ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ୨୦୨୩ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ବୁଧବାର ଦିନ ୧୧ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) କାର୍ଯ୍ୟାଳୟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ଵଥୀ ଏସ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି।

୨୦୨୩ ମସିହାରେ ମୋଟ ୯୩ ହଜାର ୭୩୪ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୮ ହଜାର ୯୩୮ ଜଣ ପାସ କରିଛନ୍ତି। ସେହିଭଳି ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାରେ ମୋଟ ୨୪ ହଜାର ୮୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୯ ହଜାର ୫୩୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏ ବର୍ଷ ଯୁକ୍ତ ୨ ପରୀକ୍ଷାର ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଝିଅମାନେ ପୁଅଙ୍କଠୁ ଭଲ ରେଜଲ୍ଟ କରିଛନ୍ତି। ଯୁକ୍ତ ୨ ବିଜ୍ଞାନରେ ଝିଅମାନଙ୍କ ପାସ ହାର ୮୫.୬୭ ପ୍ରତିଶତ ଓ ପୁଅମାନଙ୍କ ପାସ ହାର ୮୪.୨୮ ପ୍ରତିଶତ ରହିଛି। ସେହିପରି ଯୁକ୍ତ ୨ ବାଣିଜ୍ୟରେ ଝିଅମାନଙ୍କ ପାସ ହାର ୮୩.୮୭ ପ୍ରତିଶତ ରହିଥିବାବେଳେ ପୁଅମାନଙ୍କ ପାସ ହାର ୭୯.୫୨ ପ୍ରତିଶତ ରହିଛି।

ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନରେ ୩୯ ହଜାର ୫୩୭ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୨୫୭ ଓ ତୃତୀୟ ଶ୍ରେଣୀରେ ୧୪ ହାଜର ୮୫୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାରେ ୭ ହଜାର ୪୧୦ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି। ସେହିଭଳି ଦ୍ୱିତୀୟ ଶ୍ରେଣୀରେ ୪ ହଜାର ୫୪୩ ଓ ତୃତୀୟ ଶ୍ରେଣୀରେ ୭ ହାଜର ୪୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

୨୦୨୩ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ୩୫୮ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ରାଜ୍ୟର ୨୯୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନରେ ଶହେ ପ୍ରତିଶତ ରେଜଲ୍ଟ ହୋଇଛି। ସେହିପରି ୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ୍ୟ ରହିଛି। ଅନ୍ୟପଟେ ଓଡ଼ିଶାର ୯୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଣିଜ୍ୟରେ ଶହେ ପ୍ରତିଶତ ରେଜଲ୍ଟ ହୋଇଛି।

ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଉଭୟ ବିଜ୍ଞାନ ଓ ବଣିଜ୍ୟରେ ପାସ ହାର ସର୍ବାଧିକ ରହିଛି। ନୟାଗଡ଼ରେ ଯୁକ୍ତ ୨ ବିଜ୍ଞାନରେ ୯୬.୪୧ ପ୍ରତିଶତ ପାସ ହାର ରହିଥିବାବେଳେ ବାଣିଜ୍ୟରେ ୯୩.୯ ପ୍ରତିଶତ ରେଜଲ୍ଟ ହୋଇଛି। ସେହିପରି ଗଜପତି ଜିଲ୍ଲାରେ ବିଜ୍ଞାନରେ ସର୍ବନିମ୍ନ ୬୧.୫୫ ପ୍ରତିଶତ ପାସହାର ରହିଛି। ଅନ୍ୟପଟେ ବାଣିଜ୍ୟରେ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୫୫.୫୫ ପ୍ରତିଶତ ରେଜଲ୍ଟ ହୋଇଛି।

ପରୀକ୍ଷାର୍ଥୀମାନେ ଅନଲାଇନରେ ନିଜ ଯୁକ୍ତ ୨ ପରୀକ୍ଷା ଫଳ ଜାଣିପାରିବେ। ସେମାନେ ସିଏଚ୍ଏସଇର ୱେବସାଇଟ www.chseodisha.nic.in ଯାଇ ନିଜ ରୋଲ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ।

 Tags: #Plustworesults #Science #Commerce #Students #CHSE #SMEOdisha

Comment