ସତୀଶ ଶର୍ମା

ଫୁଟବଲ ବିଶ୍ୱକପର ଉତ୍ସାହ ଶେଷ ହେବା ପରେ ବର୍ତ୍ତମାନ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ନଜର ଗ୍ଲାସଗୋ କମନୱେଲଥ୍ ଗେମ୍ସ ବା ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ୨୦୨୬ ଉପରେ ରହିଛି। ଅଲିମ୍ପିକ ପରେ ବିଶ୍ୱର ସବୁଠାରୁ ବଡ଼ ବହୁକ୍ରୀଡ଼ା ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ ୨୩ତମ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ଗୁରୁବାରଠାରୁ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଆରମ୍ଭ ହୋଇଛି। ଅଗଷ୍ଟ ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ାରେ ୭୪ଟି ରାଷ୍ଟ୍ରମଣ୍ଡଳ ଦେଶର ୩,୦୦୦ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ୧୯୯୪ ପରଠାରୁ ଏହା ସବୁଠାରୁ କ୍ଷୁଦ୍ର ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ହେବ। ବ୍ରିଟେନର ରାଜା ଚାର୍ଲସ ତୃତୀୟ ଏବଂ ରାଣୀ କାମିଲା ଗ୍ଲାସଗୋର ଓଭିଓ ହାଇଡ୍ରୋ ଷ୍ଟାଡିୟମରେ ଏହାର ଉଦ୍ଘାଟନ କରିଛନ୍ତି।

ବଜେଟ୍ ହ୍ରାସ କାରଣରୁ ଏଥର ପ୍ରତିଯୋଗିତାର ପରିସର ପୂର୍ବ ତୁଳନାରେ ବହୁତ ଛୋଟ ରହିଛି। ୧୯ଟି ଖେଳ ପରିବର୍ତ୍ତେ କେବଳ ୧୦ଟି ଖେଳକୁ ସାମିଲ କରାଯାଇଛି, ଯାହାଫଳରେ ଭାରତ ସମେତ ଅନେକ ଦେଶର ପଦକ ସମ୍ଭାବନା ପ୍ରଭାବିତ ହେବାର ଆଶଙ୍କା ରହିଛି।

୯୬ ବର୍ଷର ଗୌରବମୟ ଇତିହାସ

ରାଷ୍ଟ୍ରମଣ୍ଡଳ କ୍ରୀଡ଼ାର ଆରମ୍ଭ ୧୯୩୦ ମସିହାରେ କାନାଡାର ହାମିଲଟନ ସହରରେ ‘ବ୍ରିଟିଶ ଏମ୍ପାୟାର ଗେମ୍ସ’ ନାମରେ ହୋଇଥିଲା। ପ୍ରଥମ ସଂସ୍କରଣରେ ୧୧ଟି ଦେଶର ପ୍ରାୟ ୪୦୦ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ସମୟ ସହିତ ଏହାର ନାମ ମଧ୍ୟ ପରିବର୍ତ୍ତନ ହୋଇଥିଲା। ୧୯୫୦ରେ ‘ବ୍ରିଟିଶ ଏମ୍ପାୟାର ଆଣ୍ଡ କମନୱେଲଥ୍ ଗେମ୍ସ’, ୧୯୬୬ରେ ‘ବ୍ରିଟିଶ କମନୱେଲଥ୍ ଗେମ୍ସ’ ଏବଂ ୧୯୭୮ରୁ ଆନୁଷ୍ଠାନିକ ଭାବେ ‘କମନୱେଲଥ୍ ଗେମ୍ସ’ ନାମ ଦିଆଯାଇଥିଲା। ସୌହାର୍ଦ୍ଦ ଓ କ୍ରୀଡ଼ାଭାବନା ପାଇଁ ଏହାକୁ ‘ଫ୍ରେଣ୍ଡଲି ଗେମ୍ସ’ ବୋଲି ମଧ୍ୟ କୁହାଯାଏ।

ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ୧୯୪୨ ଓ ୧୯୪୬ରେ ଏହି କ୍ରୀଡ଼ା ଆୟୋଜିତ ହୋଇପାରି ନଥିଲା। ୨୦୦୨ରୁ ପାରା କ୍ରୀଡ଼ାବିତମାନଙ୍କୁ ମୁଖ୍ୟ ପ୍ରତିଯୋଗିତାରେ ସମାନ ଗୁରୁତ୍ୱ ଦିଆଯାଇଥିଲା ଏବଂ ୨୦୧୮ରେ ଏହା ପୁରୁଷ ଓ ମହିଳାଙ୍କ ପାଇଁ ସମାନ ପଦକ ଇଭେଣ୍ଟ ଥିବା ପ୍ରଥମ ବିଶ୍ୱସ୍ତରୀୟ ବହୁକ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା।

