ଦାଶ ବେନହୁର

ସାରା ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସ ଉତ୍କଳମଣି ଭାବରେ ପରିଚିତ। ସେତେବେଳକା ସମାଜରେ ଜ୍ଞାନୀ, ଗୁଣୀ ଲୋକଙ୍କୁ ‘ପଣ୍ଡିତ’ ବୋଲି ସମ୍ବୋଧନ କରିବା ଥିଲା ସାଧାରଣ କଥା। ଅନ୍ୟପକ୍ଷରେ ଉତ୍କଳ ବା ସେ ସମୟ ଓଡ଼ିଶାର ଜନସାଧାରଣଙ୍କ ସେବାପାଇଁ ଅତୁଳନୀୟ ଅବଦାନ ସକାଶେ ବଙ୍ଗଳାର ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ଉତ୍କଳମଣି ଭାବରେ ସମ୍ବୋଧନ କରିଥିଲେ। ଏହାଥିଲା ୧୯୨୪ ମସିହା କଥା।

ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟ ଗୋଟିଏ ଗାଁ ହେଉଛି ସୁଆଣ୍ଡୋ। ସେଇଠାରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା ଦୈତାରୀ ଦାଶ ଓ ମାଆଙ୍କ ନାଁ ଥିଲା ସ୍ୱର୍ଣ୍ଣମୟୀ ଦେବୀ। ଅତି ଛୋଟ ବୟସରୁ ସେ ମାତୃହରା ହୋଇଥିଲେ।

ଚାଟଶାଳୀ ପାଠ ପଢ଼ୁପଢ଼ୁ ସେ ଓଡ଼ିଆ ଭାଗବତ ପଢିବା ଆରମ୍ଭ କରିଦେଇଥିଲେ। ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା ସୁଆଣ୍ଡୋ ପ୍ରାଥମିକ ବିଦ୍ୟାଳୟରେ। ବାଲ୍ୟବିବାହ ପ୍ରଥା କାରଣରୁ ମାତ୍ର ୧୨ ବୟସରେ ସେ ବିବାହ କରିଥିଲେ। ରୂପଦେଈପୁର ମଧ୍ୟଭର୍ଣ୍ଣାକୁଲାର ସ୍କୁଲ ପାଠପଢ଼ାରେ ସେ ୧୮୯୩ରେ ପୁରୀ ଜିଲ୍ଲାସ୍କୁଲରେ ପାଠ ପଢିଥିଲେ। ସେତିକିବେଳେ ପ୍ରାଚୀନ ସାହିତ୍ୟକୁ ଭଲପାଇ ‘ଇନ୍ଦ୍ରଧନୁ’ ପତ୍ରିକାରେ ଗୋଟିଏ ଲେଖା ଲେଖି ସ୍କୁଲ ଇନ୍‌ସପେକ୍ଟର କବି ରାଧାନାଥ ରାୟଙ୍କ କ୍ରୋଧର ଶିକାର ହୋଇଥିଲେ। ସେଥିପାଇଁ ଜୋରିମାନା ଦେଇଥିଲେ ସତ୍ୟ ହେଲେ ମିଥ୍ୟାର ଆଶ୍ରୟ ନେଇନଥିଲେ।

ପିଲାଦିନୁ ସେ ଥିଲେ ସତ୍ୟବାଦୀ ଓ ସ୍ୱାଧୀନଚେତା। ୧୮୯୯ରେ ପୁରୀ ଜିଲ୍ଲା ସ୍କୁଲରୁ ଆସି ରେଭେନ୍‌ସାରେ କଲେଜ ପାଠ ପଢ଼ି ୧୯୦୪ ବି.ଏ.ପାସ୍‌ କଲେ। ତା’ପରେ ଓକିଲାତି ପାଠରେ ଡିଗ୍ରୀ ହାସଲ କଲେ।

