ସତୀଶ ଶର୍ମା

ଭାରତରେ କ୍ରୀଡ଼ା ପ୍ରତିଭାର କୌଣସି ଅଭାବ ନାହିଁ। ଦେଶର ଦୁର୍ଗମ ଗାଁ ତଥା ଆଦିବାସୀ ଅଞ୍ଚଳରୁ ଅନେକ ପ୍ରତିଭା ନିଜର କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତି ବଳରେ ଆନ୍ତର୍ଜାତିକ ସ୍ତରରେ ସଫଳତା ହାସଲ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଏକ ଛୋଟ ଗାଁର ୧୬ ବର୍ଷୀୟ ଯୁବ ହକି ଖେଳାଳି ଅରମାନ ସୋରେଙ୍ଗ ସେଭଳି ଏକ ଉଜ୍ଜ୍ୱଳ ଉଦାହରଣ। ୨୦୨୬ ଜୁନ ମାସରେ ଜାପାନରେ ଆୟୋଜିତ ଷଷ୍ଠ ୧୮ ବର୍ଷରୁ କମ୍ ଏସିଆ କପ୍ ହକି ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଦଳର ସଦସ୍ୟ ଭାବେ ସ୍ୱର୍ଣ୍ଣ ପଦକ ଜିତି ସେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ମାଟି ଘରେ ଜନ୍ମ ନେଇଥିବା ଏକ ସ୍ୱପ୍ନ

ରାଜଗାଙ୍ଗପୁର ବ୍ଲକ୍‌ର କେଶରାମାଲ ପଞ୍ଚାୟତ ଅନ୍ତର୍ଗତ ଲୁଥୁପାତ୍ର ବରପାଲି ଗାଁରେ ଜନ୍ମ ନେଇଥିବା ଅରମାନଙ୍କ ପିଲାଦିନ ଅଭାବ-ଅନଟନ ମଧ୍ୟରେ କଟିଛି। ତାଙ୍କ ବାପା ସଞ୍ଜିତ ସୋରେଙ୍ଗ ଜଣେ ଦିନ ମଜୁରିଆ ଏବଂ ମା’ ସୁନୀତା ସୋରେଙ୍ଗ ଜଣେ ଗୃହିଣୀ। ତିନି ଭାଇ ଓ ଜଣେ ଭଉଣୀଙ୍କୁ ନେଇ ପରିବାରର ଆର୍ଥିକ ସ୍ଥିତି ସବୁବେଳେ ଦୁର୍ବଳ ଥିଲା। ମାଟି ଘରେ ବଢ଼ିଥିବା ଅରମାନଙ୍କ ପାଇଁ ଜୀବନ ସହଜ ନଥିଲା, କିନ୍ତୁ ତାଙ୍କ ସ୍ୱପ୍ନ କେବେ ଛୋଟ ହୋଇନଥିଲା।

ଭାରତୀୟ ହକିର ନର୍ସରୀ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ଛୋଟବେଳୁ ସାଙ୍ଗମାନଙ୍କ ସହ ବାଉଁଶରେ ତିଆରି ଷ୍ଟିକ୍ ଧରି ଖାଲି ପାଦରେ ହକି ଖେଳୁଥିଲେ ଅରମାନ। ପରେ କେଶରାମାଲ ଗ୍ରାସରୁଟ୍ ଟ୍ରେନିଂ ସେଣ୍ଟରରେ ପ୍ରଥମ ଥର ପାଇଁ ସେ ପ୍ରକୃତ ହକି ଷ୍ଟିକ୍‌ରେ ଅଭ୍ୟାସ କରିବାର ସୁଯୋଗ ପାଇଥିଲେ। ସେହିଠାରୁ ହିଁ ତାଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା।

