଲେଖା ହେବ।

ଶେଷରେ ଜୁଲାଇ ୧୯ରୁ ୨୧ ତାରିଖ ଯାଏଁ ସ୍ପଟ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ। ଜୁଲାଇ ୨୬ ତାରିଖରେ ଚୂଡ଼ାନ୍ତ ସ୍ପଟ୍ ତାଲିକା ବହାରିବ। ସ୍ପଟ୍ ନାମଲେଖା ଶେଷ ହେବା ପରେ ଜୁଲାଇ ୨୯ ତାରିଖରୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପଟେ ଓଡ଼ିଶା ସରକାର ଚଳିତବର୍ଷ ରାଜ୍ୟର ୬୭ଟି ଯୁକ୍ତ୨ କଲେଜରେ ନାମଲେଖା‌ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଲଗାତାର ଦୁଇ ବର୍ଷ ଧରି ଜଣେ ବି ଛାତ୍ରଛାତ୍ରୀ ଏହି କଲେଜଗୁଡ଼ିକରେ ନାମ ଲେଖାଇ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିରେ ୫୦ଟି ବେସରକାରୀ କଲେଜ ରହିଛି। ଏହାଛଡ଼ା ୧୪ଟି ସରକାରୀ କଲେଜ ଉପରେ ମଧ୍ୟ ଏହି କଟକଣା ଲାଗିଛି।

ଏଥର ଓଡ଼ିଶାରେ ମୋଟ ୨ ହଜାର ୧୦୮ଟି କଲେଜର ୫ଲକ୍ଷ ୧୬ହଜାର ୪୨୬ଟି ସିଟରେ ଯୁକ୍ତ ୨ ନାମଲେଖା ହେବ। ଏଥିରୁ କଳାରେ ସର୍ବାଧିକ କଳାରେ ୨ଲକ୍ଷ ୮୯ହଜାର ୬୯୮ ସିଟ୍‌ ରହିଛି। ସେହିପରି ବିଜ୍ଞାନରେ ୧ ଲକ୍ଷ ୫୯ହଜାର ୨୨୦, ବାଣିଜ୍ୟରେ ୪୪ ହଜାର ୩୮୮ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୧୨ଟି ସିଟରେ ନାମଲେଖା କରିବାକୁ ନିଷ୍ପତ୍ତି ହୋଇଛି।

୨୦୨୩ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାସହାର ଅଧିକ ରହିଥିବାରୁ ଯୁକ୍ତ ୨ରେ ସିଟ୍ ବଢ଼ାଯାଇଛି। ୨୦୨୨ରେ ଓଡ଼ିଶାର ମୋଟ ୨ ହାଜର ୬୭ଟି କଲେଜର ୫ ଲକ୍ଷ ୯ ହଜାର ୩୮୫ଟି ସିଟରେ ଯୁକ୍ତ ୨ ନାମଲେଖା ହୋଇଥିଲା।

Tags: #PlusTwoAdmissions #OnlineApplication #PlusTwoEducation #CHSE #Odisha

Comment