ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଭୁବନେଶ୍ଵରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶନିବାର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ରାଜ୍ୟ ମହିଳା ଉଦ୍ୟମିତା ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା।
ନୀତି ଆୟୋଗର ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ଲାଟ୍ଫର୍ମ’ ମହିଳା ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା, ବଜାର ସଂଯୋଗ, ମେଣ୍ଟରସିପ୍ ଓ ଦକ୍ଷତା ବିକାଶ ପାଇଁ ଏହା ଏକ ସମନ୍ୱିତ ମଞ୍ଚ ସୃଷ୍ଟି କରିବ। ଓଡ଼ିଶାର ବିକାଶ ଯାତ୍ରାରେ ମହିଳାମାନଙ୍କ ଅର୍ଥନୈତିକ ନେତୃତ୍ୱକୁ ଆହୁରି ବଳ ଯୋଗାଇବ।
“ଆମର ଲକ୍ଷ୍ୟ ହେଉଛି ଆମେ ଏମିତି ଏକ ଓଡ଼ିଶା ଗଠନ କରିବୁ, ଯେଉଁଠାରେ ମହିଳାମାନେ ଚାକିରି ଖୋଜିବେ ନାହିଁ, ବରଂ ଚାକିରି ସୃଷ୍ଟି କରିବେ। ଆଜି ଏକ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ସଶକ୍ତ ହୋଇ ସ୍ୱାବଲମ୍ୱନ ପଥରେ ଅଗ୍ରସର ହେଉଛନ୍ତି। ଆଗକୁ ମହିଳାମାନେ ହିଁ ବିକାଶର ନେତୃତ୍ୱ ନେବେ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ବାଲେଶ୍ୱରଠାରେ ୨୪ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ‘ରାଇସ୍ ମିଲିଙ୍ଗ୍ କ୍ଲଷ୍ଟର’ର ଉଦ୍ଘାଟନ କରାଯାଇଛି, ଯାହା ରାଇସ୍ ବ୍ରାନ୍ ଅଏଲ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ସେହିପରି ପାରମ୍ପରିକ ସୁସ୍ୱାଦୁ ଖାଦ୍ୟର ପ୍ରସାର ପାଇଁ ଖୋର୍ଦ୍ଧା ଜିଲ୍ଲାର ପାହାଳଠାରେ ୧୭ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଏକ ‘ରସଗୋଲା କ୍ଲଷ୍ଟର’ ପାଇଁ ଶିଳାନ୍ୟାସ କରାଯାଇଛି। ଏହା ବ୍ୟତୀତ ଗଞ୍ଜାମର ବରପାଲ୍ଲି ଓ କଳାହାଣ୍ଡିର କେସିଙ୍ଗାଠାରେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟରେ ୨ଟି ‘ମଲ୍ଟି-ପ୍ରଡକ୍ଟ ଏମ୍ଏସ୍ଏମ୍ଇ ପାର୍କ’ର ଉଦ୍ଘାଟନ କରାଯାଇଛି।

ରାଜ୍ୟରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ବିକାଶକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, “କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡ଼ିଶାର ୪ ଲକ୍ଷ ୩୨ ହଜାରରୁ ଅଧିକ ଏମ୍ଏସ୍ଏମ୍ଇ ଉପକୃତ ହୋଇଛନ୍ତି। ପିଏମଇଜିପି ଜରିଆରେ ୪,୯୦୦ କ୍ଷୁଦ୍ର ଉଦ୍ୟୋଗକୁ ୧୪୬ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି। କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାରେ ୨୩ ହଜାର କୋଟିରୁ ଅଧିକ ଟଙ୍କାର ବନ୍ଧକମୁକ୍ତ ଋଣ ପ୍ରଦାନ କରାଯାଇଥିବାବେଳେ CM-SRIM ଯୋଜନାରେ ସରକାର ସୁଧ ଭାର ବହନ କରୁଛନ୍ତି।”
୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ପାଇଁ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ।
ଏହି ଅବସରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, “ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପରୁ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବଡ଼ ସଫଳତା ହାସଲ କରାଯାଇପାରିବ। ମହିଳା ଉଦ୍ୟୋଗୀଙ୍କ ଉଦ୍ୟମରେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ।”
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରୀ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ତଥା ମହିଳା ଉଦ୍ୟୋଗିତା ମଞ୍ଚର ମିଶନ ନିର୍ଦ୍ଦେଶିକା ଆନା ରୟ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ସ୍ୱାଲ୍, ଏମ୍ଏସ୍ଏମ୍ଇ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା ଏବଂ ଶିଳ୍ପ ବିଭାଗ ନିର୍ଦ୍ଦେଶିକା ଆବୋଲି ସୁନୀଲ ନରଭାଣେ ପ୍ରମୁଖ ଯୋଗ ଦେଇଥିଲେ।
Tags: #MSMEDay #UdyamiOdishaMSMEProgram #WEPOdisha #MSME


