ପ୍ରଶିକ୍ଷଣରେ ମିଳିଲା ନୂଆ ଦିଗ

୨୦୨୨ ମସିହାରେ ଅରମାନଙ୍କ ଚୟନ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲ ପାଇଁ ହୋଇଥିଲା, ଯାହା ତାଙ୍କ ବୃତ୍ତିଗତ କ୍ୟାରିୟରର ଦୃଢ଼ ମୂଳଦୁଆ ପକାଇଥିଲା। ପ୍ରଶିକ୍ଷକ ପ୍ରଫୁଲ୍ଲ ତିର୍କୀ ଓ ରାଜନ ଏକ୍କା ତାଙ୍କ ପ୍ରତିଭାକୁ ଚିହ୍ନଟ କରି ନିରନ୍ତର ପରିଷ୍କୃତ କରିଥିଲେ।

ମିଡଫିଲ୍ଡରରୁ ଭରସାଯୋଗ୍ୟ ଡିଫେଣ୍ଡର

ଆରମ୍ଭରୁ ଅରମାନ ମିଡଫିଲ୍ଡର ଭାବେ ଖେଳୁଥିଲେ। କିନ୍ତୁ ଚଳିତ ବର୍ଷ ଭୋପାଳରେ ଜାତୀୟ ପ୍ରଶିକ୍ଷଣ ଶିବିରରେ ପ୍ରଥମ ଥର ଚୟନ ହେବା ପରେ କୋଚ୍ ସରଦାର ସିଂହ ଦଳରେ ଶକ୍ତିଶାଳୀ ଡିଫେଣ୍ଡରଙ୍କ ଅଭାବ ଥିବାରୁ ତାଙ୍କୁ ଡିଫେଣ୍ଡର ଭୂମିକା ନେବାକୁ ପରାମର୍ଶ ଦେଇଥିଲେ।

ଅରମାନ ବିନା ଦ୍ୱିଧାରେ ଏହି ନୂଆ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ନିଜକୁ ସେହି ଭୂମିକାରେ ସଫଳ ଭାବେ ପ୍ରତିଷ୍ଠିତ କରିଥିଲେ। ଆଜି ସେ ମିଡଫିଲ୍ଡ ଓ ଡିଫେନ୍ସ ଉଭୟ ସ୍ଥାନରେ ସମାନ ଦକ୍ଷତାର ସହ ଖେଳିପାରୁଛନ୍ତି।

ହକି ଛାତ୍ରାବାସରେ ଚୟନ ହେବାପରେ ସେ ଲଗାତାର ଜାତୀୟ ସ୍କୁଲ୍ ଗେମ୍ସ ଓ ସବ୍-ଜୁନିୟର ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଆସୁଛନ୍ତି। ରାଞ୍ଚିରେ ପୂର୍ବାଞ୍ଚଳ ଅଣ୍ଡର-୧୬ ପ୍ରତିଯୋଗିତାରେ ଚାମ୍ପିଅନ୍ ହେବା ସହ ଗୌହାଟୀ, ଗ୍ୱାଲିୟର, ରୋହତକ ଓ ରାଜଗୀରରେ ସେ ନିଜ ଦଳକୁ ଅନେକ ପଦକ ଜିତାଇଥିଲେ ଏବଂ ଦଳର ଅଧିନାୟକତ୍ୱ ମଧ୍ୟ କରିଥିଲେ।

ଏସିଆ କପ୍‌ରେ ଉଜ୍ଜ୍ୱଳ ପ୍ରଦର୍ଶନ

୨୦୨୬ରେ ଭୋପାଳର ଜାତୀୟ ଶିବିରରେ ଚୟନ ହେବାପରେ ଅରମାନଙ୍କୁ ଅଣ୍ଡର-୧୮ ଏସିଆ କପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଜାପାନରେ ଆୟୋଜିତ ଏହି ପ୍ରତିଷ୍ଠିତ ପ୍ରତିଯୋଗିତାରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ଏବଂ ଅରମାନ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ।

କୋଚିଂ ଷ୍ଟାଫ୍ ତାଙ୍କ ଉପରେ ଏତେ ବିଶ୍ୱାସ ରଖିଥିଲେ ଯେ ପ୍ରତ୍ୟେକ ମ୍ୟାଚ୍‌ରେ ସେ ସମ୍ପୂର୍ଣ୍ଣ ୬୦ ମିନିଟ୍ ପଡ଼ିଆରେ ଖେଳିଥିଲେ। କୌଣସି ମ୍ୟାଚ୍‌ରେ ତାଙ୍କୁ ବିଶ୍ରାମ ଦିଆଯାଇନଥିଲା।

