ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡକ୍ଟର ସୁବାସ ପାଣିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି।

ଦୁନିଆରେ ବହୁତ ମଣିଷ ସେମାନେ ଅଳଙ୍କୃତ କରିଥିବା ପଦବୀ ପାଇଁ ସ୍ମରଣୀୟ ହୋଇଥାନ୍ତି। ଆଉ କିଛି ବ୍ୟକ୍ତିତ୍ୱଙ୍କ ପାଇଁ ପଦବୀଗୁଡ଼ିକର ଗୁରୁତ୍ୱ ଢେର ବଢ଼ି ଯାଇଥାଏ। ସେମାନଙ୍କ ଦ୍ୱାରା ଗଢ଼ାଯାଇଥିବା ଅନୁଷ୍ଠାନ ତଥା କୃତି ଭବିଷ୍ୟତ ପିଢ଼ି ପାଇଁ  ଚିର ସ୍ମରଣୀୟ ହୋଇଥାଏ। ଏଭଳି ପ୍ରତିଭାର ଅଧିକାରୀ ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡକ୍ଟର ସୁବାସ ପାଣି।

ଜଣେ ଦକ୍ଷ ପ୍ରଶାସକ, ଓଡ଼ିଶାରେ ପ୍ରଯୁକ୍ତି ବିପ୍ଳବର ଅଗ୍ରଦୂତ, ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରେମୀ ବ୍ୟକ୍ତିତ୍ଵ ଥିଲେ ଡକ୍ଟର ସୁବାସ ପାଣି। ଅତୀତରୁ ଶିକ୍ଷା ବର୍ତ୍ତମାନର ଭିତ୍ତି ଉପରେ ସବୁବେଳେ ସମୟଠାରୁ ଆଗକୁ ଚିନ୍ତା କରିବା ହିଁ ତାଙ୍କ ବ୍ୟକ୍ତିତ୍ୱର ନିଦର୍ଶନ ଥିଲା। ଦୂରଦୃଷ୍ଟି, ସଚ୍ଚୋଟତା, ନବସୃଜନ ଏବଂ ମାନବ ସମ୍ବଳର ଉପଯୁକ୍ତ ପରିଚାଳନା ସମନ୍ୱୟରେ ହିଁ ସୁଶାସନର ପ୍ରକୃତ ପରିଚୟ ନିହିତ ବୋଲି ତାଙ୍କ ବ୍ୟକ୍ତିଗତ ଓ ପେସାଗତ କାର୍ଯ୍ୟଧାରା ପ୍ରମାଣ କରିଥିଲା।

ଡକ୍ଟର ସୁବାସ ପାଣି ଭାରତର ଉପ-ନିର୍ବାଚନ ଆୟୁକ୍ତ ଭାବେ ଦେଶର ନିର୍ବାଚନ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ, ଫଟୋଯୁକ୍ତ ଭୋଟର ପରିଚୟପତ୍ର ଏବଂ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ପ୍ରଚଳନରେ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ। ଆଧାର ଭଳି ଡିଜିଟାଲ ବ୍ୟବସ୍ଥା ଜାତୀୟ ପ୍ରାଥମିକତା ପାଲଟିବାର ବହୁ ପୂର୍ବରୁ ସେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପତ୍ରର ପରିକଳ୍ପନା କରିଥିଲେ।

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟରେ ସୂଚନା ପ୍ରଯୁକ୍ତିର ଭିତ୍ତିଭୂମି ବିକାଶ, ପ୍ରଶାସନିକ ସଂସ୍କାର, ସୁଶାସନ ଓ ସର୍ବାଙ୍ଗୀନ ବିକାଶରେ ତାଙ୍କ ଅବଦାନ ଗୁରୁତ୍ଵପୂର୍ଣ୍ଣ। ଦୀର୍ଘ ସମୟ ଧରି ଜାତୀୟ ସ୍ତରରେ କାର୍ଯ୍ୟ କରିଥିଲେ ବି ଓଡ଼ିଶାର ବିକାଶ ପାଇଁ ସେ ସଦା ତତ୍ପର ରହୁଥିଲେ। ମୁଖ୍ୟ ଶାସନ ସଚିବ ଥିବା ସମୟରେ ରାଜ୍ୟ ପ୍ରଶାସନର ରୂପାନ୍ତରୀକରଣ କରିଥିଲେ ଡକ୍ଟର ସୁବାସ ପାଣି।

ତେବେ ତାଙ୍କ ବ୍ୟକ୍ତିତ୍ୱ କେବଳ ପ୍ରଶାସନରେ ସୀମିତ ନ ଥିଲା। ସେ ଥିଲେ ଜଗନ୍ନାଥ ସଂସ୍କୃତିର ଜଣେ ଗବେଷକ ଏବଂ ଗୀତଗୋବିନ୍ଦର ବିଶିଷ୍ଠ ବ୍ୟାଖ୍ୟାକାର। ତାଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ, “ସଂସ୍କୃତି, ଜ୍ଞାନ ଓ ମାନବୀୟ ମୂଲ୍ୟବୋଧ ସହ ଯୋଡ଼ି ନ ରହିଲେ ବିକାଶ କେବେ ବି ସମ୍ପୂର୍ଣ୍ଣ ହୋଇପାରିବ ନାହିଁ।”

ତାଙ୍କ ପାଇଁ ପଦବୀ କେବେ ସମ୍ମାନର ପ୍ରତୀକ ନଥିଲା; ବରଂ ଏହା ଥିଲା ଲୋକସେବାର ଏକ ଦାୟିତ୍ୱ। ସ୍ୱୀକୃତି ନୁହେଁ, ସମାଜ ପାଇଁ ଅବଦାନ ହିଁ ଥିଲା ତାଙ୍କ ଜୀବନର ପ୍ରକୃତ ଲକ୍ଷ୍ୟ।

ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସମସ୍ତେ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ତାଙ୍କ ଆଦର୍ଶ, ଚିନ୍ତାଧାରା ଓ କର୍ମଧାରା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

Tags: #DrSubasPani #Administrator #TechnologyPioneer #Odisha

Comment