ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜନସଂଖ୍ୟା ବୃଦ୍ଧିକୁ ଆଧାର କରି ଯଦି ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପାଏ ତେବେ ଉତ୍ତର ଭାରତୀୟ ରାଜ୍ୟକୁ ଅଧିକ ପ୍ରତିନିଧିତ୍ଵ ମିଳିବ।

  • ଫାଇଦାରେ ରହିବେ ଉତ୍ତର ଭାରତୀୟ ରାଜ୍ୟ
  • ଜନସଂଖ୍ୟା ନିୟନ୍ତ୍ରଣରେ ବିଫଳ ଉତ୍ତର ଭାରତୀୟ ରାଜ୍ୟ
  • ଯେଉଁଠି ଲୋକ ଅଧିକ, ସେଠି ଅଧିକ ଆସନ
  • ସବୁ ଦକ୍ଷିଣ ଭାରତୀୟ ରାଜ୍ୟ କ୍ଷତିଗ୍ରସ୍ତ ହେବା ଆଶଙ୍କା

ନୂଆ ସଂସଦ ଭବନରେ ୮୮୮ ସାଂସଦଙ୍କ ବସିବାର ବ୍ୟବସ୍ଥା ରହିଛି। ଏହା ଜଣାପଡ଼ିବା ପରେ ଦୀର୍ଘ ଦିନ ହେଲା ଶୀତଳ ଭଣ୍ଡାରରେ ଥିବା ଲୋକସଭା ଆସନ ବୃଦ୍ଧି ପ୍ରସ୍ତାବକୁ ନେଇ ଚର୍ଚ୍ଚା ପୁଣି ଜୋର୍‌ ଧରିଛି। ଏଥିରେ ଉତ୍ତରଭାରତରେ ୮୪ ପ୍ରତିଶତ ଆସନ ବଢ଼ିବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣଭାରତ ରାଜ୍ୟଗୁଡ଼ିକରେ ଥିବା ଆସନ ସଂଖ୍ୟା ମାତ୍ର ୪୨ ପ୍ରତିଶତ ବଢ଼ିବ ବୋଲି ଆକଳନ କରାଯାଇଛି। ସଂସଦରେ ଉତ୍ତରଭାରତୀୟ ରାଜ୍ୟଗୁଡ଼ିକ ଅଧିକ ଦବ୍‌ଦବା ରହିବ ଓ ଦକ୍ଷିଣୀ ରାଜ୍ୟଗୁଡ଼ିକର ଗୁରୁତ୍ଵ କମିଯିବ ବୋଲି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଶଙ୍କା କରିଛନ୍ତି।

ଏବେ ସଂସଦରେ ୫୪୫ ଆସନ ରହିଛି। ସେଥିମଧ୍ୟରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ରହିଛି ୧୨୯ ଆସନ। ଜନସଂଖ୍ୟା ଅନୁପାତରେ ଆସନ ବୃଦ୍ଧି ପାଇଲେ ଏଠାରେ ମୋଟ ୫୫ଟି ଆସନ ବଢ଼ି ଏହା ୧୮୪ରେ ପହଞ୍ଚିବ। ଆନ୍ଧ୍ରପ୍ରଦେଶରେ ୨୫ଟି ସିଟ୍ ୩୭କୁ ବୃଦ୍ଧି ପାଇବ। କର୍ଣ୍ଣାଟକରେ ଆସନ ସଂଖ୍ୟା ୨୮ରୁ ୪୫, କେରଳରେ ୨୦ରୁ ୨୪, ତାମିଲନାଡୁ ୩୯ରୁ ୫୩, ତେଲେଙ୍ଗାନା ୧୭ରୁ ୨୫କୁ ବୃଦ୍ଧି ପାଇବ।

କିନ୍ତୁ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକର ଜନସଂଖ୍ୟାକୁ ହିସାବ କଲେ ଏହି ରାଜ୍ୟଗୁଡ଼ିକରେ ୮୪ ପ୍ରତିଶତ ପାଖାପାଖି ଆସନ ବଢ଼ିବ। ଅର୍ଥାତ ଯେତିକି ଆସନ ଅଛି ପାଖାପାଖି ଦ୍ଵିଗୁଣ ବଢ଼ିଯିବ। ଉତ୍ତର ପ୍ରଦେଶରେ ୮୦ରୁ ୧୪୭, ରାଜସ୍ଥାନରେ ୨୫ରୁ ୫୦, ମଧ୍ୟପ୍ରଦେଶରେ ୨୯ରୁ ୫୩, ବିହାରରେ ୪୦ରୁ ୭୬, ଝାଡ଼ଖଣ୍ଡରେ ୧୪ରୁ ୨୪, ହରିୟାଣାରେ ୧୦ରୁ ୧୮, ଛତିଶଗଡ଼ରେ ୧୧ରୁ ୧୮, ଦିଲ୍ଲୀରେ ୭ରୁ ୧୨କୁ ବୃଦ୍ଧି ପାଇବ। ମୋଟ୍ ଆସନ ସିଧାସଳଖ ୨୧୬ରୁ ୩୯୮କୁ ବୃଦ୍ଧି ପାଇବ।

