ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ମହା ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ସାରା ଦେଶରେ ୫୧ଟି ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜୁନ ୩୦ ତାରିଖ ଯାଏଁ ଚାଲିବାକୁଥିବା ଏହି ଅଭିଯାନର ୪ଟି କାର୍ଯ୍ୟକ୍ରମ ଓଡ଼ିଶାରେ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗଦେବେ। ଏନେଇ ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

“କେନ୍ଦ୍ରରେ ବିଜେପି ସରକାର ୯ ବର୍ଷରେ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରଙ୍କ ଅନେକ ସଫଳତାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଓଡ଼ିଶାରେ ହେବାକୁଥିବା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ସ୍ଥାନରେ ଜନସଭାର ଆୟୋଜନ କରାଯିବ। ଏହି ସମୟରେ ରାଜ୍ୟ ବିଜେପିର ୫ ଲକ୍ଷରୁ ଅଧିକ କର୍ମକର୍ତ୍ତା ଓଡ଼ିଶାର ୧ କୋଟି ପରିବାରଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ଅବଗତ କରାଇବେ”, କହିଛନ୍ତି ମନମୋହନ ସାମଲ।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଜନସମ୍ପର୍କ କାର୍ଯକ୍ରମରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସିବାର କାର୍ଯ୍ୟକ୍ରମ ରହିଛି। ସେମାନେ ଓଡ଼ିଶାରେ ହେବାକୁ ଥିବା ବଡ଼ ଜନସଭାକୁ ସମ୍ବୋଧିତ କରିବେ। ଏଥିରେ ଗିରିରାଜ ସିଂହ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ଭଳି କେନ୍ଦ୍ରମନ୍ତ୍ରୀମାନେ ସାମିଲ ହେବେ।”

ଓଡ଼ିଶାରେ ବିଜେପିର ଏହି ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ଵରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଓଡ଼ିଶାର ୨୧ଟି ଲୋକସଭା କ୍ଷେତ୍ରକୁ ୬ଟି କ୍ଲଷ୍ଟରରେ ଭାଗ କରାଯାଇ ବିଭିନ୍ନ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ଵ ଦିଆଯାଇଛି। ତେବେ ପ୍ରଧାନମନ୍ତ୍ରୀ କେବେ ଆସିବେ ଏବଂ ଓଡ଼ିଶାରେ କେଉଁ କେଉଁ ତାରିଖରେ ଜନସଭା ଅନୁଷ୍ଠିତ ହେବ, ସେନେଇ ଦଳ ପକ୍ଷରୁ ଆଗକୁ ଘୋଷଣା କରାଯିବ।

ରାଜ୍ୟ ବିଜେପି ପକ୍ଷରୁ ବୁଧବାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ଶତପଥୀ, ଦଳର ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

Tags: #BJP #JanSamparkAbhiyan #CentralGovt #PublicMeeting #Odisha

Comment