ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସୋମବାର ଦିନ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରଙ୍କ ପକ୍ଷରୁ ୧୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକରେ ଭୁବନେଶ୍ଵର ଏକାମ୍ର କ୍ଷେତ୍ରର ଉନ୍ନତିକରଣ ଯୋଜନାକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।

ସୋମବାର କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଭୁବନେଶ୍ଵର ଏକାମ୍ର କ୍ଷେତ୍ରର ଉନ୍ନତିକରଣ ପାଇଁ ୧୫୬ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ଏକାମ୍ର କ୍ଷେତ୍ରରେ ଥିବା ପୁରାତନ ମନ୍ଦିର ଓ ଅନ୍ୟାନ୍ୟ କୀର୍ତ୍ତିରାଜିର ସରଂକ୍ଷଣ କରାଯିବ। ଏହାଛଡ଼ା ଏଠାରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧାର ବିକାଶ କରାଯିବ।

ଏକାମ୍ର କ୍ଷେତ୍ର ବ୍ୟତୀତ କୋଣାର୍କ ଐତିହାସିକ ଅଞ୍ଚଳର ଉନ୍ନତିକରଣ ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତାବ ଅନ୍ତର୍ଗତ କୋଣାର୍କ ସୁର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵକୁ ବିକଶିତ ଓ ଆକର୍ଷଣୀୟ କରାଯିବ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧାର ବିକାଶ କରାଯିବ।  ଏଥିପାଇଁ ୨୦୯ କୋଟ ୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଞ୍ଜୁରୀ ମିଳିଛି।

କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର (ଭିସୁଟ୍) ରୂପାନ୍ତରିକରଣ କରିବାକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଦ୍ଵାରା ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିର ବିକାଶ ସହ ଏଠାରେ ମିଳୁଥିବା ବିଭିନ୍ନ ଶିକ୍ଷା ଓ ଗବେଷଣାର ସୁବିଧା ସୁଯୋଗକୁ ଆହୁତି ଉନ୍ନତ କରାଯିବ।

ଓଡ଼ିଶାରେ ଥିବା ବିଭିନ୍ନ କଲେଜରେ ଗୋଟିଏ ନୂଆ ଲାଇବ୍ରେରୀ ଅଟେଣ୍ଡାଣ୍ଟ ପଦବୀ ସୃଷ୍ଟି କରିବା ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି।  ଓଡ଼ିଶାରେ ଥିବା ୩୫୦ ଛାତ୍ରଛାତ୍ରୀ କ୍ଷମତା ବିଶିଷ୍ଟ କଲେଜଗୁଡ଼ିକରେ ଏହି ପଦବୀ କାର୍ଯ୍ୟକାରୀ ହେବ। ଏଥପାଇଁ ଓଡ଼ିଶା (କଲେଜ, ଜୁନିୟର କଲେଜ ଏବଂ ହାଇଅର ସେକେଣ୍ଡାରି ସ୍କୁଲ) ଗ୍ରାଣ୍ଟ ଏଡ୍ ନିୟମ ୨୦୦୮କୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର।

ଓଡ଼ିଶାର ଅବକାରୀ ବିଭାଗରେ ଥିବା ଏଏସଆଇ ଓ କନେଷ୍ଟବଳ ପଦବୀର ଜିଲ୍ଲାସ୍ତରୀୟ କ୍ୟାଡରକୁ ରାଜ୍ୟସ୍ତରୀୟ କ୍ୟାଡରେ ପରିବର୍ତ୍ତନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଓଡ଼ିଶାରେ ସ୍ଵାସ୍ଥ୍ୟ ବିଶ୍ଵବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି।

Tags: #CabinetMeeting #CabinetDecisions #EkamraKshetraRedevelopment #Odisha

 

Comment