ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ସ୍ପେଶାଲ ପ୍ରୋଟେକସନ ଗ୍ରୁପର (ଏସପିଜି) ନିର୍ଦେଶକଙ୍କ କାର୍ଯ୍ୟକାଳକୁ ଆଉ ବର୍ଷେ ପାଇଁ ବୃଦ୍ଧି କରାଯାଇଛି। ଏସପିଜିର ନିର୍ଦେଶକ ଥିବା ଅରୁଣ କୁମାର ସିହ୍ନାଙ୍କୁ ତାଙ୍କ ଅବସର ପରେ ଆଉ ବର୍ଷେ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଦିନ ଘୋଷଣା କରାଯାଇଛି।

ଅରୁଣ କୁମାର ସିହ୍ନାଙ୍କୁ ଆଉ ବର୍ଷେ ଯାଏଁ ଏସପିଜିର ନିର୍ଦେଶକ ଭାବେ କାର୍ଯ୍ୟ କରିବା ପାଇଁ କେନ୍ଦ୍ର କ୍ୟାବିନେଟ କମିଟି ପକ୍ଷରୁ ଅନୁମୋଦନ କରାଯାଇଛି। ସେ ମେ’ ୩୧ ତାରିଖରେ ନିଜ ପଦରୁ ଅବସର ନେଇଥାନ୍ତେ।

ଅରୁଣ କୁମାର ସିହ୍ନା ଜଣେ ୧୯୮୭ ବ୍ୟାଚର କେରଳ କ୍ୟାଡର ଆଇପିଏସ ଅଧିକାରୀ। ସେ ୨୦୧୬ ମସିହାରୁ ସେ ଏସପିଜିର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଏହା ପୂର୍ବରୁ ଏସପିଜିର ନିର୍ଦେଶକ ଭାବେ କେବଳ ଜଣେ ‘ଏଡିଜି’ ରାଙ୍କର ଆଇପିଏସ ଅଧିକାରୀ କାର୍ଯ୍ୟ କରିବେ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରଯାଇଥିଲା। ଏହାଛଡ଼ା ରାଜ୍ୟମାନଙ୍କରେ ଏସପିଜିର କାର୍ଯ୍ୟକରିବା ପାଇଁ ମନ୍ତ୍ରାଳୟ ନୂଆ ନିୟମ ଜାରି କରିଥିଲା।

ଭାରତରେ ଜଣେ ଆଇପିଏସ ଅଧିକାରୀଙ୍କ ଅତିବେଶୀରେ ୬ ମାସ ଯାଏଁ କାର୍ଯ୍ୟକାଳ ବୃଦ୍ଧି ହୋଇଥାଏ। ଏସପିଜି ଭଳି ସୁରକ୍ଷା ସଂସ୍ଥାର ନିର୍ଦେଶକଙ୍କ ଚାକିରିକୁ ନେଇ ଏଭଳି କରାଯାଇଥିଲେ, ସଂସ୍ଥାର ନିୟମକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିଥାନ୍ତା। ତେଣୁ ଏସବୁ ନକରି କେନ୍ଦ୍ର ସରକାର ତାଙ୍କୁ ଅବସର ପରେ ଆଉ ବର୍ଷେ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଛନ୍ତି।

୨୦୨୪ ମସିହାରେ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଦେଶର ଅନେକ ସ୍ଥାନରେ ନିର୍ବଚନୀ ପ୍ରଚାର କରିବେ। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ଏସପିଜିର ଗୁରୁତ୍ଵ ଅଧିକ ରହିବ। ଏଥିପାଇଁ ଏସପିଜି ନିର୍ଦେଶକଙ୍କୁ ଆଉ ବର୍ଷେ ପାଇଁ ନିଯୁକ୍ତି ଦିଆଯାଇଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।

‘ଏସପିଜି’ କ’ଣ ?

‘ଏସପିଜି’ ହେଉଛି ଭାରତର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସୁରକ୍ଷା ସଂସ୍ଥା। ଏହା ଦେଶର ପ୍ରଧାନମନ୍ତ୍ରୀ ତଥା ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ସୁରକ୍ଷା କରିଥାଏ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୫ ମସିହାରେ ଏହାର ଗଠନ କରଯାଇଥିଲା। ବର୍ତ୍ତମାନ ଏଥିରେ ୩ ହଜାର ଜଣ ସୁରକ୍ଷା କର୍ମୀ କାମ କରୁଛନ୍ତି।

Tags: #SpecialProtectionGroup #SPGDirector #SecurityAgency #MinistryofHomeAffairs

Comment