ରଶ୍ମି ରଞ୍ଜନ ମହାପାତ୍ର
ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୬ ଅବସରରେ

ଆଜି ଛୋଟବଡ଼ ପ୍ରତ୍ୟେକ ସଂସ୍ଥା ସମ୍ମୁଖରେ ଏକ ପ୍ରମୁଖ ଆହ୍ୱାନ ହେଉଛି ନିଯୁକ୍ତିଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ। ଉଚ୍ଚଶିକ୍ଷିତ ଓ ପ୍ରତିଭାଶାଳୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କାର୍ଯ୍ୟକ୍ଷେତ୍ର ପାଇଁ ଆବଶ୍ୟକ ଦକ୍ଷତା, ଉପଯୁକ୍ତ ମନୋଭାବ ଓ ବୃତ୍ତିଗତ ଦୃଷ୍ଟିଭଙ୍ଗୀର ଅଭାବ ପରିଲକ୍ଷିତ ହେଉଛି। ଦେଶରେ ଡିଗ୍ରୀଧାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ସେହି ଅନୁପାତରେ ନିଯୁକ୍ତିଯୋଗ୍ୟ ପେସାଦାରଙ୍କ ସଂଖ୍ୟା ବଢ଼ୁନାହିଁ। ଏହି କାରଣରୁ ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତିଯୋଗ୍ୟତା ମଧ୍ୟରେ ଥିବା ବ୍ୟବଧାନ ଦିନକୁ ଦିନ ବଢ଼ିଚାଲିଛି।
ପରିସଂଖ୍ୟାନ ଅନୁସାରେ, ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ବି.ଇ. ଏବଂ ବି.ଟେକ୍ ଡିଗ୍ରୀ ହାସଲ କରୁଛନ୍ତି। କିନ୍ତୁ, ବାସ୍ତବ କାର୍ଯ୍ୟକ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପ୍ରସ୍ତୁତି ଓ ବ୍ୟାବହାରିକ ପ୍ରଶିକ୍ଷଣର ଅଭାବରୁ ସେମାନେ ନିଯୁକ୍ତି କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ବିଶ୍ୱବିଦ୍ୟାଳୟରେ ବର୍ଷ ବର୍ଷ ଧରି ଅଧ୍ୟୟନ କରିଥିଲେ ମଧ୍ୟ ଅନେକ ଛାତ୍ରଛାତ୍ରୀ ଆଧୁନିକ ଶିଳ୍ପଜଗତର ଚାହିଦା ଅନୁରୂପ ବ୍ୟାବହାରିକ ଜ୍ଞାନ, କୌଶଳ ଏବଂ ସମସ୍ୟା ସମାଧାନର ଦକ୍ଷତା ବିକଶିତ କରିପାରୁ ନାହାନ୍ତି।
ଏଥିରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଥାଏ। ପ୍ରଥମତଃ ଉନ୍ନତ, ପେସାଦାର ମନୋବୃତ୍ତି ସଂପନ୍ନ କୌଶଳ ପ୍ରଶିକ୍ଷଣ ବଳରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ନିଯୁକ୍ତିଦାତାଙ୍କ ବାସ୍ତବ ଆବଶ୍ୟକତା ମଧ୍ୟରେ ରହିଆସିଥିବା ବ୍ୟବଧାନକୁ ପ୍ରକୃତରେ କ’ଣ ହ୍ରାସ କରାଯାଇପାରିବ? ଦ୍ୱିତୀୟତଃ ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ସ୍ନାତକ ଛାତ୍ରଛାତ୍ରୀମାନେ କ’ଣ ସ୍ୱେଚ୍ଛାକୃତ ଭାବେ ବୃତ୍ତିଗତ ଏବଂ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଗ୍ରହୀ ହେବେ? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବିଶ୍ଵ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ୍ ସେଣ୍ଟର ବର୍ଷ ବର୍ଷ ଧରି ନିରନ୍ତର ପ୍ରୟାସ କରିଆସୁଛି।

ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିସର ଆଜି ବେଶ୍ ଚଳଚଞ୍ଚଳ। ଅତୀତରେ କେବଳ ଡିଗ୍ରୀ ହାସଲ ହିଁ ଯଥେଷ୍ଟ ବୋଲି ଧରି ନେଇଥିବା ଇଞ୍ଜିନିୟରିଂ ଗ୍ରାଜୁଏଟମାନେ ଆଜି ୱାର୍ଲ୍ଡ ସ୍କିଲ ସେଣ୍ଟର ଅଧୀନରେ ପରିଚାଳିତ ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମରେ ଭାଗ ନେବା ଲାଗି ଆଗଭର। କାରଣ, ସେମାନେ ବୁଝିପାରିଛନ୍ତି ଯେ, ଅନେକ ସଂସ୍ଥା ପାଇଁ କେବଳ ଡିଗ୍ରୀଟିଏ ଯଥେଷ୍ଟ ନୁହେଁ।
