ଓଡ଼ିଶାଲାଇଭ୍ ବ୍ୟୁରୋ

ପାରମ୍ପରିକ କଳା ସଂରକ୍ଷଣ ଓ ଆଧୁନିକ ଡିଜିଟାଲ ରେଷ୍ଟୋରେସନ, ଯାହା ଓଡ଼ିଶାର ଐତିହ୍ୟ ଓ ଇତିହାସକୁ ଦେଉଛି ନୂଆ ଜୀବନ।
ଗୋଟିଏ ପୁରୁଣା ଫଟୋ କେବଳ ଏକ ସ୍ମୃତି ନୁହେଁ। ସେଥିରେ ଲୁଚି ରହିଥାଏ ଇତିହାସର ଅମୂଲ୍ୟ ଅଧ୍ୟାୟ। ପୁରୁଣା ଚିଠି, ପାଣ୍ଡୁଲିପି, ଦସ୍ତାବିଜ କିମ୍ବା ଚିତ୍ର କେବଳ କାଗଜରେ ଲେଖା କିଛି ଅକ୍ଷର ନୁହେଁ, ବରଂ ଗୋଟିଏ ଜାତିର ସ୍ମୃତି, ସଂସ୍କୃତି ଓ ପରମ୍ପରାର ଅମୂଲ୍ୟ ସମ୍ପଦ। ସେହି ସମ୍ପଦକୁ ସଂରକ୍ଷଣ କରି ଆଗାମୀ ପିଢ଼ି ପାଇଁ ସାଇତି ରଖିବାରେ ଗତ ପ୍ରାୟ ପଚିଶ ବର୍ଷ ଧରି ନିରବରେ କାମ କରିଆସୁଛନ୍ତି ଚିତ୍ରଶିଳ୍ପୀ ବିଶ୍ୱାଳ ସୁଧାକର।
ଚିତ୍ରକଳା ତାଙ୍କର ବୃତ୍ତି ହୋଇଥିଲେ ମଧ୍ୟ କେବଳ କ୍ୟାନଭାସରେ ଚିତ୍ର ଆଙ୍କିବାରେ ସେ ନିଜକୁ ସୀମିତ ରଖିନାହାନ୍ତି। କଳାକୁ ସେ ଐତିହ୍ୟ ସଂରକ୍ଷଣର ଏକ ପ୍ରଭାବଶାଳୀ ମାଧ୍ୟମରେ ପରିଣତ କରିଛନ୍ତି। ପୁରୁଣା ଫଟୋଗ୍ରାଫ୍, ଚିଠିପତ୍ର, ପାଣ୍ଡୁଲିପି, ଦଲିଲ ଓ ଐତିହାସିକ ସାମଗ୍ରୀର ଡିଜିଟାଲ ରେଷ୍ଟୋରେସନ ଓ ସଂରକ୍ଷଣ କ୍ଷେତ୍ରରେ ତାଙ୍କ ଅବଦାନ ଆଜି ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି।
ଏହି କାର୍ଯ୍ୟଯାତ୍ରାର ମୂଳ କେନ୍ଦ୍ରବିନ୍ଦୁ ରହିଛି ଇନଟାକ୍ (ଇଣ୍ଡିଆନ ନାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍ଚରାଲ୍ ହେରିଟେଜ୍)ର ଓଡ଼ିଶା କଳା ସଂରକ୍ଷଣ କେନ୍ଦ୍ର। ୨୦୦୧ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ସେ ଡକ୍ଟର ଓ. ପି. ଅଗ୍ରୱାଲ, ଅନୁପମ ଶାହ, ଅନନ୍ତ ମହାପାତ୍ର, ଅମୀୟ ଭୂଷଣ ତ୍ରିପାଠୀ ଓ ମଲ୍ଲିକା ମିତ୍ରଙ୍କ ପରି ଐତିହ୍ୟ ସଂରକ୍ଷଣ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ। ସେମାନଙ୍କ ଦିଗ୍ଦର୍ଶନରେ ବହୁ ଐତିହାସିକ ଫଟୋଚିତ୍ର, ଚିଠିପତ୍ର ଓ ଦସ୍ତାବିଜର ପୁନଃସଂରକ୍ଷଣ ଓ ଡିଜିଟାଲ ପୁନରୁଦ୍ଧାର କାର୍ଯ୍ୟରେ ନିଜର ଦକ୍ଷତାର ପରିଚୟ ଦେଇଛନ୍ତି ବିଶ୍ୱାଳ ସୁଧାକର।
ତାଙ୍କ କାର୍ଯ୍ୟଜୀବନର ସବୁଠାରୁ ସ୍ମରଣୀୟ ଅଧ୍ୟାୟ ହେଉଛି ଓଡ଼ିଶା ଓ ଭାରତର ଚାରିଜଣ ମହାନ ବ୍ୟକ୍ତିତ୍ୱଙ୍କ ସ୍ମୃତିଚିହ୍ନ ସଂରକ୍ଷଣ। ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସାରସ୍ୱତ ସାଧକ ମନୋଜ ଦାସ ଓ ଐତିହାସିକ ମନ୍ମଥନାଥ ଦାସଙ୍କ ପୁରୁଣା ଫଟୋ, ଚିଠି, ପାଣ୍ଡୁଲିପି, ସାର୍ଟିଫିକେଟ ଓ ଐତିହାସିକ ଦସ୍ତାବିଜର ସଂରକ୍ଷଣ ଦାୟିତ୍ୱ ତାଙ୍କ କଳାଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
