ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଅନ୍ଧକାରାଚ୍ଛନ୍ନ ଆକାଶରେ ଏମିତି ଏକ ନକ୍ଷତ୍ର ଆବିର୍ଭାବ ହୋଇଥିଲା, ଯିଏ ନିଜକୁ ଜାଳି ସାରା ଜାତିକୁ ଆଲୋକିତ କରିଥିଲେ। ଯିଏ ଦୁଃଖୀ ଦରିଦ୍ରଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ସେ ହେଉଛନ୍ତି ମହାନ ଜନନାୟକ, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଗରିବଙ୍କ ଦରଦୀ ବନ୍ଧୁ – ଉତ୍କଳମଣି ଗୋପବନ୍ଧୁ ଦାସ। ସେହି ମହାନ ବ୍ୟକ୍ତିତ୍ଵଙ୍କ ପ୍ରତିମୂର୍ତ୍ତି ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥାପନ କରାଯିବ। ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନାବରଣ କରିବେ।
ଦିଲ୍ଲୀର ଲଜପତ୍ ନଗର ସ୍ଥିତ ଲୋକସେବକ ମଣ୍ଡଳର ମୁଖ୍ୟ କାର୍ଯ୍ୟାଳୟ ଲଜ୍ପତ ଭବନ ପରିସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ସୋମବାର ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେବେ।
ବନ୍ୟା, ବାତ୍ୟା ଓ ମରୁଡ଼ି ସମୟରେ ଦୁର୍ଗତ ଲୋକଙ୍କ ପ୍ରତି ଗୋପବନ୍ଧୁ ଦାସଙ୍କ ନିରନ୍ତର ଜନସେବା ତାଙ୍କୁ ପରିଚୟ ଦେଇଥିଲେ। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅବିସ୍ମରଣୀୟ। ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା ମାଧ୍ୟମରେ ସେ ଓଡ଼ିଶାରେ ଶିକ୍ଷା ସଂସ୍କାରର ନୂଆ ଧାରା ଆରମ୍ଭ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନରେ ମଧ୍ୟ ତାଙ୍କର ଭୂମିକା ଐତିହାସିକ ଥିଲା। ତାଙ୍କର ଏହି ବହୁମୁଖୀ ଅବଦାନକୁ ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବା ଉଦ୍ଦେଶ୍ୟରେ ଲୋକସେବକ ମଣ୍ଡଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଦିଲ୍ଲୀରେ ଜଣେ ଓଡ଼ିଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା କ୍ଷେତ୍ରରେ ଉତ୍କଳମଣିଙ୍କ ପ୍ରତିମା ଅନାବରଣ ପ୍ରଥମ ବୋଲି କୁହାଯାଉଛି।
Tags: #GopabandhuDas #UtkalMani #SocialService #FreedomFighter #Odisha















