ସତୀଶ ଶର୍ମା

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଦୀର୍ଘ ଦିନ ଧରି ଭାରତୀୟ ହକିର ପ୍ରତିଭାର ଉତ୍ସସ୍ଥଳୀ ଭାବେ ପରିଚିତ। ଏଠାର ଗାଁଗୁଡ଼ିକରେ ହକି କେବଳ ଏକ ଖେଳ ନୁହେଁ, ବରଂ ଜୀବନଶୈଳୀର ଏକ ଅଂଶ। ଏହି ମାଟିରୁ ଏବେ ଆଉ ଏକ ଉଜ୍ଜ୍ୱଳ ପ୍ରତିଭା ସାମ୍ନାକୁ ଆସିଛନ୍ତି। ସେ ହେଲେ ସ୍ୱିଟି କୁଜୁର।
ଜୁନ ୨୦୨୬ରେ ଜାପାନରେ ଆୟୋଜିତ ଷଷ୍ଠ ଅଣ୍ଡର-୧୮ ମହିଳା ଏସିଆ କପ୍ ହକି ପ୍ରତିଯୋଗିତାରେ ମାତ୍ର ୧୬ ବର୍ଷ ବୟସର ସ୍ୱିଟି କେବଳ ଭାରତୀୟ ଦଳର ସଦସ୍ୟ ନୁହେଁ, ବରଂ ତାଙ୍କୁ ଦଳର ଅଧିନାୟିକା ଭାବେ ମଧ୍ୟ ଦାୟିତ୍ୱ ଦିଆଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତି ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ସାଧାରଣ ପରିବାରରୁ ଅସାଧାରଣ ସ୍ୱପ୍ନ
ରାଜଗାଙ୍ଗପୁର ବ୍ଲକର କେସରାମାଲ ପଞ୍ଚାୟତ ଅନ୍ତର୍ଗତ ବଡ଼କାଟୋଲି ଗାଁରେ ଜନ୍ମିତ ସ୍ୱିଟିଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ସାଧାରଣ। ତାଙ୍କ ପିତା କମଲ କୁଜୁର ଜଣେ ଦିନମଜୁର ଏବଂ ପରିବାରର ଆୟର ଅନ୍ୟ କୌଣସି ସ୍ଥାୟୀ ଉତ୍ସ ନାହିଁ। ଚାରି ଝିଅଙ୍କ ମଧ୍ୟରେ ସ୍ୱିଟି ସବୁଠାରୁ ସାନ। ଆର୍ଥିକ ସୀମାବଦ୍ଧତା ସତ୍ତ୍ୱେ ମଧ୍ୟ ତାଙ୍କ ବାପା-ମାଆ ଝିଅମାନଙ୍କ ସ୍ୱପ୍ନକୁ ସାକାର କରିବାରେ କୌଣସି ଅଭାବ ରଖିନାହାନ୍ତି। ସ୍ୱିଟିଙ୍କ ବଡ଼ ଭଉଣୀ ଖୁସବୁ କୁଜୁର ମଧ୍ୟ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ହକି ପ୍ରଶିକ୍ଷଣ ନେଉଛନ୍ତି।
ଗାଁର ପଡ଼ିଆରୁ ଜାତୀୟ ଦଳ ପର୍ଯ୍ୟନ୍ତ
ଛୋଟବେଳୁ ଗାଁର ପଡ଼ିଆରେ ହକି ଖେଳିବା ଆରମ୍ଭ କରିଥିବା ସ୍ୱିଟି ପରେ କେସରାମାଲ ଗ୍ରାସରୁଟ୍ କେନ୍ଦ୍ରରେ ନିୟମିତ ପ୍ରଶିକ୍ଷଣ ନେଇଥିଲେ। ତାଙ୍କ ଦ୍ରୁତ ଗତି, ଆକ୍ରମଣାତ୍ମକ ଖେଳ ଶୈଳୀ ଓ ଶିଖିବା ପ୍ରତି ଆଗ୍ରହ ପ୍ରଶିକ୍ଷକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୨୦୨୪ ମସିହାରେ ତାଙ୍କର ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଚୟନ ହୋଇଥିଲା। କୋଚ୍ ପିଟର ସୋରେନଙ୍କ ମାର୍ଗଦର୍ଶନରେ ସେ ନିଜ ଖେଳକୁ ଅଧିକ ପରିପକ୍ୱ କରିଥିଲେ। ସବ୍-ଜୁନିୟର ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ପରେ ଏହି ବର୍ଷ ସେ ଜାତୀୟ ଶିବିର ଓ ପରବର୍ତ୍ତୀ ସମୟରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଏହି ଦଳରେ ସୁନ୍ଦରଗଡ଼ର କିରଣ ଏକ୍କା, ପ୍ରିୟଙ୍କା ମିଞ୍ଜ ଓ ରୁବିନା ବାଖଲା ମଧ୍ୟ ସାମିଲ ଥିଲେ।

ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ରେ ହିଁ ଅଧିନାୟିକା
ଜାପାନରେ ଆୟୋଜିତ ପ୍ରତିଯୋଗିତାରେ ସ୍ୱିଟି ପ୍ରଥମ ଥର ପାଇଁ ଭାରତର ପ୍ରତିନିଧିତ୍ୱ କରିଥିଲେ। ଆଉ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ହିଁ ତାଙ୍କୁ ଅଧିନାୟିକାର ଦାୟିତ୍ୱ ମିଳିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା।
ସ୍ୱିଟି କହିଛନ୍ତି, ସେ କେବେ ବି ଭାବିନଥିଲେ ଯେ ତାଙ୍କୁ ଭାରତୀୟ ଦଳର ଅଧିନାୟିକା କରାଯିବ। ଯେତେବେଳେ ତାଙ୍କ ନାମ ଘୋଷଣା ହେଲା, ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଜାତୀୟ ଶିବିରରେ ସମସ୍ତ ଖେଳାଳିଙ୍କ ସହ ତାଙ୍କର ସହଜ ଓ ମିଳନସାର ବ୍ୟବହାର, ଏବଂ ନେତୃତ୍ୱ ଦେବାର କ୍ଷମତା ହିଁ ତାଙ୍କୁ ଏହି ସୁଯୋଗ ଦେଇଥିଲା।
ବ୍ରୋଞ୍ଜ ପଦକ ସହ ଭାରତର ସଫଳ ଅଭିଯାନ
ସମଗ୍ର ପ୍ରତିଯୋଗିତାରେ ଭାରତୀୟ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲା। ସେମିଫାଇନାଲରେ ଚୀନ ବିପକ୍ଷ ମ୍ୟାଚ୍ ୨-୨ ଗୋଲରେ ଡ୍ର ହୋଇଥିଲା, କିନ୍ତୁ ପେନାଲ୍ଟି ସୁଟ୍-ଆଉଟରେ ପରାଜୟ ହେତୁ ଫାଇନାଲ ଖେଳିବାର ସ୍ୱପ୍ନ ଭାଙ୍ଗିଯାଇଥିଲା। ତଥାପି ଦଳ ହାର ନମାନି କାଂସ୍ୟ ପଦକ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ୩-୦ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଥିଲା। ଫରୱାର୍ଡ ଭାବେ ଖେଳୁଥିବା ସ୍ଵିଟି ପ୍ରତିଯୋଗିତାରେ ୪ ଗୋଲ କରିଥିଲେ।

ଆଦର୍ଶ ଓ ଆଗାମୀ ଲକ୍ଷ୍ୟ
ସ୍ୱିଟି ସୁନ୍ଦରଗଡ଼ର ଭାରତୀୟ ହକି ଖେଳାଳି ଶୀଳାନନ୍ଦ ଲାକ୍ରାଙ୍କୁ ନିଜର ଆଦର୍ଶ ଭାବେ ମାନନ୍ତି। ତାଙ୍କର ସ୍ୱପ୍ନ ହେଉଛି ଭବିଷ୍ୟତରେ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇ ଓଲିମ୍ପିକ୍, ବିଶ୍ୱକପ୍ ଏବଂ ଅନ୍ୟାନ୍ୟ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ପଦକ ଜିତିବା।
ବର୍ତ୍ତମାନ ତାଙ୍କ ପରିବାର ଆର୍ଥିକ ସଂଘର୍ଷ ମଧ୍ୟରେ ଜୀବନ ବିତାଉଛି। ପିତାଙ୍କ ଦିନମଜୁରିରେ ପରିବାର ଚଳୁଥିବାବେଳେ, ସମସ୍ତଙ୍କ ଆଶା ଓ ବିଶ୍ୱାସ ସ୍ୱିଟିଙ୍କ ପରିଶ୍ରମ ଓ ପ୍ରତିଭା ଉପରେ ରହିଛି। ମାତ୍ର ୧୬ ବର୍ଷ ବୟସରେ ସେ ଯେଉଁ ଉଚ୍ଚତାରେ ପହଞ୍ଚିଛନ୍ତି, ତାହା ଆଗାମୀ ଦିନରେ ତାଙ୍କ ପରିବାର ସହ ସମଗ୍ର ସୁନ୍ଦରଗଡ଼ ଓ ଓଡ଼ିଶା ପାଇଁ ଗର୍ବର କାରଣ ହେବ।
(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)
Tags: #SweetyKujur #HockeyPlayer #U-18AsiaCup2026 #HockeyIndia #Sundargarh #Odisha















