ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବେଶ୍ ଧୂମଧାମରେ ଆୟୋଜିତ ହୋଇଯାଇଛି। ମାନାମାସ୍ଥିତ ୨୦୦ ବର୍ଷ ପୁରୁଣା ପ୍ରତିଷ୍ଠିତ ଶ୍ରୀନାଥଜୀ ମନ୍ଦିରରେ ଏହି ରଥଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥିଲା। ବାହାରିନ ଓଡ଼ିଆ ସମାଜ ଓ ଇସ୍କନର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା।
ଏହି ଉତ୍ସବରେ ଶ୍ରୀକ୍ଷେତ୍ର ପୁରୀର ରୀତିନୀତି ଅନୁଯାୟୀ ସବୁ ବିଧି ବିଧାନର ସହିତ ଶ୍ରୀଜୀଉମାନଙ୍କ ପହଣ୍ଡିବିଜେ, ରଥପ୍ରତିଷ୍ଠା, ଛେରାପହଁରା ହୋଇ ରଥଟଣା ଆରମ୍ଭ ହୋଇଥିଲା। ବାହାରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ ରଥରେ ‘ଛେରା ପହଁରା’ ସେବା ସମ୍ପନ୍ନ କରିଥିଲେ। ଏହାସହିତ ସମାଜର ଅନ୍ୟ ସଦସ୍ୟମାନେ ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ।
ରଥଯାତ୍ରା ଅବସରରେ ସମ୍ପୂର୍ଣ୍ଣ ମାନାମା ସହର ଭାବପୂର୍ଣ୍ଣ ସଂକୀର୍ତ୍ତନ, ପବିତ୍ର ଜପ ଏବଂ ବୈଦିକ ମନ୍ତ୍ରରେ ପ୍ରକମ୍ପିତ ହୋଇଉଠିଥିଲା। ଓଡ଼ିଶୀ ନୃତ୍ୟ ଏବଂ ଭକ୍ତି ସଙ୍ଗୀତର ପରିବେଷଣ ଏହି ଉତ୍ସବକୁ ପୁରୀର ଚଳଚଞ୍ଚଳ ବଡ଼ଦାଣ୍ଡ ସ୍ଵରୂପ ପରିଣତ କରିଥିଲା। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଏବଂ ମିସାଇଲ୍ ଆକ୍ରମଣର ଭୟାବହ ପରିବେଶ ମଧ୍ୟରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟାଣିବା ପାଇଁ ପ୍ରାୟ ୮,୦୦୦ ଭକ୍ତଙ୍କ ଏକ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା।

“ବିଗତ ୩୦ ବର୍ଷ ଧରି ବାହାରିନ ଓଡ଼ିଆ ସମାଜ ଏବଂ ଇସ୍କନ ବାହାରିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମ ଓ ଶାନ୍ତିର ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ ଏକାଠି କାର୍ଯ୍ୟ କରିଆସୁଛି। ଶ୍ରୀଜଗନ୍ନାଥଙ୍କ ଚେତନା ଓ ଦର୍ଶନକୁ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର କରିବା ଲାଗି ଏହା ଏକ କ୍ଷୁଦ୍ର ପ୍ରୟାସ। ଏଥିରେ ସବୁ ଓଡ଼ିଆଙ୍କ ଯୋଗଦାନ ପାଇଁ ମୁଁ ଗର୍ବିତ”, କହିଛନ୍ତି ଡକ୍ଟର ଅରୁଣ କୁମାର ପ୍ରହରାଜ।
ଏହି ଅବସରରେ ଇସ୍କନ ବାହାରିନ ପକ୍ଷରୁ ବିଶ୍ୱବ୍ୟାପୀ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରାଯାଇଛି। ସାରା ବିଶ୍ୱରେ ଥିବା ସମସ୍ତ ଇସ୍କନ ମନ୍ଦିରଗୁଡ଼ିକ ପୁରୀ ଶ୍ରୀମନ୍ଦିର ପ୍ରଶାସନର ରୀତିନୀତିକୁ ସମ୍ମାନ ଜଣାଇ ନିର୍ଦ୍ଧାରିତ ସଠିକ୍ ତିଥିରେ ହିଁ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବାକୁ ଆହ୍ୱାନ ଦିଆଯାଇଛି।
ଏହି ରଥଯାତ୍ରାରେ ‘କିଙ୍ଗ୍ ହମାଦ ଗ୍ଲୋବାଲ୍ ସେଣ୍ଟର ଫର୍ ପିସଫୁଲ୍ କୋଏକ୍ସିଷ୍ଟେନ୍ସ’ର ବରିଷ୍ଠ ଅଧିକାରୀ, ‘ବାହାରିନ୍ ଫର୍ ଅଲ୍’ ପଦକ୍ଷେପର ଅଧିକାରୀ, ଭାରତୀୟ ଦୂତାବାସର ଶୀର୍ଷ କୂଟନୀତିଜ୍ଞ ଏବଂ ନେପାଳର ରାଷ୍ଟ୍ରଦୂତଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
Tags: #RathaJatra2026 #SrinathjiTemple #BahrainOdiaSamaj #Bahrain

















