ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ସ୍ଥିତ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ଏବେ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ଏବେ ଏହାର ୮୫ ପ୍ରତିଶତ କାମ ସରିଛି। ଜୁନ ମାସରେ ଏହାର ଭିତ୍ତିଭୂମି କାର୍ଯ୍ୟ ସରିବ। ଗୁରୁବାର ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ବରମୁଣ୍ଡା ବସ୍‌ ଟର୍ମିନାଲର କାର୍ଯ୍ୟ ସମୀକ୍ଷାବେଳେ ଏହି ସୂଚନା ମିଳିଛି।

୫-ଟି ସଚିବ ଗୁରୁବାର ଅପରାହ୍ଣରେ ବରମୁଣ୍ଡା ବସ୍‌ ଟର୍ମିନାଲ କାମର ସମୀକ୍ଷା କରିବା ପାଇଁ ଯାଇଥିଲେ। ସେଠାରେ ପହଞ୍ଚି ସେ ନିର୍ମାଣ କାମର ଏକ ଭିଡିଓ ପ୍ରେଜେଣ୍ଟେସନ ଦେଖିଥିଲେ। ଟର୍ମିନାଲର ନିର୍ମାଣ କାମ ବିଷୟରେ ସେ ସମ୍ପୃକ୍ତ ଅଧିକାରୀଙ୍କ ସହ ଅଲୋଚନା କରିଥିଲେ। ଜୁଲାଇ ମାସ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ବରମୁଣ୍ଡା ବସ୍‌ ଟର୍ମିନାଲ ଓଡିଶାର ପ୍ରଥମ ଆଧୁନିକ ଟ୍ରାନ୍‌ଜିଟ୍ ସିଷ୍ଟମ ହେବାକୁ ଯାଉଛି। ଏଠାରୁ ଦୈନିକ ୨ ହଜାର ବସ ଚଳାଚଳ କରିବ। ଦେଶର ବିଭିନ୍ନ ସହରକୁ ମଧ୍ୟ ଏଠାରୁ ବସ ସୁବିଧା ଉପଲବ୍ଧ ହେବ।  ୧୧ ଏକର ପରିମିତ ଅଞ୍ଚଳରେ ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଉଛି। ଏଠାରେ ଯାତ୍ରୀଙ୍କ ପାଇଁ ସବୁପ୍ରକାର ଅତ୍ୟାଧୁନିକ ସୁବିଧା ରହିବ।

ଏହି ବସ୍‌ ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ଫୁଡକୋର୍ଟ, ଆହାର କେନ୍ଦ୍ର, ଲିଫ୍ଟ ଓ ବହୁତଳୀୟ କାର୍‌ ପାର୍କିଂ ଆଦିର ବ୍ୟବସ୍ଥା କରାଯିବ। ଏହା ସହିତ ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ। ସମ୍ପୂର୍ଣ୍ଣ ଟର୍ମିନାଲ ସୌରଶକ୍ତିରେ ଚାଲିବ। ଏଠାରେ ଯାତ୍ରୀଙ୍କୁ ୱାଇ-ଫାଇର ସୁବିଧା ମଧ୍ୟ ମିଳିବ।

ଏହି ସମୀକ୍ଷା ସମୟରେ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଓ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Tags: #BaramundaBusTerminal #WorkEvaluation #5tTransformation #InterStateTransit #Odisha

Comment