ୱାର୍ଲ୍ଡ ସ୍କିଲ ସେଣ୍ଟର ଦ୍ୱାରା ପରିଚାଳିତ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ନେଉଥିବା ସଂଖ୍ୟାଧିକ ଯୁବପିଢ଼ିଙ୍କ ପାଇଁ ଆଜି ବଡ଼ ବଡ଼ କମ୍ପାନିର ଦ୍ୱାର ଉନ୍ମୁକ୍ତ। ସେମାନଙ୍କ ହାତପାଆନ୍ତାରେ ନିଯୁକ୍ତିର ଅବସର। କେବଳ ସଂଯୋଗବଶତଃ ନୁହେଁ, ଏହା ପଛରେ ରହିଛି ଏକ ସୁଚିନ୍ତିତ, ସୁସଂଗଠିତ ଶିକ୍ଷା ବ୍ୟବସ୍ଥା, ଯେଉଁଥିରେ ବାସ୍ତବ ଶିଳ୍ପ ଜଗତର କାର୍ଯ୍ୟପ୍ରଣାଳୀ, ମାନଦଣ୍ଡ ଏବଂ ପ୍ରତ୍ୟାଶା ପ୍ରତିଫଳିତ।
ଏହା କେବଳ ଏକ ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା ନୁହେଁ, ବରଂ ବୃତ୍ତିଗତ ଜୀବନ ଆରମ୍ଭ କରିବା ପୂର୍ବରୁ ନିହାତି ପ୍ରୟୋଜନୀୟ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ପର୍ବ।
କେବଳ ଇଞ୍ଜିନିୟରିଂ ଗ୍ରାଜୁଏଟମାନଙ୍କୁ ପ୍ରେରଣା ଓ ମନୋବଳ ପ୍ରଦାନରେ ସୀମିତ ନୁହେଁ, ବରଂ ଭବିଷ୍ୟତ ଗଢ଼ିବାର ନ୍ୟୂନତମ ସମ୍ଭାବନା ରହିଥିବା ଉଚ୍ଚଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଶିକ୍ଷାପ୍ରାପ୍ତ ସାଧାରଣ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏହା ସୁଯୋଗ ଦେଇଥାଏ।
ଉଚ୍ଚଶିକ୍ଷା କ୍ଷେତ୍ରରେ କଳା, ବିଜ୍ଞାନ ଓ ବାଣିଜ୍ୟର ଅଧିସ୍ନାତକ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଲକ୍ଷ୍ୟ ହାସଲ ଏତେ ସହଜ ନୁହେଁ। କଲେଜ ଜୀବନରେ ନିଯୁକ୍ତି ସମ୍ଭାବନା ସଂପର୍କିତ ଆଲୋଚନା ଖୁବ୍ କମ୍। ମାର୍ଗଦର୍ଶନ ବିରଳ। ଶିଳ୍ପ କ୍ଷେତ୍ରରେ ଅଭିଜ୍ଞତା ହାସଲର ସୁଯୋଗ ନଥାଏ। ଆଗକୁ କ’ଣ କରିବେ ବୋଲି ପ୍ରଶ୍ନବାଚୀ ଲାଗି ରହିଥାଏ। ତେଣୁ ରମାଦେବୀ ବିଶ୍ୱବିଦ୍ୟାଳୟ ସହଯୋଗରେ ଛାତ୍ରୀମାନଙ୍କ ପାଇଁ ଏକ ନୂତନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।
ପ୍ରଥମ ବ୍ୟାଚରେ ଜାତୀୟ ଶିକ୍ଷା ନୀତିରେ ଉଲ୍ଲିଖିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିମନ୍ତେ ୨୮ ଜଣ ଛାତ୍ରୀ ଯୋଗ ଦେଇଥିଲେ। ସେମାନେ ସାଂପ୍ରତିକ କର୍ପୋରେଟ ଜଗତର ପେସାଦାର ପରିବେଶରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ପ୍ରଶିକ୍ଷଣ ନେଇଥିଲେ।
ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ଅଟୋମେସନ ସିଷ୍ଟମ୍, ଡିଜିଟାଲ ଡିଜାଇନ ପ୍ଲାଟଫର୍ମ, ସ୍ମାର୍ଟ ମାନୁଫାକ୍ଚରିଂ ସନ୍ନିହିତ ପରିବେଶ ଏବଂ ଚାକିରି ଜୀବନର ପ୍ରାରମ୍ଭିକ ଅନୁଭୂତି ସଂପନ୍ନ ଏକ ସୁବ୍ୟବସ୍ଥିତ ପେସାଦାର ସଂସ୍କୃତି ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲେ। ବୈଷୟିକ ଫାଇଦା ତୁଳନାରେ ସେମାନଙ୍କର ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ଅଧିକ ପରିମାର୍ଜିତ ହୋଇଥିଲା। ବୃତ୍ତିଗତ ପରିଚୟକୁ ନେଇ ସଂଶୟରେ ଥିବା ଛାତ୍ରୀମାନେ କେବଳ ଗୋଟିଏ ଦକ୍ଷତା ନୁହେଁ, ଅନେକ ଅଭିଜ୍ଞତା ଓ ନୂତନ ଅନୁଭୂତି ନେଇ ଫେରିଥିଲେ ।
