କୃଷ୍ଣଚନ୍ଦ୍ର ସାହୁ
ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼।
ସ୍ୱାଧୀନତା ପଥେ ତିଳେ ହେଲେ ନର
ମୋ ଜୀବନ ଦାନେ ହେଉ ଅଗ୍ରସର।
ଆମ ସମସ୍ତଙ୍କ ପାଇଁ ଅତି ପରିଚିତ ଏଇ କେତୋଟି ଧାଡ଼ି କେବଳ ସାହିତ୍ୟ ନୁହେଁ, ଏହା ହେଉଛି ପରାଧୀନ ଭାରତରେ ଜଣେ ଓଡ଼ିଆ ନେତୃତ୍ୱର ଜୀବନ ଓ ବଳିଦାନର ବିରଳ କାହାଣୀ।…ସେହି କାହାଣୀର ନାୟକ – ଗୋପବନ୍ଧୁ ଦାସ। ଉତ୍କଳମଣି ଗୋପବନ୍ଧୁ ଦାସ।…
ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳବନରେଯେଉଁ ମହାମନିଷୀ କବିତ୍ୱର ଏହି ମୁର୍ଚ୍ଛନା ନିନାଦିତ କରିଥିଲେ, ସେ ହେଉଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାତ୍ମା ଗାନ୍ଧୀଙ୍କ ବଳିଷ୍ଠ ସହଯୋଗୀ,ଦୀନ ଦରିଦ୍ରର ବନ୍ଧୁ, ସମାଜ ସଂସ୍କାରକ, ସାହିତ୍ୟିକ, ଓଡ଼ିଆ ଜାତୀୟ ଆନ୍ଦୋଳନର ସାଧକ ଓ ସ୍ରଷ୍ଟା – ଗୋପବନ୍ଧୁ ଦାସ।…
ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ନିର୍ଭିକ ସୈନିକ, ତ୍ୟାଗୀ, ନିଷ୍ଠାବାନ ଓ ଉତ୍କଳର ନବଯୁଗର ପ୍ରବର୍ତ୍ତକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ।…
୧୮୭୭ ମସିହାରେ ସତ୍ୟବାଦୀର ଭାର୍ଗବୀ ନଦୀ ତଟରେ ଅବସ୍ଥିତ ସୁଆଣ୍ଡୋ ଗ୍ରାମରେ ପିତା ଦୈତାରୀ ଦାଶ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନଭାବେ କୋଳ ମଣ୍ଡନ କରିଥିଲେଗୋପବନ୍ଧୁ। ଶୈଶବରୁ ମାତୃହରା ହୋଇ ଯାଇଥିଲେ। ଫଳରେ ବିଧବା ପିଉସୀଙ୍କ ଉପରେ ନ୍ୟସ୍ତ ହୋଇଥିଲା ଗୋପବନ୍ଧୁଙ୍କ ଦାୟିତ୍ୱ।

ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେସେ ଶିକ୍ଷା ଗ୍ରହଣ କରିଥିଲେ।ତତ୍କାଳୀନ ପ୍ରଥା ଅନୁଯାୟୀ ୧୨ ବର୍ଷ ବୟସରେସେ ମୋତି ଦେବୀଙ୍କୁ ବିବାହ କରିଥିଲେ।
ଶିକ୍ଷା ଲାଭ ସମୟରେ ପାଠ୍ୟପୁସ୍ତକ ମାଧ୍ୟମରେ ବିଭିନ୍ନ ଦେଶର ସ୍ୱାଧୀନତା ସଂଗ୍ରାମର ଇତିହାସ, ରାଜନୀତି ଓ ଅର୍ଥନୀତି ବିଷୟରେ ଜ୍ଞାନ ଆହରଣ କଲେ। ତୁଳସୀ ଦୁଇପତ୍ରରୁ ବାସିଲା ପରି ଦୀନ ଦୁଃଖୀଙ୍କ ସେବାରେ ନିଜକୁ ନିୟୋଜିତ କରିବାର ଗୁଣ ଗୋପବନ୍ଧୁଙ୍କଠାରେ ପିଲାଦିନରୁ ଜଣାପଡ଼ିଯାଇଥିଲା।
ତାଙ୍କର ବାଲ୍ୟାବସ୍ଥା ଓ ଯୌବନାବସ୍ଥା ଆଦୌ ସ୍ୱଚ୍ଛଳ ନଥିଲା। ଅଭାବ ଅନଟନ ଭିତରେ ରହି ମଧ୍ୟ ଦେଶସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ଦେଇଥିଲେ ଗୋପବନ୍ଧୁ।
ସମାଜରେ ଏକ ବ୍ୟାପକ ପରିବର୍ତ୍ତନ ଓ ସଂସ୍କାର ଆଣିବା ତାଙ୍କର ଲକ୍ଷ୍ୟ ଥିଲା। ବାଲ୍ୟକାଳରୁ ସେବା ତାଙ୍କର ବ୍ରତ ହୋଇ ଯାଇଥିଲା। କାଳକ୍ରମେ ତାଙ୍କୁ ମିଳିଯାଇଥିଲେ ତାଙ୍କର ଚିନ୍ତାଧାରା ସହ ମିଶିଯାଉଥିବା ଅନେକ ବନ୍ଧୁ। ଏଇଥିରୁ ସୃଷ୍ଟିହେଲେ ପଞ୍ଚସଖା। ସେମାନେ ହେଲେ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଦାସ ଏବଂ ପଣ୍ଡିତ କୃପାସିନ୍ଧୁ ମିଶ୍ର।
ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ତଥା ବୃତ୍ତିଗତବା ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଇ ୧୯୦୯ରେ ସତ୍ୟବାଦୀରେ ଆରମ୍ଭ ହେଲା ଜାତୀୟ ବନ ବିଦ୍ୟାଳୟ। ସମ୍ପୂର୍ଣ୍ଣ ଗୁରୁକୂଳ ପରମ୍ପରାରେ ଶିକ୍ଷାଦାନର ବ୍ୟବସ୍ଥା ହେଲା। ତତ୍କାଳୀନ ଭାରତ ପାଇଁ ବକୁଳ ବନ ବିଦ୍ୟାଳୟ ଥିଲା ଏକ ଅଭିନବ ପ୍ରୟୋଗଶାଳା। ପ୍ରାକୃତିକ ପରିବେଶ ଭିତରେ ସେଠାରେ ଯେଉଁ ଢାଞ୍ଚାରେ ଶିକ୍ଷାଦାନ କରାଯାଉଥିଲା ତାହା ଆଜି ବି ଆଲୋଚନାର ବିଷୟ।

ସ୍ୱାଧୀନତା ସଂଗ୍ରାମ ଲାଗି ସେତେବେଳେ ସାରା ଦେଶରେ ଏକ ବଡ଼ ଅସ୍ତ୍ର ହୋଇଥିଲା ସାମ୍ବାଦିକତା। ତେଣୁ ଏହା ସହିତସାଧାରଣ ଜନତାଙ୍କ ସ୍ୱରକୁ ଲୋକଲୋଚନକୁ ଆଣିବା ତଥା ସାମାଜିକ ସଂସ୍କାର ନିମନ୍ତେ ପ୍ରକାଶ ପାଇଲା ଦୈନିକ ଖବରକାଗଜ ‘ସମାଜ’, ଯାହାର ପ୍ରତିଷ୍ଠାତା ଥିଲେ ଉତ୍କଳମଣି ଗୋପବନ୍ଧୁ। ମାସିକ ପତ୍ରିକା ସତ୍ୟବାଦୀ ଏବଂ ସାପ୍ତାହିକ ଭାବେ ଆରମ୍ଭ ହୋଇଥିବା ଖବରକାଗଜ ‘ସମାଜ’ ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ପାଇଁ ଗୋପବନ୍ଧୁ ଦାସଙ୍କ ବଳିଷ୍ଠ ଅବଦାନ ହୋଇପାରିଛି।
ତତ୍କାଳୀନ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଗୋପବନ୍ଧୁ। ବିଶେଷ କରି ଓଡ଼ିଶାର ବନ୍ୟା, ବାତ୍ୟା ଓ ମହାମାରୀ ପ୍ରପୀଡ଼ିତ ଜନତାଙ୍କ ପାଇଁ ସେ ଥିଲେ ପ୍ରିୟ ସହୋଦର।ଏହି ଉତ୍କଳର ବରପୁତ୍ର ତଥା ମହାନ ସମାଜସେବୀଙ୍କୁ ବଙ୍ଗଳାର ପ୍ରଫୁଲ୍ଲ ଚନ୍ଦ୍ର ରାୟ ଦେଇଥିଲେ ‘ଉତ୍କଣମଣି’ ଉପାଧି ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛର ବରିଷ୍ଠ ବିନ୍ଧାଣି ଥିଲେ ଉତ୍କଳ ଗୌରବ ମଧୁସୂଦନ। ଗୋପବନ୍ଧୁ ତାଙ୍କର ସହଯୋଗୀ ଭାବେ ଯୋଡ଼ି ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ। ମହାତ୍ମା ଗାନ୍ଧୀଙ୍କୁ ଓଡ଼ିଶା ଆଣି ସ୍ୱାଧୀନତା ସଂଗ୍ରାମର ବହ୍ନିକୁ ଆହୁରି ତେଜୀୟାନ କରିଥିବା ଜନନେତା ହେଲେ ଗୋପବନ୍ଧୁ। ସେଥିପାଇଁ ତାଙ୍କୁ ଓଡ଼ିଶାର ଗାନ୍ଧୀ ବୋଲି ମଧ୍ୟ ବିବେଚନା କରାଯାଏ।
ତତ୍କାଳୀନ ସମାଜରେ ଏକ ଜାଗରଣ ଆଣିବା ସହଛୁଆଁ ଅଛୁଆଁ ଦୂରୀକରଣ, ଶିକ୍ଷାର ପ୍ରସାର, ଦୁର୍ଭିକ୍ଷ ଓ ମହାମାରୀ ସମୟରେ ପୀଡ଼ିତଙ୍କୁ ସେବା ଓ ସହାୟତା ତଥା ବିଧବା ବିବାହ ପ୍ରଥାରେ ସଂସ୍କାର ଆଣିବାରେ ତାଙ୍କର ଉଦ୍ୟମ ଥିଲା ପ୍ରଶଂସନୀୟ।
ଏଭଳି ଜଣେ ପୁଣ୍ୟାତ୍ମା, ମହାପୁରୁଷଙ୍କ ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ ସରିବନି। ନିଜର ଶରୀର ଓ ଆତ୍ମାକୁ ସେ ଦେଶବାସୀଙ୍କ ସେବାରେ ଲଗେଇବା ନିମନ୍ତେ, ସତେ ଯେମିତି ଓଡ଼ିଶା ମାଟିରେ ଜନ୍ମଗ୍ରହଣ କରିଥିଲେ।
ଗୋପବନ୍ଧୁ ଯଥାର୍ଥରେ ଲେଖିଥିଲେ:
ମନୁଷ୍ୟ ଜୀବନ ନୁହଁଇ କେବଳ ବର୍ଷମାସ ଦିନଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକାତା’ର ଜୀବନର ମାନଦଣ୍ଡ।
(ଲେଖକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ସଂସ୍କୃତି ଗବେଷକ)
Tags: #GopabandhuDas #UtkalMani #SocialService #FreedomFighter #Odisha


