ଜନସଂଖ୍ୟା ନିୟନ୍ତ୍ରଣ ପଇଁ ୬୦ ଦଶକରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଦକ୍ଷିଣ ଓ ଅନ୍ୟ ରାଜ୍ୟ ତୁଳନାରେ ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକରେ ଏହାର କମ୍ ପ୍ରଭାବ ପଡ଼ିଛି। ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ଜନସଂଖ୍ୟା ବହୁତ ଅଧିକ ବଢ଼ୁଥିବାରୁ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକ ଅଧିକ ଆସନ ପାଇବେ ବୋଲି ଅତୀତରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଶଙ୍କା କରିଥିଲେ। ଏହିପରି ହେଲେ ଦକ୍ଷିଣୀ ରାଜ୍ୟଗୁଡ଼ିକର ଗୁରୁତ୍ଵ ହ୍ରାସ ପାଇବ। ତେଣୁ ଜନସଂଖ୍ୟା ନିୟନ୍ତ୍ରଣ ନୀତି ଗ୍ରହଣ କରିବା ବେଳେ ସେମାନେ ଆପତ୍ତି ଜଣାଇଥିଲେ।

ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଏହି ଆପତ୍ତିକୁ ଗୁରୁତ୍ଵ ଦେଇ ୧୯୭୬ରେ ଇନ୍ଦିରା ଗାନ୍ଧୀ ସରକାର ୨୦୨୬ ମସିହା ପର୍ଯ୍ୟନ୍ତ ସୀମା ପୁନଃନିର୍ଦ୍ଧାରଣ ହେବ ନାହିଁ ବୋଲି ସମ୍ବିଧାନରେ ସଂଶୋଧନ କରିଥିଲେ। ୨୦୨୬ ବେଳକୁ ଉଭୟ ଉତ୍ତର ଓ ଦକ୍ଷିଣରେ ସମାନ ଅନୁପାତରେ ଜନସଂଖ୍ୟା ବୃଦ୍ଧି ପାଇଥିବ ବୋଲି ଆକଳନ କରାଯାଇଥିଲା।

କିନ୍ତୁ ଆକଳନ ଅନୁସାରେ ଜନସଂଖ୍ୟା ଅଭିବୃଦ୍ଧି ଘଟି ନାହିଁ। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଜନସଂଖ୍ୟା ୧୨ ପ୍ରତିଶତ ବଢ଼ିଥିବା ବେଳେ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ୨୧ ପ୍ରତିଶତରୁ ଅଧିକ ହାରରେ ଜନସଂଖ୍ୟା ବୃଦ୍ଧି ପାଇଛି। ସେଥିପାଇଁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଅନୁଭବ କରୁଛନ୍ତି ଯେ, ଯଦି ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଗୋଟିଏ ଲୋକସଭା ଆସନ ନୀତିକୁ ଗ୍ରହଣ କରାଯାଏ ତେବେ ଦକ୍ଷିଣଭାରତୀୟ ରାଜ୍ୟଗୁଡ଼ିକ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବେ। ଏହାକୁ ନେଇ ଦକ୍ଷିଣ ଭାରତର ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଲୋକସଂଖ୍ୟାରେ ଚୀନ୍‌କୁ ଟପି ଭାରତ ଏକନମ୍ବର ହୋଇଗଲା। ଏ ସମ୍ପର୍କରେ ବହୁତ ଚର୍ଚ୍ଚା ହେଲା। କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦକ୍ଷିଣୀ ରାଜ୍ୟଗୁଡ଼ିକ ଲୋକସଭା ଓ ରାଜ୍ୟସଭାରେ ଆସନ ହରାଇବେ, ସେ ସମ୍ପର୍କରେ କେହି ଚର୍ଚ୍ଚା କରୁନାହାନ୍ତି।

