ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ଅବସରରେ ତିନିଦିନିଆ ସାଂସ୍କୃତିକ ଉତ୍ସବ ‘ସୁବର୍ଣ୍ଣିମା’ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ସୋମବାର ଏହାର ଉଦ୍‌ଘାଟନୀ ସନ୍ଧ୍ୟା ଓଡ଼ିଶୀ ପରମ୍ପରାକୁ ସମୃଦ୍ଧ ଓ ସୁଦୃଢ଼ କରିଥିବା କିମ୍ବଦନ୍ତୀ ଗୁରୁଜନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଭାବେ ସମର୍ପିତ ଥିଲା। ଏହି ଅବସରରେ ଗୁରୁ ଦେବ ପ୍ରସାଦ ଦାସ, ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ପଙ୍କଜ ଚରଣ ଦାସ ଏବଂ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସମ୍ମାନାର୍ଥେ ବିଶେଷ ନୃତ୍ୟ ପରିବେଷଣ କରାଯାଇଥିଲା।

ଗତ ୫୦ ବର୍ଷ ଧରି ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଅନେକ ପିଢ଼ିର ନୃତ୍ୟଶିଳ୍ପୀ, ସଙ୍ଗୀତଜ୍ଞ ଓ ସାଂସ୍କୃତିକ କଳାକାରମାନଙ୍କୁ ଗଢ଼ି ତୋଳିବା ସହିତ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦେଶ ଓ ବିଦେଶର ଦର୍ଶକଙ୍କ ନିକଟକୁ ପହଞ୍ଚାଇଛି। ‘ସୁବର୍ଣ୍ଣିମା’ ଏହି ଗୌରବମୟ ଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିବା ସହ ଓଡ଼ିଶୀର ଭିତ୍ତି ସ୍ଥାପନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ଏବଂ ଭବିଷ୍ୟତ ପିଢ଼ିଙ୍କୁ ଏହି ଜୀବନ୍ତ ପରମ୍ପରାକୁ ଆଗକୁ ନେବାକୁ ପ୍ରେରଣା ଦେଇଛି।

ଉଦ୍‌ଘାଟନୀ  କାର୍ଯ୍ୟକ୍ରମରେ ନୃତ୍ୟାୟନ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ‘ମଙ୍ଗଳାଚରଣ (ହରି ହର)’, ଯାହାକୁ ସ୍ୱର୍ଗତ ଗୁରୁ ଦେବ ପ୍ରସାଦ ଦାସ ନୃତ୍ୟରୂପ ଦେଇଥିଲେ। ରାଗ ବୈରାଗୀ ଓ ତାଳ ଏକତାଳୀରେ ନିବଦ୍ଧ ଏହି ପ୍ରସ୍ତୁତିରେ ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କର ସମନ୍ୱିତ ରୂପ ହରିହରଙ୍କୁ ଆହ୍ୱାନ କରାଯାଇଥିଲା, ଯାହା ସମନ୍ୱୟ, ଏକତା ଏବଂ ଦିବ୍ୟ ଶକ୍ତିମାନଙ୍କର ସଙ୍ଗମର ପ୍ରତୀକ।

ଏହାପରେ ପ୍ରସ୍ତୁତ ହୋଇଥିଲା ‘ସ୍ଥାୟୀ’, ଯାହା ମହାରୀ ଓ ଗୋଟିପୁଅ ପରମ୍ପରାରେ ନିହିତ ଏକ ଶୁଦ୍ଧ ନୃତ୍ୟ ସଂରଚନା। ଗୁରୁ ଦୁର୍ଗାଚରଣ ରଣବୀରଙ୍କ ନୃତ୍ୟରୂପ, ଗୁରୁ ରାମହରି ଦାସଙ୍କ ସଙ୍ଗୀତ ଏବଂ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳରେ ପ୍ରସ୍ତୁତ ଏହି ପରିବେଷଣରେ ଜଟିଳ ପାଦଚାଳନା, ସୁନ୍ଦର ଚୌକା ଓ ତ୍ରିଭଙ୍ଗୀ ଏବଂ ଶବ୍ଦ ସ୍ୱର ପଟ ମାଧ୍ୟମରେ ବାଦ୍ୟଯନ୍ତ୍ରମାନଙ୍କର ଅତ୍ୟନ୍ତ ସୁନ୍ଦର ଚିତ୍ରଣ ଉଲ୍ଲେଖନୀୟ ଥିଲା। ପରବର୍ତ୍ତୀ ପ୍ରସ୍ତୁତିରେ ସୃଜନ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଯୁଗ୍ମଦ୍ୱନ୍ଦ୍ୱ ପଲ୍ଲବୀ ପରିବେଷଣ କରିଥିଲେ ।

ସନ୍ଧ୍ୟାର ମହାସମାପନ ହୋଇଥିଲା ଓଡିଶା ଡାନ୍ସ ଏକାଡେମୀର ନୃତ୍ୟଶିଳ୍ପୀମାନଙ୍କ ଦ୍ଵାରା କୋଣାର୍କ ଲାସ୍ୟ ଲୀଳା ପରିବେଷିତ ହୋଇଥିଲା। ଗୀତିମୟ ଅଭିବ୍ୟକ୍ତି ମାଧ୍ୟମରେ ଏହି ପ୍ରସ୍ତୁତି କୋଣାର୍କର ଭାସ୍କର୍ୟ ଐତିହ୍ୟର ଚିରନ୍ତନ ଗୌରବ ଏବଂ ଓଡ଼ିଶାର କାବ୍ୟିକ କଳ୍ପନାକୁ ଜୀବନ୍ତ କରିଦେଇଥିଲା।

ଏହି ଉତ୍ସବ ଜୁନ୍ ୨୪ ତାରିଖ ଯାଏଁ ଚାଲିବ। ଏଥିରେ ଓଡ଼ିଶୀ ଉପରେ ସେମିନାର, ବିଶିଷ୍ଟ ଶିଳ୍ପୀମାନଙ୍କ ନୃତ୍ୟ ପରିବେଷଣ ଏବଂ ଓଡ଼ିଶୀ ସଙ୍ଗୀତର ମହାନ ଗୁରୁଙ୍କ ପ୍ରତି ଏକ ବିଶେଷ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ଆୟୋଜିତ ହେବ।

ଉତ୍ସବର ଉଦ୍‌ଘାଟନ ଅବସରରେ ଏକାମ୍ର-ଭୁବନେଶ୍ୱରର ବିଧାୟକ ଶ୍ରୀ ବାବୁ ସିଂ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ପ୍ରିୟମ୍ବଦା ମହାନ୍ତି ହେଜମାଦି, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମ କୁମ ମହାନ୍ତି, ମାଧବୀ ମୁଦଗଲ ଓ ଡକ୍ଟର ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସମ୍ପାଦିକା ଗୁରୁ ଡକ୍ଟର ଅରୁଣା ମହାନ୍ତି ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Tags: #OdishaDanceAcademy #Subarnima #GoldenJubilee #Odisha

Comment