ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏଣିକି ଋତୁସ୍ରାବ ପାଇଁ ସରକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି। ଋତୁସ୍ରାବ ପାଇଁ ମାସକୁ ଗୋଟିଏ ହିସାବରେ ବର୍ଷକୁ ୧୨ଟି ଅତିରିକ୍ତ ଛୁଟି ପାଇବେ ମହିଳା କର୍ମଚାରୀ। ୫୫ ବର୍ଷ ବୟସ ପୂରଣ ହେବା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ଏ ନେଇ ସୋମବାର ଦିନ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ସରକାରୀ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ପାଇଁ ମାସକୁ ଗୋଟିଏ ଅତିରିକ୍ତ ଛୁଟି ମିଳିବ। ପ୍ରତିମାସର ଦିନଟିଏ ଋତୁସ୍ରାବ ଜନିତ ଛୁଟି ସେହି ମାସରେ ହିଁ ନେବାକୁ ପଡ଼ିବ। ଗୋଟିଏ ମାସର ଋତୁସ୍ରାବ ଛୁଟି ତା’ ପରମାସରେ ନେଇ ହେବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି।
ଗତ ଅକ୍ଟୋବର ମାସରେ ସରକାରୀ ମହିଳା କର୍ମଚାରୀଙ୍କ ଲାଗି ବାର୍ଷିକ ଅତିରିକ୍ତ ଛୁଟି ୧୨ ଦିନକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହି ନିୟମ ଲାଗୁ ହେବା ପରେ ସରକାରୀ ମହିଳା କର୍ମଚାରୀଙ୍କୁ ବାର୍ଷିକ ୧୦ ଦିନ କାଜୁଆଲ ଲିଭ, ୫ ଦିନ ସ୍ପେସାଲ ଲିଭ ସହ ଋତୁସ୍ରାବ ପାଇଁ ୧୨ ଦିନର ଅତିରିକ୍ତ ଛୁଟି ମିଳିବ। ଏଣିକି ମହିଳା ସରକାରୀ କର୍ମଚାରୀ ବର୍ଷକୁ ମୋଟ ୨୭ ଦିନ ଛୁଟି ପାଇପାରିବେ।
Tags: #PeriodsLeave #OdishaGovt #WomenEmployee #Odisha #AdditionalLeave