ଏହି କାର୍ଯ୍ୟ ସମୟରେ କେବଳ ପୁରୁଣା ଦସ୍ତାବିଜ ସଂରକ୍ଷଣ ହୋଇନଥିଲା, ବରଂ ଏହି ମହାପୁରୁଷମାନଙ୍କ ସହ ଜଡ଼ିତ ଅନେକ ଅଜଣା ଫଟୋ, ଚିଠି ଓ ତଥ୍ୟ ମଧ୍ୟ ଲୋକଲୋଚନକୁ ଆସିଥିଲା। ବିଭିନ୍ନ ସ୍ଥାନରୁ ସଂଗୃହୀତ ଏହି ଉପାଦାନ ଐତିହ୍ୟ ସଂରକ୍ଷଣ କାର୍ଯ୍ୟକୁ ଆହୁରି ସମୃଦ୍ଧ କରିଥିଲା।

ଡିଜିଟାଲ ରେଷ୍ଟୋରେସନର ଅଗ୍ରଦୂତ
୨୦୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କିଛି ପୁରୁଣା ଫଟୋରେ ପରୀକ୍ଷାମୂଳକ ଭାବେ କରାଯାଇଥିବା ଡିଜିଟାଲ ରେଷ୍ଟୋରେସନ କାର୍ଯ୍ୟ ‘ଇନଟାକ୍’ର ତତ୍କାଳୀନ ମହାନିର୍ଦ୍ଦେଶକ ଡକ୍ଟର ଓ. ପି. ଅଗ୍ରୱାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ଐତିହ୍ୟ ସଂରକ୍ଷଣ ପ୍ରକଳ୍ପଗୁଡ଼ିକରେ ଡିଜିଟାଲ ରେଷ୍ଟୋରେସନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଭାବେ ସ୍ଥାନ ପାଇଥିଲା। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଯୁଗ ଆସିବାର ବହୁ ବର୍ଷ ପୂର୍ବରୁ ଓଡ଼ିଶାରେ କଳାତ୍ମକ ସୃଜନଶୀଳତା ଆଧାରିତ ଡିଜିଟାଲ ରେଷ୍ଟୋରେସନର ଏହି ଧାରା ଆରମ୍ଭ ହୋଇଥିଲା।
୨୫ ବର୍ଷର ଉଲ୍ଲେଖନୀୟ ଅବଦାନ
ଗତ ପଚିଶ ବର୍ଷ ମଧ୍ୟରେ ବିଶ୍ୱାଳ ସୁଧାକରଙ୍କ କାର୍ଯ୍ୟ ପରିଧି କେବଳ ‘ଇନଟାକ୍’ ମଧ୍ୟରେ ସୀମିତ ରହିନାହିଁ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଅଭିଲେଖାଗାର, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ, ବେଲୁର ମଠ, ରଘୁରାଜପୁର ମୁରାଲ ରିଭାଇଭାଲ ପ୍ରକଳ୍ପ, ହୁକିଟୋଲା, ବିନ୍ଦୁସାଗର ହେରିଟେଜ ପ୍ରକଳ୍ପ, ଗାନ୍ଧୀ ଗ୍ୟାଲେରୀ, ହୀରାକୁଦ ବନ୍ଧର ପ୍ରାଚୀନ ଫଟୋ ସଂରକ୍ଷଣ, ତାଳପତ୍ର ପୋଥି ସଂରକ୍ଷଣ, ହେରିଟେଜ ଟ୍ରେଲ ମ୍ୟାପ୍, କଫି ଟେବୁଲ ବୁକ୍, ପ୍ରଦର୍ଶନୀ ପ୍ୟାନେଲ, ସୂଚନା ପୁସ୍ତିକା ଓ ବହୁ ଡିଜିଟାଲ ଡକ୍ୟୁମେଣ୍ଟେସନ ପ୍ରକଳ୍ପରେ ତାଙ୍କ ସୃଜନଶୀଳ ଅବଦାନ ରହିଛି।
ଆଜି କଟକ, ପୁରୀ ଓ ବାଲେଶ୍ୱରର ବିଭିନ୍ନ ସ୍ମାରକୀ ଭବନ ଓ ସଂଗ୍ରହାଳୟରେ ସଂରକ୍ଷିତ ଅନେକ ଡିଜିଟାଲ କୃତି ବିଶ୍ୱାଳ ସୁଧାକରଙ୍କ ଦୀର୍ଘ ସାଧନାର ସାକ୍ଷୀ ହୋଇ ରହିଛି।
ଐତିହ୍ୟକୁ କେବଳ ସଂରକ୍ଷଣ କରିବା ନୁହେଁ, ବରଂ ତାହାକୁ ଆଗାମୀ ପିଢ଼ି ପାଇଁ ଜୀବନ୍ତ କରି ରଖିବା ହେଉଛି ବିଶ୍ୱାଳ ସୁଧାକରଙ୍କ କଳାଯାତ୍ରାର ମୂଳ ଲକ୍ଷ୍ୟ। ପଚିଶ ବର୍ଷର ଏହି ନିରବ ସାଧନା ଓଡ଼ିଶାର ଐତିହ୍ୟ ସଂରକ୍ଷଣ ଇତିହାସରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ଭାବେ ସ୍ଥାନ ପାଇଛି।
Tags: #HeritageConservation #DigitalRestoration #OdishaHeritage #OdishaHistory #INTACH














