ଓଡ଼ିଶାଲାଇଭ୍ ବ୍ୟୁରୋ

‘ହେ ଚକାନୟନ’, ‘ମୁଁ ଯେ ଦେଉଳ ବେଢ଼ା ଦୀପ’, ‘ମୁଁ ପାଣି ହେଲେ ତୁ ଚନ୍ଦନ’ ଆଦି ଶ୍ରୀଜଗନ୍ନାଥଙ୍କ ଭକ୍ତି ରସରେ ଭକ୍ତିମୟ ହୋଇଯାଇଥିଲା  ଭୁବନେଶ୍ଵରର ଜୟଦେବ ଭବନ ପ୍ରେକ୍ଷାଳୟ। ଶାନ୍ତିଲତା ବାରିକ ଛୋଟରାୟଙ୍କ ଲୋକପ୍ରିୟ ଭଜନରେ ମଜି ଯାଇଥିଲେ ଉପସ୍ଥିତ ଦର୍ଶକ। ମଙ୍ଗଳବାର ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ‘ହେ ଚକାନୟନ’ରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ।

ଏହି କାର୍ଯ୍ୟକ୍ରମରେ ଶାନ୍ତିଲତା ବାରିକ ଛୋଟରାୟଙ୍କ ଲୋକପ୍ରିୟ ଭଜନଗୁଡ଼ିକୁ ସୁବାସ ଦାସ, ମନ୍ମଥ ମିଶ୍ର, ଗୀତା ଦାସ, ପ୍ରଶାନ୍ତ ପାଢ଼ୀ, ଜୟଶ୍ରୀ ଧଳଙ୍କ ଭଳି ବିଶିଷ୍ଟ କଣ୍ଠଶିଳ୍ପୀମାନେ ଗାଇ ଶ୍ରୋତାମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ଶାନ୍ତିଲତା ବାରିକ ନିଜେ ମଧ୍ୟ ଏଠାରେ ଭଜନ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ‘ନାଲକୋ’ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୋମ୍ୟ ରଞ୍ଜନ ପଟ୍ଟନାୟକ, ରାଜ୍ୟ ସଂସ୍କୃତି ବିଭାଗର ନିର୍ଦେଶକ ଦିଲ୍ଲୀପ ରାଉତରାୟ ଏବଂ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସମ୍ମାନୀତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

“ମୋର ସମ୍ପୂର୍ଣ୍ଣ ଜୀବନ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ସମର୍ପିତ। ତାଙ୍କରି ଆଶୀର୍ବାଦରୁ ହିଁ ମୁଁ ଆଜି ଏତେ ବାଟ ଆସିପାରିଛି। ଏହି ‘ହେ ଚକାନୟନ’ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କ ଭଜନକୁ ଆହୁରି ପ୍ରଚାର ପ୍ରସାର କରିବା ଆମର ଲକ୍ଷ୍ୟ ରହିଛି। କରୋନା ମହାମାରୀ ଯୋଗୁଁ ୩ ବର୍ଷ ପରେ ଏହି କାର୍ଯ୍ୟକ୍ରମ ପୁଣିଥରେ ଆୟୋଜିତ ହେଇଥିବାରୁ ମୁଁ ବହୁତ ଖୁସି”, କହିଛନ୍ତି ଶାନ୍ତିଲତା ବାରିକ ଛୋଟରାୟ।

“ଶାନ୍ତିଲତା ବାରିକ ଓଡ଼ିଆ ଭଜନ ଜଗତର ଜଣେ ଉଜ୍ଜ୍ଵଳ ତାରକା। ଭକ୍ତି ସଙ୍ଗୀତରେ ଅମୂଲ୍ୟ ସାଧନା ପାଇଁ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆମେ ତାଙ୍କର ଅନେକ ଭଜନ-ଜଣାଣ ଆଦି ଶୁଣି ବଡ଼ ହୋଇଛୁ। ତାଙ୍କର ସବୁଠାରୁ ଲୋକପ୍ରିୟ ଭଜନ ‘ହେ ଚକାନୟନ’କୁ ନେଇ ହେଉଥିବା ଏହି ଭକ୍ତିମୟ କାର୍ଯ୍ୟକ୍ରମରେ ସାମିଲ ହେବା ମୋ ପାଇଁ ବଡ଼ ସୌଭାଗ୍ୟ”, କହିଛନ୍ତି ଶ୍ରୀଧର ପାତ୍ର।

ଏହି ‘ହେ ଚକାନୟନ’ କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ବାଦ୍ୟ ଶିଳ୍ପୀ ଗୁରୁ ଶରତ ରଥଙ୍କୁ ନାଲକୋ ତରଫରୁ ଶାନ୍ତିଲତା ବାରିକ ଛୋଟରାୟ ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ସଙ୍ଗୀତକାର ଗୁଣନିଧି ବରାଳଙ୍କୁ ଶାନ୍ତିଲତା ସଂଗଠନ ସମ୍ମାନ ଏବଂ  କଣ୍ଠଶିଳ୍ପୀ ସାଇସ୍ମିତା ନିଗମଙ୍କୁ ଶାନ୍ତିଲତା ପ୍ରତିଭା ସମ୍ମାନ ଦିଆଯାଇଥିଲା।

“ସଂଗୀତ ଆମକୁ ଶୃଙ୍ଖଳା ଓ ସମର୍ପଣଭାବ ଶିଖାଏ। ଶାନ୍ତିଲତା ବାରିକଙ୍କ ଭଜନ ପରିବେଷଣର ଶୈଳୀ ରାଜ୍ୟ ସଙ୍ଗୀତ ଜଗତରେ ଅନ୍ୟତମ। ଯଦି ପୁରୁଷ ବର୍ଗରେ ଭଜନ ସମ୍ରାଟ ଭିକାରୀ ବଳ ଓ କଣ୍ଠଶିଳ୍ପୀ ସିକନ୍ଦର୍‌ ଆଲାମଙ୍କୁ ଗୋଟିଏ ପାଖରେ ରଖାଯାଏ, ତେବେ ମହିଳା ବର୍ଗରେ ଶାନ୍ତିଲତା ବାରିକଙ୍କ ନାମ ନିଶ୍ଚିତ ରହିବ”, କହିଛନ୍ତି ସୋମ୍ୟରଞ୍ଜନ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ୬ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାଛଡ଼ା କାର୍ଯ୍ୟକ୍ରମରେ ବାଦ୍ୟ ଯନ୍ତ୍ର ପରିଚାଳନା କରୁଥିବା ବାଦ୍ୟ ଶିଳ୍ପୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଶ ପଟ୍ଟନାୟକ, ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ୍‌ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରଜ କିଶୋର ଦାଶ, ଉପାଧ୍ୟକ୍ଷ ବସନ୍ତ କୁମାର ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା କଣ୍ଠଶିଳ୍ପୀ ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ। ଏହା ସହ ଅନେକ ଦର୍ଶକ କାର୍ଯ୍ୟକ୍ରମରେ ସାମିଲ ହୋଇ ଭଜନର ଆନନ୍ଦ ନେଇଥିଲେ।

Tags: #HeyChakanayana #ShnatilataBarikChhotaray #DevotionalSinger #SriJagannathBhajan #Bhubaneswar

LEAVE A REPLY

Please enter your comment!
Please enter your name here