ସେତେବେଳେ ସେ ପୁରୀଠାରେ ଦଇତାପଡ଼ା ସାହିରେ ରହୁଥିଲେ। ପାଠପଢ଼ିବା ବେଳୁ ସେ ଦୁଃଖୀ, ରଙ୍କି, ବନ୍ୟାଦୁର୍ଗତି ଓ ରୋଗଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାର ଦୁର୍ବାର ମନୋଭାବ ପୋଷଣ କରିଥିଲେ। ଘରେ ସାଂଘାତିକ ରୋଗରେ ପଡିଥିବା ପୁଅକୁ ଛାଡ଼ି ବନ୍ୟାଦୁର୍ଗତଙ୍କୁ ସାହାଯ୍ୟ କରିବା ସମୟରେ ତାଙ୍କର ଏକମାତ୍ର ପୁତ୍ରର ମୃତ୍ୟୁ ହୋଇଥିଲା।

ଦିନେ ମୁକ୍ତାର ରାମଚନ୍ଦ୍ର ଦାଶ ତାଙ୍କୁ ଜୀବନର ଲକ୍ଷ୍ୟ କ’ଣ ବୋଲି ପଚାରିଥିଲେ। ଉତ୍ତର ମିଳିଥିଲା ‘ସମାଜସେବା ଓ ସ୍ୱାଧୀନ ଜୀବନ’।

୧୯୦୫ରେ ଲର୍ଡକର୍ଜନଙ୍କ ବଙ୍ଗଭଙ୍ଗ ଘୋଷଣା ବେଳେ ସେ ଥିଲେ କଲିକତାରେ। ଯୁବଶକ୍ତିର ଦେଶପ୍ରୀତି ଓ ବିପ୍ଳବାତ୍ମକ କାର୍ଯ୍ୟାବଳୀ ତାଙ୍କୁ ପ୍ରଭାବିତ କରିଥିଲା। ୧୯୦୬ରେ ଆଇନ ଉପାଧି ପାଇବା ସହ ସେ ନିଜ ସହଧର୍ମିଣୀଙ୍କୁ ହରାଇଥିଲେ। ସେତେବେଳକୁ ମାତ୍ର ୨୮ ବର୍ଷ ବୟସ। ଦୁଇକନ୍ୟା ସାରଙ୍ଗିଣୀ ଓ କେତକୀ ଛୋଟ ଛୋଟ। ଅନେକ ବାଧ୍ୟବାଧକତା ସତ୍ତ୍ୱେ ସେ ଆଉ ଦ୍ୱିତୀୟ ବିବାହ କରିନଥିଲେ।

କଟକରେ ବି.ଏ ପଢୁଥିବାବେଳେ ୧୯୦୩ର ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁଙ୍କର ଥିଲା ମହତ୍ତ୍ୱପୂର୍ଣ୍ଣ ଯୋଗଦାନ। ସେଇଦିନୁ ଓଡ଼ିଶାର ତନ୍ତଶିଳ୍ପକୁ ଉତ୍ସାହିତ କରିବା ପାଇଁ ସେ ପିନ୍ଧୁଥିଲେ ଖଣ୍ଡିଏ ତନ୍ତବୁଣା ଧୋତି। ଦେହରେ ପକାଉଥିଲେ ଖଣ୍ଡିଏ ଚଦର। କେବେ କେବେ ଜାମା ପିନ୍ଧୁଥିଲେ ବି ତାହାଥିଲା ତନ୍ତବୁଣା କନା।

