ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ଜୀବନବ୍ୟାପୀ ସାଧନା ନିମନ୍ତେ ବର୍ଷୀୟାନ ସାହିତ୍ୟିକ ଦେବରାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୨’, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢ଼ୀଙ୍କୁ ଯୁଗ୍ମ ଭାବେ ‘ତପସ୍ୟା ସୃଜନ ପୁରସ୍କାର-୨୦୨୨’ ଏବଂ ତରୁଣ ଲେଖକ ଯୀଶୁକ୍ରିଷ୍ଣ ଦାସଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୨’ରେ ସମ୍ମାନିତ କରାଯିବ।
ପୁରସ୍କାର ଚୟନ କମିଟି ସୁପାରିସ ଆଧାରରେ ଏହି ପ୍ରତିଭାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଏହା ବ୍ୟତୀତ ଏଥର ନୂତନ ଭାବେ ଏକ ଫେଲୋସିପ ଆରମ୍ଭ କରାଯାଇଛି। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ଏହି ଫେଲୋସିପ ପ୍ରଦାନ କରାଯିବ। ଫେଲୋସିପ ବାବଦରେ ତାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ‘ଭାରତୀୟ ଭକ୍ତି କବିତା’ ଶୀର୍ଷକ ପ୍ରକଳ୍ପରେ ସେ ଗବେଷଣା କରିବେ। ଫାଉଣ୍ଡେସନ ପକ୍ଷରୁ ଏହି ପୁସ୍ତକ ପ୍ରକାଶ କରାଯିବ। ଏ ନେଇ ସୂଚନା ପ୍ରଗତି ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଜୁଲି ମିଶ୍ର ସୂଚନା ଦେଇଛନ୍ତି।
ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢ଼ୀଙ୍କ ପୁସ୍ତକ ‘ଗାଁ ଛାଡ଼ିବୁ ନାହିଁ’ ପାଇଁ ଯୁଗ୍ମ ଭାବେ ପୁରସ୍କୃତ କରାଯିବ। ଯୀଶୁକ୍ରିଷ୍ଣଙ୍କୁ ପୁସ୍ତକ ପ୍ରକାଶିତ ହୋଇନଥିବା ୩୦ ବର୍ଷରୁ କମ୍ ବୟସର ଲେଖକ ବର୍ଗରେ ପୁରସ୍କୃତ କରାଯିବ।
ସାହିତ୍ୟିକମାନଙ୍କୁ ପୁରସ୍କାର ବାବଦକୁ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କା, ମାନ ଫଳକ ଏବଂ ଉପାୟନ ପ୍ରଦାନ କରାଯିବ।
ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ୨୦୧୮ ମସିହା ପାଇଁ ବିଭୂତି ଭୂଷଣ ପ୍ରଧାନଙ୍କୁ (ମରଣୋତ୍ତର ଭାବେ) ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଭୀମ ପୃଷ୍ଟିଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ନିଖିଳେଶ ମିଶ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପ୍ରଦାନ କରାଯାଇଥିବା ବେଳେ ୨୦୧୯ ମସିହା ପାଇଁ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ଡିଲେଶ୍ୱର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପ୍ରଦାନ କରାଯାଇଥିଲା।
ସେହିପରି ୨୦୨୦ ମସିହା ପାଇଁ ପ୍ରଫେସର ଡକ୍ଟର ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଡକ୍ଟର ଦେବାଶିଷ ପାତ୍ରଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ଏବଂ ସୁଶ୍ରୀ ସଂଘମିତ୍ରା ଭୂତିଆଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।
୨୦୨୧ ମସିହା ପାଇଁ ବର୍ଷିଷ୍ଠ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଯୁବ ସାହିତ୍ୟିକ ତଥା ସାମ୍ବାଦିକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ଏବଂ ତରୁଣ ଲେଖକ ପରମବୀର ଚକ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।
Tags: #OdiaLiteratureAward #TapasyaShashwatPuraskar #TapasyaSrujan #TapasyaSambabana