ପାରମ୍ପରିକ ଉଚ୍ଚ ଶିକ୍ଷା ହାସଲ ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ରହି ଆସିଥିବା ଧାରଣାକୁ ସଂପୂର୍ଣ୍ଣ ବାସ୍ତବବାଦୀ ଢଙ୍ଗରେ ବଦଳାଇବାରେ ଏହି ଯୁବତୀମାନେ ସକ୍ଷମ ହୋଇଥିଲେ। ୱାର୍ଲ୍ଡ ସ୍କିଲ ସେଣ୍ଟର ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା ।
ଉଭୟ ୱାର୍ଲ୍ଡ ସ୍କିଲ ସେଣ୍ଟର ଓ ରମାଦେବୀ ବିଶ୍ୱବିଦ୍ୟାଳୟ ମିଳିତ ଭାବରେ ଏକ ଅଭିନବ ପରିକଳ୍ପନାର ସାଫଲ୍ୟ ପ୍ରମାଣିତ କରିବା ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନ ଗଠନ ଦିଗରେ ଅଙ୍ଗୀକାରବଦ୍ଧତାର ବାସ୍ତବ ରୂପାୟନ କରିଥିଲେ ।
ମୂଳରୂପରେ ଏହା ଏକ ସରଳ ମଡେଲ। ଜାତୀୟ ଶିକ୍ଷା ନୀତିର ପ୍ରଶିକ୍ଷଣ ଆବଶ୍ୟକତା ପରିସରଭୁକ୍ତ। କେବଳ ଔପଚାରିକ ଢଙ୍ଗରେ ନୁହେଁ, ବରଂ ବାସ୍ତବ ଜଗତରେ ଦକ୍ଷତା ବିକାଶ ନିମନ୍ତେ ଉଦ୍ଦିଷ୍ଟ। ସେହି ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ସଂପନ୍ନ କୌଣସି ଅନୁଷ୍ଠାନ ସହିତ ଭାଗିଦାରିତା ବଳରେ ପାରମ୍ପରିକ ଶିକ୍ଷାଲାଭ ବ୍ୟବସ୍ଥାରୁ ଆଗକୁ ଯିବାର ସୁଯୋଗ ଲୋଡୁଥିବା ଛାତ୍ରଛାତ୍ରୀଙ୍କ ଆସ୍ଥାଭାଜନ ହେବା ଏହାର ଲକ୍ଷ୍ୟ।
ୱାର୍ଲ୍ଡ ସ୍କିଲ ସେଣ୍ଟର କେବଳ ଦକ୍ଷତା ବିକାଶ କରାଏ ନାହିଁ, ତା’ ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଅନିଶ୍ଚିତ ମନୋଭାବ ନେଇ ଆସୁଥିବା ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଗମ୍ଭୀରତାର ସହ ବିଚାରକୁ ନେଇ ଏକ ବୃତ୍ତିଗତ ପରିଚୟ ପ୍ରଦାନ ଦିଗରେ ଆବଶ୍ୟକ ବୈଷୟିକ ଭିତ୍ତିଭୂମି ଯୋଗାଇ ଦେଇଥାଏ।
ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପ୍ରକୃତ ଭାଗିଦାର ରୂପେ ଗ୍ରହଣ କରିବା ସହିତ ଜାତୀୟ ନୀତି ଅନୁକରଣରେ କାର୍ଯ୍ୟ ସଂପାଦନ ଏବଂ ଆଧୁନିକ ଶିଳ୍ପ ଜଗତର ବାସ୍ତବ ଚାହିଦାକୁ ଆଖିରେ ରଖି ଶିକ୍ଷାଦାନ ପରିବେଶ ସୃଷ୍ଟି କରିଥାଏ ୱାର୍ଲ୍ଡ ସ୍କିଲ ସେଣ୍ଟର।
ଏଠାରୁ ପ୍ରଶିକ୍ଷିତ ଗ୍ରାଜୁଏଟମାନେ କେବଳ ଚାକିରିରେ ଯୋଗ ଦିଅନ୍ତି ନାହିଁ, ବରଂ ସେମାନଙ୍କ ସାଙ୍ଗରେ ଥାଏ ଆତ୍ମବିଶ୍ୱାସ, ସାମର୍ଥ୍ୟ ଓ ଏକ ବ୍ୟାବହାରିକ ଭିତ୍ତି ଉପରେ ଗଠିତ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ସୁଦୃଢ଼ ମନୋବଳ। ତାହା ହିଁ ଯୋଗ୍ୟତାର ପ୍ରକୃତ ମାପଦଣ୍ଡ। ଏହା ଗଢ଼ିବାରେ ଲାଗିଛି ୱାର୍ଲ୍ଡ ସ୍କିଲ ସେଣ୍ଟର।
(ଲେଖକ ହେଉଛନ୍ତି ୱାର୍ଲ୍ଡ ସ୍କିଲ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ)
Tags: #WorldSkillCenter #SkillDevelopment #Employability #HigherEducation #Odisha