ଏମ୍‌.ଏ. ପାଠ ଅନାବଶ୍ୟକ ମନେକରି ଅଧାରୁ ଛାଡ଼ିଥିଲେ ସେ। ଓକିଲାତି ଜୀବନ ଆରମ୍ଭ କରିଥିଲେ। ନୀଳଗିରି ଗଡ଼ଜାତରେ ସ୍କୁଲଟିଏ ବସେଇବା ପାଇଁ ସେ ବନ୍ଧୁ ଉମାଚରଣ ଦାସ ଓ ଆଚାର୍ଯ୍ୟ ହରିହରଙ୍କୁ ସେଠାକୁ ପଠାଇଥିଲେ। ଉମାଚରଣ ଛାଡ଼ି ଚାଲିଯିବା ପରେ ନିଜେ ଯାଇ ଶିକ୍ଷକ ଦାୟିତ୍ୱ ନେଇଥିଲେ। ସେତିକିବେଳେ ‘ସ୍ୱେଚ୍ଛାସେବକ ବାହିନୀ’ ଗଠନ କରି ନାନା ସମାଜ ମଙ୍ଗଳ କାର୍ଯ୍ୟ କରିଥିଲେ। ପରେ ନୀଳଗିରିରୁ ଫେରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପାଖରେ ସହଯୋଗୀର ଭୂମିକା ତୁଲାଇଥିଲେ। ରେଭେନ୍‌ସା କଲେଜର ଅଧ୍ୟକ୍ଷଙ୍କୁ ସଭାପତି କରି ସେ ଗଢିଥିଲେ ‘କେନ୍ଦ୍ରୀୟ ଯୁବ ଉତ୍କଳ ସଂଘ’। ଯୁବଶ୍ରେଣୀର ନୈତିକ ଉତ୍‌ଥାନ, ଖେଳ କସରତ, ଅର୍ଥନୈତିକ ତଥା ସାମାଜିକ ଉନ୍ନତି ସହ ସାହିତ୍ୟ ଚର୍ଚ୍ଚାଥିଲା ଏ ସଂଘର ଉଦ୍ଦେଶ୍ୟ।

୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ୧୯ ଜଣ ପିଲାଙ୍କୁ ନେଇ ସେ ଆରମ୍ଭ କରିଥିଲେ ସତ୍ୟବାଦୀ ବନବିଦ୍ୟାଳୟ। ହେଲେ ମଧୁସୂଦନଙ୍କ ଅନୁରୋଧ କ୍ରମେ ମୟୂରଭଞ୍ଜ ଗଡ଼ଜାତକୁ ଯାଇ ସେଠାରେ ତାଙ୍କୁ ରାଜସରକାରଙ୍କ ଓକିଲ ତଥା ପରାମର୍ଶଦାତା ହେବାକୁ ପଡ଼ିଥିଲା। ସାଧାରଣ ପ୍ରଜା ଓ ଶାସନ ଭିତରେ ଯୋଗସୂତ୍ର ଭଳି ସେ ଦାୟିତ୍ୱ ନିର୍ବାହ କରିଥିଲେ।

ତେଣେ ୧୯୧୨ରେ ସତ୍ୟବାଦୀ ବନବିଦ୍ୟାଳୟ ଏକ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପରିଣତ ହୋଇଥିଲା। ରକ୍ଷଣଶୀଳ ଲୋକେ ଏହାକୁ ବିରୋଧ କରି ପୋଡ଼ିଦେଇଥିଲେ। ହେଲେ ଗୋପବନ୍ଧୁ ସବୁ ବାଧାବିଘ୍ନକୁ ଏଡ଼ାଇ ପୁଣିଥରେ ତା’କୁ ଠିଆ କରାଇଥିଲେ।

