ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍‌ ୪.୦ର ଶୁଭାରମ୍ଭ।

ଜଳବାୟୁ ପରିବର୍ତ୍ତନର ମୁକାବିଲା ସହ ଜଳବାୟୁ-ସହନଶୀଳ ଭବିଷ୍ୟତ ଗଢ଼ିବାର ଉଦ୍ଦେଶ୍ୟରେ ସୋମବାର ଜଟଣୀସ୍ଥିତ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍‌ ୪.୦ (ଓସିଓୱାଇ)। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀର ଉଦଘାଟନ କରିଥିଲେ। ଏହି ଅବସରରେ ସେ ଓଡ଼ିଶାର ଯୁବପିଢ଼ିଙ୍କୁ ସବୁଜ ବିକାଶର ନେତୃତ୍ୱ ନେବାକୁ ଆହ୍ଵାନ ଦେଇଥିଲେ।

ୟୁଥ୍ ଫର ୱାଟର ପ୍ଲସ ଅଭିଯାନ ତଥା ୟୁନିସେଫ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀର ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ବିଲ୍ଡିଂ ନେକ୍ସ୍ଟ ଜେନେରେସନ କ୍ଲାଇମେଟ୍ ଲିଡର୍ସ’। ଏହି ତିନିଦିନିଆ ସମ୍ମିଳନୀରେ ଓଡ଼ିଶାର ସବୁ ଜିଲାରୁ ୧୫୦ରୁ ଅଧିକ ଯୁବ ପ୍ରତିନିଧି ଯୋଗ ଦେଇଛନ୍ତି।  

 “ଓଡ଼ିଶାର ଭବିଷ୍ୟତକୁ ଗଢ଼ିବାକୁ ସକ୍ଷମ ଯୁବଶକ୍ତି ଆବଶ୍ୟକ। ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରାଗଲେ ‘ବିକଶିତ ଭାରତ୨୦୪୭’ ର ଲକ୍ଷ୍ୟ ବାସ୍ତବ ରୂପ ନେବ”, କହିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି।

ସେ ଆହୁରି ମଧ୍ୟ କହିଛନ୍ତି, “ଜଳବାୟୁ ପରିବର୍ତ୍ତନ ଆଉ ଦୂର ଭବିଷ୍ୟତର ଚେତାବନୀ ନୁହେଁ। ଗ୍ରୀଷ୍ମପ୍ରବାହ, ଅନିୟମିତ ବର୍ଷା, ବନ୍ୟା, ବାତ୍ୟା ଓ ସମୁଦ୍ର ପତ୍ତନ ବୃଦ୍ଧି ଚାଷ ଓ ଜୀବିକାକୁ ପ୍ରଭାବିତ କରୁଛି। ତେଣୁ ଯୁବପିଢ଼ିଙ୍କୁ ଜଳବାୟୁ ସହନଶୀଳତାର ନିର୍ମାତା ହେବାକୁ ପଡ଼ିବ।”  

ଏହି ଅବସରରେ ୟୁନିସେଫ ଓଡ଼ିଶାର ଫିଲ୍ଡ ଅଫିସ୍ ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ଯୁବପିଢ଼ିର ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ସେହିପରି ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଫାଦର କେ. ଏସ୍. କାସିମିର ଯୁବପିଢ଼ିଙ୍କୁ ଦାୟିତ୍ୱବାନ ନେତୃତ୍ୱ ଏବଂ ଜଳବାୟୁ କାର୍ଯ୍ୟକ୍ରମରେ ସକ୍ରିୟ ଭାଗୀଦାର କରିବାରେ ଶିକ୍ଷାର ଗୁରୁତ୍ୱ ଉପରେ ମତ ରଖିଥିଲେ।

ଏହି ସମ୍ମିଳନୀରେ ଯୁବ ପ୍ରତିନିଧିମାନେ ଜଳବାୟୁ ସିମୁଲେସନ୍‌ ତଥା ସୃଜନଶୀଳତା କ୍ଷେତ୍ରରେ ଥିବା ଆହ୍ଵାନ ଏବଂ ନୀତି ସଂପର୍କିତ ଆଲୋଚନାରେ ଭାଗ ନେବେ। ଏହାସହ ଜଳବାୟୁ ବିଶେଷଜ୍ଞ ଏବଂ ବିଭିନ୍ନ ସମୁଦାୟ ସହ ଆଲୋଚନା କରି ଯୁବ ନେତୃତ୍ୱକୁ ଆହୁରି ସୁଦୃଢ଼ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି।

ଏହି ଅବସରରେ ୟୁନିସେଫ୍ ଆମ୍ବାସାଡର ତଥା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଏକ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଆଶା, ନୂତନ ଚିନ୍ତାଧାରା ଓ କାର୍ଯ୍ୟକୁ ନେତୃତ୍ୱ ଦେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ।

ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସବରମତୀ, ନେକ୍ସସ୍ ସିଲେକ୍ଟ ମଲ୍ସର ମୁଖ୍ୟ ପରିଚାଳକ ହର୍ଷ ଭରଦା, ୟୁନିସେଫ୍ ଓଡ଼ିଶାର ୱାସ୍-ସିସିଇସ୍ ବିଶେଷଜ୍ଞ ଶିପ୍ରା ସକ୍ସେନା, ୟୁଥ୍ ଫର ୱାଟର ପ୍ଲସର ନିର୍ଦ୍ଦେଶକ ବ୍ଲୋରିନ୍ ମହାନ୍ତି ଏବଂ ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Tags: #OCOY2026 #OdishaConferenceOfYouth #ClimateAction #ClimateLeaders #Youth4WaterPlus #UNICEFOdisha

Comment