ପାକିସ୍ତାନ ବିପକ୍ଷରେ ସ୍ମରଣୀୟ ମୁକାବିଲା

ଅଣ୍ଡର-୧୮ ଏସିଆ କପ୍‌ର ଅନୁଭୂତି ବାଣ୍ଟି ଅରମାନ କହିଛନ୍ତି ଯେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସବୁଠାରୁ କଠିନ ଥିଲା। ଗୋଟିଏ ସମୟରେ ଭାରତ ୨–୩ ରେ ପଛୁଆ ଥିଲେ ମଧ୍ୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୫–୩ ଗୋଲରେ ବିଜୟୀ ହୋଇଥିଲା।

ଫାଇନାଲ୍ ପୂର୍ବରୁ ଜାପାନ ବିପକ୍ଷ ଲିଗ୍ ମ୍ୟାଚ୍‌ରେ ପରାଜୟ ଦଳକୁ ନିଜର ତ୍ରୁଟି ବୁଝିବାର ସୁଯୋଗ ଦେଇଥିଲା। ଭିଡିଓ ବିଶ୍ଲେଷଣ ମାଧ୍ୟମରେ କୋଚମାନେ ସେହି ତ୍ରୁଟି ସୁଧାରିଥିଲେ ଏବଂ ଶେଷରେ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା।

ସ୍ୱପ୍ନ ଆହୁରି ବଡ଼

ଆନ୍ତର୍ଜାତିକ ସଫଳତା ସତ୍ତ୍ୱେ ଅରମାନଙ୍କ ପରିବାର ଆର୍ଥିକ ସମସ୍ୟାର ସମ୍ମୁଖୀନ। ତଥାପି ପରିବାରର ବିଶ୍ୱାସ, ପୁଅର ପରିଶ୍ରମ ନିଶ୍ଚୟ ଦିନେ ତାଙ୍କ ଜୀବନରେ ନୂଆ ଆଲୋକ ଆଣିବ। ଭାରତୀୟ ହକି ଦଳର ତାରକା ହାର୍ଦ୍ଦିକ ସିଂହଙ୍କୁ ନିଜର ଆଦର୍ଶ ମାନୁଥିବା ଅରମାନଙ୍କ ସ୍ୱପ୍ନ ହେଉଛି ଭାରତୀୟ ସିନିୟର ଦଳରେ ସ୍ଥାନ ପାଇ ଅଲିମ୍ପିକ୍ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଦେଶକୁ ଗୌରବାନ୍ୱିତ କରିବା।

ଏକ ଛୋଟ ଗାଁରୁ ଜାପାନ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ପ୍ରମାଣ କରେ ଯେ ପ୍ରତିଭା କେବେ ବି ସହର, ସମ୍ପତ୍ତି କିମ୍ବା ସୁବିଧାର ଉପରେ ନିର୍ଭର କରେ ନୁହେଁ। ମାଟି ଘର, ଅଭାବ ଓ ସୀମିତ ସମ୍ବଳ ମଧ୍ୟରେ ଯଦି ଜଣଙ୍କ ଲକ୍ଷ୍ୟ ସ୍ପଷ୍ଟ ଥାଏ ଏବଂ ପରିଶ୍ରମ ନିଷ୍ଠାପୂର୍ଣ୍ଣ ହୁଏ, ତେବେ ସଫଳତା ନିଶ୍ଚିତ ମିଳେ। ଅରମାନ ସୋରେଙ୍ଗଙ୍କ ଜୀବନଯାତ୍ରା ଏହାର ଜ୍ୱଳନ୍ତ ଉଦାହରଣ।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)

Tags: #ArmaanSoreng #HockeyPlayer #U-18AsiaCup2026 #HockeyIndia #Sundargarh #Odisha

Comment