୧୯୧୨ ବେଳକୁ ବିହାର-ଓଡ଼ିଶା ପ୍ରଦେଶ ଗଠିତ ହେଲା। ତା’ର ବିଧାନ ପରିଷଦକୁ ଯିବାପାଇଁ ମଧୁସୂଦନ ଦାସ ଗୋପବନ୍ଧୁଙ୍କୁ ଅନୁରୋଧ କରିଥିଲେ। ମାତ୍ର ବନବିଦ୍ୟାଳୟ ଛାଡ଼ି ଯିବାଲାଗି ଅମଙ୍ଗ ଥିଲେ ଗୋପବନ୍ଧୁ। ଶେଷରେ ରାଜିହୋଇ ୧୯୧୭ରେ ବିହାର-ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଯାଇଥିଲେ। ମାତ୍ର ୩ ବର୍ଷ ଥିଲେ ସଭ୍ୟ। କିନ୍ତୁ ସେତିକି ସମୟ ଭିତରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା, ଓଡ଼ିଶାକୁ ବନ୍ୟା ଓ ଦୁର୍ଭିକ୍ଷ ଦାଉରୁ ରକ୍ଷାକରିବା ଲାଗି ସ୍ଥାୟୀ ବ୍ୟବସ୍ଥା ଆଣିବା, ଅବକାରୀ କର ନ ଦେଇ ଲୋକମାନଙ୍କୁ ଲୁଣମାରିବା ଅଧିକାର ଫେରେଇଦେବା ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ଆଦର୍ଶରେ ଶିକ୍ଷାର ପ୍ରସାର କରାଇବା ସକାଶେ ସେ ମନପ୍ରାଣ ଢାଳିଦେଇଥିଲେ।

ଏତିକିବେଳେ ସେପ୍ଟେମ୍ୱର ୧୯୨୦ରେ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନ ବସି ଅସହଯୋଗ ନୀତି ଗ୍ରହଣ କରାଗଲା। ୧୯୧୬ରୁ କଂଗ୍ରେସ ସହ ଯୋଡ଼ି ହୋଇଥିଲେ ଗୋପବନ୍ଧୁ। ତେଣିକି ସେ କଂଗ୍ରେସ ଓ ଗାନ୍ଧୀନୀତି ପ୍ରଚାରଲାଗି ମନପ୍ରାଣ ଢାଳି ଦେଲେ। ଯେଉଁ ଉତ୍କଳ ସମ୍ମିଳନୀରେ ସେ ସଭ୍ୟ ଥିଲେ ତାଙ୍କରି ପ୍ରଚେଷ୍ଟାରେ ତାହା ୧୯୨୦, ଡିସେମ୍ବର ୩୦ ତାରିଖରେ କଂଗ୍ରେସ ସହ ମିଶିଗଲା। ଉତ୍କଳ ସମ୍ମିଳନୀର ସେ ଅଧିବେଶନ ବସିଥିଲା ଚକ୍ରଧରପୁରଠାରେ।

ଗୋପବନ୍ଧୁ ଅନୁରୋଧରେ ଗାନ୍ଧୀଜୀ ୧୯୨୧ ସାଲ, ମାର୍ଚ୍ଚ ୨୩ ତାରିଖ ଓଡ଼ିଶା ଆସି କାଠଯୋଡ଼ି ବାଲିରେ ସଭା କରିଥିଲେ। ମହାତ୍ମାଗାନ୍ଧୀଙ୍କୁ ସ୍ୱାଗତ କରି ଗୋପବନ୍ଧୁ କହିଥିଲେ –‘ଉତ୍କଳୀୟମାନେ ସବୁବେଳେ ଉଦାର ପୁଣି, ଧାର୍ମିକ। ଆଜି ମହାତ୍ମାଙ୍କର ଏ ଆଗମନ ସମସ୍ତ ଉତ୍କଳବାସୀଙ୍କ ଲାଗି ସ୍ମରଣୀୟ ହୋଇ ରହିବ। ଆଜି ଓଡ଼ିଶା ଅସହଯୋଗ ଦୀକ୍ଷା ଗ୍ରହଣ କରି ଭାରତପ୍ରତି ତା’ର ଜାତୀୟପ୍ରୀତିର ପ୍ରମାଣ ଦେଇଛି।’

