ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଉପକୂଳବର୍ତ୍ତୀ ଓ କିଛି ଅଭ୍ୟନ୍ତରୀଣ ଅଞ୍ଚଳରେ ଦୁଇ ଦିନ ଖରାରୁ ଟିକେ ଆଶ୍ଵସ୍ତି ମିଳିବାପରେ ଗୁରୁବାରଠାରୁ ପୁଣି ତାତି ଆରମ୍ଭ ହୋଇଯାଇଛି। ଏହାଫଳରେ ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି। ପଶ୍ଚିମ ଓଡ଼ିଶାରେ ପୂର୍ବ ଭଳି ନିଆଁ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ଯାଏଁ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ଦିନ ସାଢ଼େ ୧୧ଟା ସୁଦ୍ଧା ଓଡ଼ିଶାର ଅନେକ ସ୍ଥାନର ତାପମାତ୍ର ୪୦ ଡିଗ୍ରୀ ଅତିକ୍ରମ କରିଛି। ଗତ ଦୁଇଦିନ ତୁଳନାରେ ଏବେ ଓଡ଼ିଶାରେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ଅଧିକ ବଢ଼ିଛି। ରାଜଧାନୀ ଭୁବନେଶ୍ଵରରେ ଦିନ ସାଢ଼େ ୧୧ଟାରେ ତାପମାତ୍ରା ୪୧ ଡିଗ୍ରୀ ରହିଥିଲା। ଏହାସହ ସହରର ଅଦ୍ରତା ୪୫ ପ୍ରତିଶତ ରହିଛି।

ସେହିଭଳି ଓଡ଼ିଶାର ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୮ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୮ ଡ଼ିଗ୍ରୀ, ପୁରୀରେ ୩୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନେକ ସହରରେ ଅଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ହେଉଥିବାର ଦେଖାଯାଇଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଗୁରୁବାର ଓଡ଼ିଶାର ୧୩ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ନୂଆପଡ଼ା ଜିଲ୍ଲା ରହିଛନ୍ତି।

ଏବେ ଗ୍ରୀଷ୍ମ ପ୍ରବାହ ପାଇଁ ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ ଲୋକମାନଙ୍କୁ ଅଧିକ ପରିମାଣରେ ପାଣି ପିଇବାକୁ କୁହାଯାଇଛି।

ସେହିପରି ଚଳିତବର୍ଷ ମୌସୁମୀ ବାୟୁ ବିଳମ୍ବରେ ଆସିଥିବାରୁ ଓଡ଼ିଶା ଆସିବାରେ ମଧ୍ୟ ଡେରି ହେବ। ଜୁନ ୨୧ ତାରିଖ ବେଳକୁ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Tags: #Weather #Heatwave #Summer #TemperatureRise #KalaBaisakhi #Odisha

 

LEAVE A REPLY

Please enter your comment!
Please enter your name here