ଓଡ଼ିଶାଲାଇଭ୍ ବ୍ୟୁରୋ

 

ଓଡ଼ିଶାରେ ବୁଧବାର ଦିନ ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି। ଏ ବର୍ଷ ମଧ୍ୟ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି।

୨୦୨୩ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଛାତ୍ରୀଙ୍କ ପାସ ହାର ୮୫.୬୭ ପ୍ରତିଶତ ରହିଛି। ଅନ୍ୟପଟେ ବିଜ୍ଞାନରେ ପୁଅମାନଙ୍କ ପାସ ହାର ୮୪.୨୮ ପ୍ରତିଶତ ରହିଛି। ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନରେ ମୋଟ ୪୨ ହଜାର ୯୭୫ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୬ ହଜାର ୮୧୭ ଜଣ ପାସ କରିଛନ୍ତି।

ଅନ୍ୟପଟେ ଚଳିତବର୍ଷ ଯୁକ୍ତ ୨ ବାଣିଜ୍ୟରେ ଛାତ୍ରୀଙ୍କ ପାସ ହାର ୮୩.୮୭ ପ୍ରତିଶତ ରହିଛି। ଯାହା ବାଣିଜ୍ୟରେ ଛାତ୍ରଙ୍କ ପାସ ହାର ୭୯.୫୨ରୁ ଯଥେଷ୍ଟ ଅଧିକ। ୨୦୨୩ ମସିହା ଯୁକ୍ତ ୨ ବାଣିଜ୍ୟରେ ମୋଟ ୮ ହଜାର ୮୪୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭ ହଜାର ୪୧୫ ଜଣ ପରୀକ୍ଷା ପାସ କରିଛନ୍ତି।

୨୦୨୨ ମସିହା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କଠାରୁ ଭଲ ପ୍ରଦର୍ଶନ କରିଥିଲେ। ଗତବର୍ଷ ବିଜ୍ଞାନରେ ଛାତ୍ରୀଙ୍କ ପାସ ହାର ୯୪.୫୨ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ ହାର ୯୩.୮୦ ପ୍ରତିଶତ ରହିଥିଲା। ସେହିପରି ଯୁକ୍ତ ୨ ବାଣିଜ୍ୟରେ ଛାତ୍ରୀଙ୍କ ପାସ ହାର ୯୦.୭୧ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ ହାର ୮୮.୩୨ ପ୍ରତିଶତ ଥିଲା।

Tags: #Plustworesults #Science #Commerce #GirlStudents #CHSE #SMEOdisha

Comment