ଦ୍ଵିତୀୟଥର ପାଇଁ ଗ୍ଲାସଗୋରେ ପ୍ରତିଯୋଗିତା

୨୦୧୪ ପରେ ଗ୍ଲାସଗୋ ଦ୍ଵିତୀୟଥର ପାଇଁ ‘କମନୱେଲଥ୍ ଗେମ୍ସ’ର ଆୟୋଜନ କରୁଛି। ୨୦୨୬ରେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟ ଏହି କ୍ରୀଡ଼ାର ଆୟୋଜନ କରିବାକୁ ଥିଲା। କିନ୍ତୁ ଆୟୋଜନ ଖର୍ଚ୍ଚ ୨.୬ ବିଲିୟନରୁ ବୃଦ୍ଧି ପାଇ ୭ ବିଲିୟନ ଅଷ୍ଟ୍ରେଲିୟ ଡଲାର ରେ ପହଞ୍ଚିବାପରେ ୧୮ ଜୁଲାଇ ୨୦୨୩ରେ ଭିକ୍ଟୋରିଆ ସରକାର ପ୍ରତିଯୋଗିତା ଆୟୋଜନରୁ ଓହରି ଯାଇଥିଲେ। ପରେ ମାର୍ଚ୍ଚ ୨୦୨୪ରେ କମନୱେଲଥ୍ ଗେମ୍ସ ଫେଡେରେସନ ମାଲେସିଆକୁ ୧୦୦ ମିଲିୟନ ୟୁରୋର ପ୍ରସ୍ତାବ ଦେଇଥିଲେ ମଧ୍ୟ ମାଲେସିଆ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଶେଷରେ ଏପ୍ରିଲ ୨୦୨୪ରେ ଗ୍ଲାସଗୋ କମ୍ ବଜେଟ୍ ଏବଂ ସୀମିତ ଖେଳ ସହିତ ଆୟୋଜନର ଦାୟିତ୍ୱ ନେଇଥିଲା। ଗ୍ଲାସଗୋରେ ୨୦୧୪ରେ ନିର୍ମିତ କ୍ରୀଡ଼ା ଭିତ୍ତିଭୂମିର ପୁନଃ ବ୍ୟବହାର କରାଯାଉଛି। ସମସ୍ତ ପ୍ରତିଯୋଗିତା ଗ୍ଲାସଗୋ ସହରର ଚାରିଟି ପ୍ରମୁଖ ସ୍ଥାନରେ ପ୍ରାୟ ୧୨.୮ କି.ମି. ପରିସର ମଧ୍ୟରେ ଅନୁଷ୍ଠିତ ହେବ।

୧୦ଟି ଖେଳରେ ୨୧୫ ସ୍ୱର୍ଣ୍ଣ ପଦକ

ଏଥର ‘କମନୱେଲଥ୍ ଗେମ୍ସ’ରେ ୧୦ଟି ଖେଳରେ ମୋଟ ୨୧୫ଟି ସ୍ୱର୍ଣ୍ଣ ପଦକ ରହିଛି। ଏଥିରେ ଆଥଲେଟିକ୍ସ, ସନ୍ତରଣ, ଟ୍ରାକ୍ ସାଇକ୍ଲିଂ, ବକ୍ସିଂ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ଜୁଡୋ, ଇନଡୋର ବୋଲ୍ସ, ନେଟବଲ୍, ଭାରୋତ୍ତୋଳନ ଓ ୩×୩ ବାସ୍କେଟବଲ୍ ସାମିଲ ଅଛି। ପାରା ବର୍ଗରେ ପାରା ଆଥଲେଟିକ୍ସ, ପାରା ସନ୍ତରଣ, ପାରା ଟ୍ରାକ୍ ସାଇକ୍ଲିଂ, ୩×୩ ହ୍ୱିଲଚେୟାର ବାସ୍କେଟବଲ୍, ପାରା ବୋଲ୍ସ ଏବଂ ପାରା ପାୱାରଲିଫ୍ଟିଂର ପ୍ରତିଯୋଗିତା ହେବ।

ଭାରତର ୯୨ ବର୍ଷର ଯାତ୍ରା

ଭାରତ ପ୍ରଥମ ଥର ୧୯୩୪ ଲଣ୍ଡନ ରାଷ୍ଟ୍ରମଣ୍ଡଳ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲା। ସେତେବେଳେ ଭାରତୀୟ ଦଳରେ କେବଳ ୬ ଜଣ କ୍ରୀଡ଼ାବିତ୍ ଥିଲେ। ପହଲବାନ ରାଶିଦ ଅନୱର କାଂସ୍ୟ ପଦକ ଜିତି ରାଷ୍ଟ୍ରମଣ୍ଡଳ କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ଦେଇଥିଲେ। ଭାରତ ୧୯୩୦, ୧୯୫୦, ୧୯୬୨ ଓ ୧୯୮୬ – ଏହି ଚାରିଟି ସଂସ୍କରଣରେ ଅଂଶଗ୍ରହଣ କରିପାରି ନଥିଲା।