ଓଡ଼ିଶା ପ୍ରଥମ ସାପ୍ତାହିକ ସମ୍ବାଦପତ୍ର ଭାବରେ ୧୮୬୬ ରୁ ପ୍ରକାଶ ପାଇଥିଲା ’ଉତ୍କଳ ଦୀପିକା’। ଜନଜୀବନ ଲାଗି ’ଖବର’ର ଗୁରୁତ୍ୱ ଅନେକ। ସେହିଲାଗି ବ୍ରହ୍ମପୁରଠାରେ ଗୋପବନ୍ଧୁଙ୍କ ଖାସ୍‌ ଯୋଗଦାନ ଥାଇ ୧୯୧୩ରେ ଶଶିଭୂଷଣ ରଥଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଦୈନିକ ‘ଆଶା’। ପରେ ୧୯୧୯ରେ ବିଧାନ ପରିଷଦର ସଭ୍ୟ ଭାବରେ ପାଇଥିବା ସମସ୍ତ ପାଉଣାକୁ ଏକାଠି କରି ଗୋପବନ୍ଧୁ ‘ସତ୍ୟବାଦୀ’ ମାସିକ ପତ୍ରିକା ଓ ‘ସମାଜ’ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରାଇଥିଲେ। ଏହି ‘ସମାଜ’ ପରବର୍ତ୍ତୀକାଳରେ ଦୈନିକ ସମ୍ବାଦପତ୍ରରେ ପରିଣତ ହୋଇ ଓଡ଼ିଶାର ଜନମତ ପ୍ରକାଶ କରିବାରେ ସହାୟକ ହୋଇପାରିଲା।

ଗୋପବନ୍ଧୁ ଯେଉଁ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ତାହାର ଶିକ୍ଷାଦାନ ପଦ୍ଧତି ଥିଲା ଅତୁଳନୀୟ। ଖୋଦ୍‌ ଗାନ୍ଧୀଜୀ ଓ ବଙ୍ଗଳାର ଛୋଟଲାଟ୍‌ ଏହାର ପରିଦଶର୍ନକରି ଭୁରିଭୁରି ପ୍ରଶଂସା କରିଥିଲେ। ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ଗୋଦାବରୀଶ ମିଶ୍ର ଓ କୃପାସିନ୍ଧୁ ମିଶ୍ରଙ୍କ ଭଳି ବିଦ୍ୱାନମାନେ ପଞ୍ଚସଖା ନାମ ଧରି ଏହାର ଶିକ୍ଷଣ ଧାରାକୁ ବେଶ୍‌ ବିଖ୍ୟାତ ହୋଇପାରିଥିଲେ। ଏହି ବିଦ୍ୱାନମାନେ ପଣ କରିଥିଲେ ଯେ ‘ଜନ୍ମବେଳେ ନିଜ ମାଟି ଯେପରି ଅଛି ତା’କୁ ଉନ୍ନତ ଦେଖି ସେମାନେ ଆଖିବୁଜିବେ। ସରକାରୀ ଚାକିରି କରିବେ ନାହିଁ।’

ରାଜନୈତିକ ଘନଘଟା ଯୋଗୁଁ ୧୯୨୧ ରେ ଏହା ଗୋଟିଏ ଜାତୀୟ ବିଦ୍ୟାଳୟରେ ପରିଣତ ହୋଇ କିଛିକାଳ ପରେ ବନ୍ଦ ହୋଇଯାଇଥିଲା।

ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱରେ ଥିଲା ଏକ ଚୁମ୍ବକୀୟ ଶକ୍ତି। ସେଥିପାଇଁ ଅନେକ ସେବାକର୍ମୀ ତାଙ୍କ ଆଡ଼କୁ ଟାଣିହୋଇ ଆସୁଥିଲେ। ଖବରକାଗଜରେ ନିର୍ଭୀକ ଖବର ପରିବେଷଣ କରି ସେ ଜେଲ୍‌ଦଣ୍ଡ ଭୋଗିଥିଲେ। ପୁଣି ଅସହଯୋଗ ଆନ୍ଦୋଳନରେ ନିଷେଧାଦେଶ ଉଲଂଘନ ଦଣ୍ଡରେ ଦଣ୍ଡିତ ହୋଇ ଦୁଇଟି ମକଦ୍ଦମାରେ ଯଥାକ୍ରମେ ୨ ବର୍ଷ ଓ ୬ ମାସ ସେ ସଶ୍ରମ କାରାଦଣ୍ଡ ଭୋଗ କରିଥିଲେ। ପ୍ରଥମେ କଟକ ଓ ପରେ ହଜାରୀବାଗ କେନ୍ଦ୍ର-ଜେଲ୍‌ରେ ସେ ବନ୍ଦୀଜୀବନ କାଟିଥିଲେ। ତାଙ୍କର ଜେଲ-ଜୀବନ ଥିଲା ଅଧ୍ୟୟନ ଓ ସାହିତ୍ୟ ରଚନାର ଜୀବନ। ସେତିକିବେଳେ ସେ ‘ବନ୍ଦୀର ଆତ୍ମକଥା’, ‘ଧର୍ମପଦ’, ‘ଗୋ-ମାହାତ୍ମ୍ୟ’, ‘ନଚିକେତା ଉପାଖ୍ୟାନ’ ଓ ‘କାରାକବିତା’ ଆଦି ରଚନା କରିଥିଲେ। ଛାତ୍ରାବସ୍ଥାରେ ରଚନା କରିଥିଲେ ‘ଅବକାଶ ଚିନ୍ତା’।

ଜୁନ୍‌ ୨୪, ୧୯୨୪ରେ ସେ ହଜାରୀବାଗ୍‌ ଜେଲ୍‌ରୁ ଖଲାସ ହେଲେ। ୧୯୨୫ର ଅସମ୍ଭବ ବନ୍ୟା କରିସ୍ଥିତି କାଳରେ ରାତିଦିନ କାମକରି ସେ ଦୁର୍ବଳ ହୋଇପଡ଼ିଥିଲେ। ୧୯୨୬ରେ ଲାଲା ଲଜପତ୍‌ରାୟ ଗୋପବନ୍ଧୁଙ୍କ ସେବାକାର୍ଯ୍ୟରେ ଅଭିଭୂତ ହୋଇ ତାଙ୍କୁ ୧୯୨୮ରେ ଲୋକସେବକ ମଣ୍ଡଳର ଉପସଭାପତି କରିଥିଲେ। ତା’ ପୂର୍ବରୁ ୧୯୨୭ର ବନ୍ୟାଦୁର୍ଗତଙ୍କ ପାଇଁ ଖଟିଖଟି ସେ ରୋଗାକ୍ରାନ୍ତ ହୋଇ ଯାଇଥିଲେ। ଅସୁସ୍ଥତା ଭିତରେ ୧୯୨୮ ଏପ୍ରିଲ୍‌ରେ ଲାହୋର ଗସ୍ତ ଓ ଜୁନ୍‌ ୨ରେ କଲିକତା ଯାଇ ଶ୍ରମିକ ସଭାରେ ଯୋଗଦେବା ତାଙ୍କୁ ମରଣାନ୍ତକ କରିଦେଲା।

ଜୁନ୍‌ ୧୧ରେ ସେ ସତ୍ୟବାଦୀ ଫେରିଲେ ସତ ହେଲେ ଜୁନ୍‌ ୧୭, ୧୯୨୮ ସନ୍ଧ୍ୟା ୭ ଟା ୨୫ ମିନିଟ୍‌ରେ ତାଙ୍କ ଜୀବନଦୀପ ଲିଭିଗଲା। ସେ କିନ୍ତୁ ଅମର ହୋଇ ରହିବେ ଓ ରହିଥିବେ। କାରଣ ସେ ଥିଲେ କର୍ମଯୋଗୀ। ଯଥାର୍ଥରେ ମଣିଷ ଭିତରେ ମଣି, ‘ମଣିଷମଣି’। ତାଙ୍କ ନିଜ ଭାଷାରେ –

 ‘ମଣିଷଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ,

କର୍ମେ ଜୀଏଁ ନର କର୍ମ ଏକାତାର ଜୀବନର ମାନଦଣ୍ଡ।’

Tags: #GopabandhuDas #UtkalMani #SocialService #FreedomFighter #Odisha

Comment