ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀ: ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ନିବେଶ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ଦୀର୍ଘମିଆଦୀ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଭିଜନ୍ ଉପସ୍ଥାପନ କରିବା ସହ ରାଜ୍ୟରେ ନିବେଶ ପାଇଁ ଶିଳ୍ପପତି ଓ ନିବେଶକଙ୍କୁ ଆହ୍ୱାନ କରିଛନ୍ତି।

ଓଡ଼ିଶା ବାହାରେ ରାଜ୍ୟ ସରକାରଙ୍କ ପ୍ରଥମ କ୍ଷେତ୍ରଭିତ୍ତିକ ଇନଭେଷ୍ଟମେଣ୍ଟ ରୋଡ୍‌-ସୋ’ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଅଧିକ ଶିଳ୍ପପତି, ଉଦ୍ୟୋଗୀ, ନିବେଶକ, ଖାଦ୍ୟ ପ୍ରକ୍ରିୟାକରଣ ସଂଘ ଓ ବ୍ୟବସାୟୀ ପ୍ରତିନିଧି ଯୋଗଦେଇଥିଲେ।

ଏହି ଅବସରରେ ୨୭ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ଜରିଆରେ ୪୧,୭୪୮ କୋଟି ଟଙ୍କାର ନିବେଶ ଓ ୩୫,୨୫୨ଟି ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି। ସେହିପରି ୧୨ଟି ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ୍ ଫର୍ମ ଜରିଆରେ ୧,୬୮୯ କୋଟି ଟଙ୍କାର ନିବେଶ ଓ ୮,୦୬୪ଟି ନିଯୁକ୍ତି ସୃଷ୍ଟିର ଆଶା କରାଯାଉଛି। ଫଳରେ ମୋଟ ୪୩,୪୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଓ ୪୩,୩୧୬ଟି ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ହେଉଛି କୃଷକଙ୍କ ସମୃଦ୍ଧି, ଗ୍ରାମାଞ୍ଚଳର ରୂପାନ୍ତର ଏବଂ ଓଡ଼ିଶାର ଶିଳ୍ପ ଭବିଷ୍ୟତ ମଧ୍ୟରେ ଏକ ସେତୁ। ଏହି କ୍ଷେତ୍ରରେ କରାଯାଉଥିବା ପ୍ରତ୍ୟେକ ନିବେଶ କୃଷିକ୍ଷେତ୍ରକୁ ଉନ୍ନତ କରିବା ସହିତ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରେ। ସେହିପରି ରପ୍ତାନି ସୁଯୋଗ ସୃଷ୍ଟି କରିବା ସହ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିଥାଏ।”

“ଓଡ଼ିଶାରେ ଉତ୍ପାଦିତ କୃଷି ଓ ସାମୁଦ୍ରିକ ସାମଗ୍ରୀର ଅଧିକରୁ ଅଧିକ ପ୍ରକ୍ରିୟାକରଣ ରାଜ୍ୟ ଭିତରେ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏହାଦ୍ୱାରା ଉତ୍ପାଦକଙ୍କ ଆୟ ବଢ଼ିବା ସହ ଯୁବବର୍ଗଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାର ୧୦ଟି କୃଷି-ଜଳବାୟୁ ମଣ୍ଡଳ, ବିଭିନ୍ନ ପ୍ରକାରର କୃଷି ଉତ୍ପାଦ, ସମୃଦ୍ଧ ମତ୍ସ୍ୟ ସମ୍ପଦ, ୫୭୫ କିଲୋମିଟର ଦୀର୍ଘ ଉପକୂଳ, ବନ୍ଦର ଭିତ୍ତିଭୂମି ଓ ଉନ୍ନତ ଲଜିଷ୍ଟିକ୍ସ ସଂଯୋଗ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ରାଜ୍ୟର ପ୍ରମୁଖ ଶକ୍ତି।”, କହିଛନ୍ତି ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ୫ଟି ଷ୍ଟ୍ରାଟେଜିକ୍ ପିଲାର୍ ଉପରେ ଆଧାରିତ ଦୀର୍ଘମିଆଦୀ ରୋଡମ୍ୟାପ୍ ଉନ୍ମୋଚନ କରିଥିଲେ। ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର, କୋଲ୍ଡ-ଚେନ୍ ଓ ୱେରହାଉସିଂ ଭିତ୍ତିଭୂମିର ବିକାଶ, ଖାଦ୍ୟର ଗୁଣବତ୍ତା ଓ ପ୍ରମାଣପତ୍ର ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ କୃଷକ ଉତ୍ପାଦକ ସଂଗଠନ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବଡ଼ ଶିଳ୍ପ ସହ ଯୋଡ଼ିବା ଏବଂ ଦକ୍ଷ ମାନବ ସମ୍ବଳ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।

ଏହି ପଦକ୍ଷେପଗୁଡ଼ିକ ଆଗାମୀ ୧୦ ବର୍ଷରେ ଓଡ଼ିଶାକୁ ମୂଲ୍ୟବର୍ଦ୍ଧିତ ଖାଦ୍ୟ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଏସୋଚାମ୍‌ର ପ୍ରତିନିଧି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଓ ଆନୁଷଙ୍ଗିକ କ୍ଷେତ୍ରର ବିଭିନ୍ନ ପ୍ରତିନିଧିଙ୍କ ସହ ଏକାଧିକ ବୈଠକ କରିଥିଲେ।

Tags: #OdishaFoodPro2026 #FoodProcessing #OdishaInvestment #MohanCharanMajhi #OdishaDevelopment

Comment