ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ସ୍ଥାପିତ ହେଲା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି। ସୋମବାର ଦିଲ୍ଲୀର ଲଜ୍ପତ ଭବନ ପରିସରରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନାବରଣ କରିଛନ୍ତି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଲୋକସେବକ ମଣ୍ଡଳର ସଭାପତି ରାଜକୁମାର, ଉପସଭାପତି ଦୀପକ ମାଲବ୍ୟ, ସମ୍ପାଦକ ରମାନାଥ ଝା, କୋଷାଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଯୋଗ ଦେଇଥିଲେ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମକୁ ଏକ ଐତିହାସିକ ଗୌରବପୂର୍ଣ୍ଣ କ୍ଷଣ ବୋଲି କହିବା ସହ ଏହା ଗୋପବନ୍ଧୁ ଦାସଙ୍କ ରାଷ୍ଟ୍ରସେବା ଏବଂ ଜନକଲ୍ୟାଣ ମୂଲ୍ୟବୋଧ ପ୍ରତି ସମର୍ପଣ ବୋଲି କହିଥିଲେ।
ସେହିପରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ଉତ୍କଳମଣି ଗୋପବନ୍ଧୁ ଦାସ ଓ ଲାଲା ଲଜ୍ପତ ରାୟଙ୍କ ଭଳି ଦୁଇ ମହାନ ବିଭୂତି କିଭଳି ଜନସେବା, ତ୍ୟାଗ, ଶିକ୍ଷା ଓ ରାଷ୍ଟ୍ରନିଷ୍ଠା ଭଳି ଉଚ୍ଚାଦର୍ଶ ପ୍ରତିଷ୍ଠା କରିଛନ୍ତି, ତାହା ଆଜି ଆମର ପଥପ୍ରଦର୍ଶକ ହୋଇରହିଛି। ସେମାନଙ୍କ ବିଚାର ଓ ମୂଲ୍ୟବୋଧ ବିକଶିତ ଭାରତ ଓ ସଙ୍କଳ୍ପ ଦେଶବାସୀଙ୍କୁ ନିରନ୍ତର ନୂତନ ପ୍ରେରଣା ଓ ସାମର୍ଥ୍ୟ ପ୍ରଦାନ କରିଚାଲିଥିବ।”

ନୂଆଦିଲ୍ଲୀରେ ପ୍ରଥମ ଥର ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଲାଗି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଭଳି ଐତିହାସିକ ମୂହୁର୍ତ୍ତର ସହଭାଗୀ ହେବା ପାଇଁ ପ୍ରବାସୀ ଓଡ଼ିଆ ବହୁ ସଂଖ୍ୟାରେ ଆଗ୍ରହର ସହ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା, ସପ୍ତଗିରି ଉଲାକା, ରବିନାରାୟଣ ବେହେରା, ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ସୁଜିତ କୁମାର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ସଂତୃପ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ସାମ୍ବାଦିକ, ପ୍ରଶାସକ, ଆଇନଜୀବୀ, କଳାକାର, ଲେଖକ ତଥା ସମାଜସେବୀ ସାମିଲ ହୋଇଥିଲେ।
Tags: #GopabandhuDas #UtkalMani #SocialService #FreedomFighter #Odisha














