ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡି ପରେ ଏବେ ସେହି ଟ୍ରାକରେ ପୁଣି ଥରେ ରେଳ ଚଳାଚଳ ସ୍ଵାଭାବିକ ହୋଇଛି। ଦୁର୍ଘଟଣା ଘଟିବାର ୫୧ ଘଣ୍ଟା ପରେ ରବିବାର ରାତିରେ ରେଳବାଇ ପକ୍ଷରୁ ଟ୍ରାକ ମରାମତି କାମ ଶେଷ କରାଯାଇଥିଲା। ଏବେ ଏହି ରେଳ ଲାଇନରେ ମାଲଗାଡ଼ି ସହ ପାସେଞ୍ଜର ଟ୍ରେନ ମଧ୍ୟ ଚଳାଚଳ ଆରମ୍ଭ କରିଛି।

ରବିବାର ରାତିରେ ରେଳବାଇ ପକ୍ଷରୁ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଉଭୟ ମେନ ଲାଇନକୁ ମରାମତି କରଯାଇଥିଲା। ଏହାପରେ ଏହି ଲାଇନରେ ପରୀକ୍ଷାମୂଳକ ଭାବେ ଏକ ମାଲଗାଡ଼ିକୁ ଚଳା ଯାଇଥିଲା। ଏହି ସମୟରେ ରେଳ ମନ୍ତ୍ରୀ ନିଜେ ସେହି ସ୍ଥାନରେ ଉପସ୍ଥିତ ଥିଲେ। ରେଳବାଇର ଇଞ୍ଜିନିୟର ଓ ଶ୍ରମିକମାନେ ଦିନରାତି କାମ କରି ଟ୍ରାକ୍ ମରାମତି କାମ ଶେଷ କରିଥିଲେ।

ସେହିପରି ସୋମବାର ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ଆସୁଥିବା ସାଲିମାର ଏକ୍ସପ୍ରେସ, ପୁଡୁଚେରୀ ଏକ୍ସପ୍ରେସ, ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏହି ଟ୍ରାକ୍ ଦେଇ ଯାଇଥିଲା। ସେହିପରି ଭୁବନେଶ୍ଵର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ ଓ ଅନ୍ୟ କେତେକ ଟ୍ରେନ  କୋଲକାତା ଆଡ଼କୁ ଯାଇଛି। ଏବେ ଦୁର୍ଘଟଣା ଘଟିଥିବା ଟ୍ରାକ୍ ଦେଇ ଟ୍ରେନ୍‌ଗୁଡ଼ିକ ଯିବାବେଳେ ଧୀରେ ଧୀରେ ଯାତ୍ରା କରୁଛି।

ଅନ୍ୟପଟେ ଏବେ ବାହାନଗା ଦୁର୍ଘଟଣାସ୍ଥଳରେ ମେନ ଲାଇନରେ ଟ୍ରେନ ଯାତାୟତ ଚାଲୁ ହୋଇଥିବାବେଳେ କ୍ଷତିଗ୍ରସ୍ତ ହୋଇଥିବା ଲୁପ୍ ଲାଇନର ମରାମତି କାମ ଜାରି ରହିଛି।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଆହତଙ୍କ ଚିକିତ୍ସା ଜାରି ରହିଥିବାବେଳେ ମୃତକଙ୍କ ଶବକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଉଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

 

Comment