ପରିବାର ନିୟନ୍ତ୍ରଣରେ ଉଲ୍ଲେଖନୀୟ ସଫଳତା ପାଇଁ ଦକ୍ଷିଣୀ ରାଜ୍ୟଗୁଡ଼ିକ ଦଣ୍ଡିତ ହେବା, ନ୍ୟାୟ ପ୍ରତି ଉପହାସ। ପରିବାର ନିୟୋଜନ ନୀତିକୁ ସଫଳତାର ସହ ଲାଗୁ କରିଥିବା ରାଜ୍ୟଗୁଡ଼ିକୁ ଏଥିପାଇଁ ଦଣ୍ଡ ମିଳୁଥିବା ବେଳେ ଗୁରୁତର ଅବହେଳା କରିଥିବା ରାଜ୍ୟଗୁଡ଼ିକ ଏଥିପାଇଁ ପୁରସ୍କୃତ ହେବା ଅନ୍ୟାୟ।

ହିନ୍ଦୀ ହାର୍ଟଲାଣ୍ଡରେ ବିଜେପିର ପ୍ରଦର୍ଶନ ଭଲ ରହିଛି। ୨୦୧୯ରେ ୮ଟି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ବିଜେପିକୁ ୬୦ ପ୍ରତିଶତ ସିଟ୍ ମିଳିଥିଲା। ଏହାକୁ ଆଧାର କରି ବର୍ଦ୍ଧିତ ଆସନର ଫଳାଫଳ ବାହାର କଲେ, ବିଜେପି ଅଧିକ ଫାଇଦା ପାଇବ। ସୀମା ପୁନଃନିର୍ଦ୍ଧାରଣ ପରେ ଯଦି ୮୮୮ ସିଟ୍ ହୁଏ, ତେବେ ବହୁମତ ପାଇଁ ୪୪୫ ଆସନ ଆବଶ୍ୟକ। ୨୦୧୯ରେ ବିଜେପିକୁ ୩୦୩ ଆସନ ମିଳିଥିଲା। ଏଥିରୁ ୧୬୮ଟି ଆସନ ହିନ୍ଦୀ ଭାଷାଭାଷୀ ରାଜ୍ୟରୁ ରହିଛି। ଏହା ମୋଟ୍ ସିଟ୍‌ର ୫୫ ପ୍ରତିଶତ। ଯଦି ଏହି ସଫଳତା ବିଜେପି ଦୋହରାଏ ତେବେ କେବଳ ହିନ୍ଦୀ ଭାଷାଭାଷୀ ଅଞ୍ଚଳରୁ ୩୦୯ ଆସନ ମିଳିବ।

ଯଦି ବିଜେପି ଅନ୍ୟ ଅଣହିନ୍ଦୀ ଭାଷାଭାଷୀ ରାଜ୍ୟ- ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ସଫଳତା ଦୋହରାଏ ତେବେ ସେହି ଅନୁପାତରେ  ଗୁଜରାଟରୁ ୪୪, କର୍ଣ୍ଣାଟକରୁ ୪୦, ମହାରାଷ୍ଟ୍ରରୁ ୩୯ ଓ ପଶ୍ଚିମବଙ୍ଗରୁ ୨୮ ଆସନ ଜିତିବ। ଏହି ୧୨ଟି ରାଜ୍ୟରୁ ବିଜେପି ମ୍ୟାଜିକ୍ ନମ୍ବର ହାସଲ କରିବ। ତେଣୁ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ବିଜେପିର ନିର୍ଭରଶୀଳତା କମିଯିବ।

କିନ୍ତୁ ଏହା ୨୦୨୬ରେ ହେବ କି ନାହିଁ ତାକୁ ନେଇ ସନ୍ଦେହ ରହିଛି। କାରଣ ୨୦୨୧ରେ ଜନଗଣନା ହୋଇ ନାହିଁ। ୨୦୧୧ ଜନଗଣନାକୁ ଆଧାର କରି ଯଦି ସୀମା ପୁନଃନିର୍ଦ୍ଧାରଣ କରିବାକୁ ବିଚାର କରାଯାଏ ତେବେ ବି କେଁ ରହିଛି। କାରଣ ସମ୍ବିଧାନର ଧାରା ୮୧ରେ ସ୍ପଷ୍ଟ ଉଲ୍ଲେଖ ରହିଛି ଲୋକସଭାରେ ୫୫୦ରୁ ଅଧିକ ନିର୍ବାଚିତ ସଦସ୍ୟ ରହିପାରିବେ ନାହିଁ। ଏହାକୁ ବଦଳାଇବାକୁ ହେଲେ ସମ୍ବିଧାନ ସଂଶୋଧନ କରିବାକୁ ପଡ଼ିବ।

Tags: #Politics #Indian Politics #Parliament #NewParliamentBuilding

Comment