ଓଡ଼ିଶାଲାଇଭ୍ ବ୍ୟୁରୋ

କର୍କଟ ରୋଗୀର ଆକ୍ରାନ୍ତ ହୋଇ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ସେବା ଯୋଗାଇଦେଉଛି ଭୁବନେଶ୍ଵର ଇନ୍‌ଫୋଭ୍ୟାଲିରେ ଥିବା ‘ବାଗ୍‌ଚୀ କରୁଣାଶ୍ରୟ’।    

କର୍କଟ ରୋଗ କେବଳ ଶରୀରକୁ ନୁହେଁ, ରୋଗୀ ଓ ତାଙ୍କ ପରିବାରର ମାନସିକ ଦୃଢ଼ତାକୁ ମଧ୍ୟ ପରୀକ୍ଷା କରିଥାଏ। ବିଶେଷକରି ରୋଗ ଯେତେବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚେ, ସେତେବେଳେ ଉପଯୁକ୍ତ ଚିକିତ୍ସା ସହିତ ସ୍ନେହ, ସହାନୁଭୂତି ଓ ସମ୍ମାନର ଆବଶ୍ୟକତା ଅଧିକ ଅନୁଭୂତ ହୁଏ। ଏହି ମାନବିକ ଆଭିମୁଖ୍ୟକୁ କେନ୍ଦ୍ର କରି ଭୁବନେଶ୍ୱରର ଇନ୍‌ଫୋଭ୍ୟାଲିରେ ଗଢ଼ିଉଠିଛି ‘ବାଗ୍‌ଚୀ କରୁଣାଶ୍ରୟ’ ପାଲିଏଟିଭ୍ କେୟାର ସେଣ୍ଟର, ଯାହା ଆଜି କର୍କଟ ରୋଗୀଙ୍କ ପାଇଁ କରୁଣା ଓ ଆଶାର ଏକ ନୂଆ ଠିକଣା ପାଲଟିଛି।

୧୧୦ ଶଯ୍ୟା ବିଶିଷ୍ଟ ଏହି ପାଲିଏଟିଭ୍ କେୟାର ସେଣ୍ଟରର ମୂଳ ଉଦ୍ଦେଶ୍ୟ କର୍କଟ ରୋଗୀଙ୍କ ଜୀବନକୁ ଯନ୍ତ୍ରଣାମୁକ୍ତ କରି ଉପଯୁକ୍ତ ସେବା ଯୋଗାଇବା। ଏଠାରେ କେବଳ ଚିକିତ୍ସା ନୁହେଁ, ବରଂ ରୋଗୀଙ୍କ ଶାରୀରିକ ଯନ୍ତ୍ରଣା ଲାଘବ ସହ ମାନସିକ, ସାମାଜିକ ଓ ଭାବନାତ୍ମକ ସହଯୋଗ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ।

ବାଗ୍‌ଚୀ କରୁଣାଶ୍ରୟର ବିଶେଷତ୍ୱ ହେଉଛି ଏହାର ସେବାର ପଦ୍ଧତି। ଏଠାରେ ଡାକ୍ତର, ନର୍ସ ଓ ସ୍ୱେଚ୍ଛାସେବୀଙ୍କ ଏକ ସମର୍ପିତ ଦଳ ରୋଗୀଙ୍କୁ ନିଜ ପରିବାର ସଦସ୍ୟଙ୍କ ଭଳି ଯତ୍ନ ନିଅନ୍ତି। ଚିକିତ୍ସା ସହ ସ୍ନେହ, ମମତା, ଆତ୍ମୀୟ ବ୍ୟବହାର ଓ ସୁନ୍ଦର ପରିବେଶ ରୋଗୀଙ୍କ ମନରେ ନୂଆ ଆଶା ସଂଚାର କରିଥାଏ। ପରିବାର ସଦସ୍ୟଙ୍କୁ ମଧ୍ୟ କାଉନ୍‌ସେଲିଂ ମାଧ୍ୟମରେ ମାନସିକ ସହଯୋଗ ପ୍ରଦାନ କରାଯାଏ।

ପାଲିଏଟିଭ୍ କେୟାରର ଅର୍ଥ କେବଳ ଜୀବନର ଅନ୍ତିମ ମୁହୂର୍ତ୍ତରେ ସେବା ନୁହେଁ। ବରଂ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଜୀବନମାନକୁ ସୁଧାରିବା, ଯନ୍ତ୍ରଣାକୁ ନିୟନ୍ତ୍ରଣ କରିବା ଏବଂ ପ୍ରତ୍ୟେକ ଦିନକୁ ଅଧିକ ଅର୍ଥପୂର୍ଣ୍ଣ କରିବା ହେଉଛି ଏହାର ପ୍ରକୃତ ଉଦ୍ଦେଶ୍ୟ। ସେହି ଲକ୍ଷ୍ୟକୁ ସାମ୍ନାରେ ରଖି ବାଗ୍‌ଚୀ କରୁଣାଶ୍ରୟ ରୋଗୀଙ୍କ ପାଇଁ ଏକ ଘରୋଇ ଓ ଆତ୍ମୀୟ ପରିବେଶ ସୃଷ୍ଟି କରିଛି।

କର୍କଟ ରୋଗୀଙ୍କ ପାଇଁ ପାଲିଏଟିଭ୍ କେୟାର ସେବା, ଭର୍ତ୍ତି ସମ୍ପର୍କିତ ସୂଚନା କିମ୍ବା ପରାମର୍ଶ ପାଇଁ ବାଗ୍‌ଚୀ କରୁଣାଶ୍ରୟ ସହ ଯୋଗାଯୋଗ କରିପାରିବେ।

ରୋଗୀଙ୍କ ପଚରାଉଚରା: ୦୬୭୪-୬୮୨୯୧୦୦, ୯୯୩୮୨୦୭୧୧୧,  ୭୦୦୮୩୮୪୬୨୧

ଦାନ ଓ ସ୍ୱେଚ୍ଛାସେବୀ ସହଯୋଗ: ୮୯୧୭୨୪୪୩୮୯

ଆପଣମାନେ ଏହି ଭିଡିଓ ଦେଖି ପାଲିଏଟିଭ୍ କେୟାର ସମ୍ପର୍କରେ ଜାଣନ୍ତୁ। ଏହି ସେବାର ବାର୍ତ୍ତାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଭିଡିଓ ଓ ଏହି ଲେଖାକୁ ନିଜ ପରିବାର, ବନ୍ଧୁ ଓ ପରିଚିତଙ୍କ ସହ ସେୟାର କରନ୍ତୁ।  

Tags: #BagchiKarunashrayaPalliativeCareCentre #CancerCare #Bhubaneswar #Odisha

Comment