
ଭୁବନେଶ୍ୱର: “ମାନବ ସେବା ହିଁ ମାଧବ ସେବା” – ଏହି ମହାନ ଆଦର୍ଶକୁ ଆପଣାଇ ଅମର ଆତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ସେବା ଓ ସେବକ ଅଭିଯାନ କ୍ରମରେ ଭୁବନେଶ୍ୱରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲୋକ ସେବକ ମଣ୍ଡଳ ଓ ଦୈନିକ ‘ସମାଜ’ ପକ୍ଷରୁ ‘ୱି ଫର୍ ଭୁବନେଶ୍ୱର’ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ବିଏମ୍ସି ୪୫ ନମ୍ବର ୱାର୍ଡ କାର୍ଯ୍ୟାଳୟ, କଳ୍ପନା ପରିସରରେ ଅନୁଷ୍ଠିତ ଏହି ଶିବିରରେ ରୋଟାରୀ କ୍ଲବ ନୀଳାଦ୍ରି, ମିଶନ ରକ୍ତଦାନ ଓ ଓଡ଼ିଶା ଅଭିଭାବକ ମହାସଂଘ ସମେତ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗ କରିଥିଲେ।
ବାଚସ୍ପତି ସୁରମା ପାଢ଼ୀ ଶିବିରକୁ ଉଦ୍ଘାଟନ କରି ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଏକ ଉତ୍ତମ ପ୍ରୟାସ ବୋଲି କହିଥିଲେ। ଏହି ଅବସରରେ ଅତିଥିମାନେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ନିକଟସ୍ଥ ପାର୍କରେ ଚାରାରୋପଣ କରିଥିଲେ।
କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଏମ୍ସି କମିଶନର ଚଞ୍ଚଳ ରାଣା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ ସମାଜସେବୀ ନିରଞ୍ଜନ ମିଶ୍ର, ଜଗନ୍ନାଥ ପ୍ରଧାନ, ଅମରେଶ ଜେନା, ‘ସମାଜ’ର ମୁଖ୍ୟ ପରିଚାଳକ ଗୋପୀନାଥ ବାରିକ, ସମ୍ପାଦକ ତପନ କୁମାର ମିଶ୍ର ଏବଂ ବାର୍ତ୍ତା ସମ୍ପାଦକ ଅନୁପମ ପ୍ରହରାଜ ପ୍ରମୁଖ ଯୋଗ ଦେଇଥିଲେ।
ରକ୍ତଦାନ ଶିବିରରେ ବହୁ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଓ ସ୍ଥାନୀୟ ଲୋକେ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରିଥିଲେ। ଜୀବନ ରକ୍ଷା ପାଇଁ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଉତ୍କଳମଣିଙ୍କ ତ୍ୟାଗ, ସେବା ଓ ମାନବିକତାର ଆଦର୍ଶକୁ ସ୍ମରଣ କରାଯାଇଥିଲା।
‘ୱି ଫର୍ ଭୁବନେଶ୍ୱର’ ପକ୍ଷରୁ ନରେନ୍ ସାହୁ ଓ ଉମାକାନ୍ତ ମିଶ୍ରଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିବାବେଳେ ‘ସମାଜ’ ଭୁବନେଶ୍ୱର ସଂସ୍କରଣର ସମସ୍ତ ସହଯୋଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Tags: #GopabandhuDas #UtkalamaniGopabandhu #BloodDonation #SevaOSevaka #Samaj Bhubaneswar