୧୯୩୪ରୁ ୨୦୨୨ ପର୍ଯ୍ୟନ୍ତ ଭାରତ ୨୦୩ ସ୍ୱର୍ଣ୍ଣ, ୧୯୦ ରୌପ୍ୟ ଓ ୧୭୧ କାଂସ୍ୟ ସହ ମୋଟ ୫୬୪ଟି ପଦକ ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି।

ଦିଲ୍ଲୀ ୨୦୧୦: ଭାରତର ସ୍ୱର୍ଣ୍ଣିମ ଅଧ୍ୟାୟ

୨୦୧୦ରେ ନୂଆଦିଲ୍ଲୀରେ ଆୟୋଜିତ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ଭାରତ ପାଇଁ ସବୁଠାରୁ ସଫଳ ସଂସ୍କରଣ ଥିଲା। ଭାରତ ୩୮ ସ୍ୱର୍ଣ୍ଣ, ୨୭ ରୌପ୍ୟ ଓ ୩୬ କାଂସ୍ୟ ସହ ମୋଟ ୧୦୧ଟି ପଦକ ଜିତି ପଦକ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା।

ଗ୍ଲାସଗୋରେ ଭାରତର ଆଶା

ଗ୍ଲାସଗୋ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ୨୦୨୬ରେ ଭାରତ ପାଇଁ ବର୍ମିଂହାମ ୨୦୨୨ର ସଫଳତାକୁ ପୁନରାବୃତ୍ତି କରିବା ସହଜ ହେବ ନାହିଁ। କାରଣ ଏଥର କୁସ୍ତି, ଶୁଟିଂ, ବ୍ୟାଡମିଣ୍ଟନ, ହକି ଏବଂ ଟେବୁଲ ଟେନିସ ଭଳି ଭାରତର ପାରମ୍ପରିକ ପଦକ ଦେଉଥିବା ଖେଳଗୁଡ଼ିକ ପ୍ରତିଯୋଗିତାରୁ ବାଦ ପଡ଼ିଛି। ଭାରତ ଏଥର ୧୨୫ ଜଣିଆ ଦଳ ପଠାଇଛି, ଯେଉଁଥିରେ ୧୦୧ ଜଣ ମୁଖ୍ୟ ଏବଂ ୨୪ ଜଣ ପାରା କ୍ରୀଡ଼ାବିତ୍ ଅଛନ୍ତି।

ଆଥଲେଟିକ୍ସରେ ନୀରଜ ଚୋପ୍ରା, ମୁରଲୀ ଶ୍ରୀଶଙ୍କର, ପାରୁଲ ଚୌଧୁରୀ, ଭାରୋତ୍ତୋଳନରେ ମୀରାବାଇ ଚାନୁ ଏବଂ ବକ୍ସିଂରେ ଲଭଲିନା ବୋରଗୋହେନଙ୍କଠାରୁ ସ୍ୱର୍ଣ୍ଣ ପଦକର ଆଶା ରହିଛି। ଜୁଡୋ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଓ ପାରା ସ୍ପର୍ଦ୍ଧାରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିପାରେ।

ଖେଳାଳିଙ୍କ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର ପ୍ରାୟ ୫୩ କୋଟି ଟଙ୍କା ବ୍ୟୟ କରିଛନ୍ତି। ତଥାପି ବିଶେଷଜ୍ଞମାନଙ୍କ ମତରେ ସୀମିତ ଖେଳ ଥିବାରୁ ବର୍ମିଂହାମ ଭଳି ୬୧ଟି ପଦକ ଜିତିବା କଷ୍ଟସାଧ୍ୟ ହେବ। ତେବେ ଆଥଲେଟିକ୍ସ, ଭାରୋତ୍ତୋଳନ, ବକ୍ସିଂ ଓ ପାରା ସ୍ପର୍ଦ୍ଧାରେ ଭଲ ପ୍ରଦର୍ଶନ ଆଧାରରେ ଭାରତ ୪୦ରୁ ୪୫ଟି ପଦକ ଜିତି ଶ୍ରେଷ୍ଠ ପାଞ୍ଚ ଦେଶ ମଧ୍ୟରେ ସ୍ଥାନ ବଜାୟ ରଖିପାରିବ ବୋଲି ଆଶା କରାଯାଉଛି।

୨୦୩୦ ରାଷ୍ଟ୍ରମଣ୍ଡଳ କ୍ରୀଡ଼ାର ଆୟୋଜନ ଭାରତର ଅହମ୍ମଦାବାଦରେ ହେବାକୁ ଯୋଜନା ଥିବାରୁ ଗ୍ଲାସଗୋ ୨୦୨୬ ଭାରତୀୟ କ୍ରୀଡ଼ାବିତମାନଙ୍କ ପାଇଁ କେବଳ ପଦକ ଜିତିବାର ସୁଯୋଗ ନୁହେଁ, ବରଂ ଘରୋଇ ମାଟିରେ ହେବାକୁ ଥିବା ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ପାଇଁ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ମଧ୍ୟ।

Tags: #CommonwealthGames2026 #Glasgow2026 #TeamIndia #IndiaatCWG #Sports

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)

Comment