ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାଧୀନୋତ୍ତର ଓଡ଼ିଶାରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିବା ଦିଗରେ ଯେଉଁ ସବୁ ସ୍ରଷ୍ଟା ନିଜର ସୃଜନ ପ୍ରତିଭା ଓ ସାଙ୍ଗଠନିକ ଦକ୍ଷତାର ସଦୁପଯୋଗ କରିଥିଲେ ସେମାନଙ୍କ ମଧ୍ୟରୁ ଫ୍ରଫେସର ସୀତାକାନ୍ତ ମହାନ୍ତି ଅନ୍ୟତମ। ୬୦ଦଶକରେ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ଦାବିରେ ମୁଣ୍ଡ ଟେକିଥିବା ଆନ୍ଦୋଳନରେ ସେ ଗ୍ରହଣ କରିଥିଲେ ସକ୍ରିୟ ଭୂମିକା। ୧୯୬୪ରୁ ୧୯୬୬ ମଧ୍ୟରେ ସେ ଅନ୍ୟ ସତୀର୍ଥଙ୍କ ସହ ମିଶି ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।

ପ୍ରଫେସର ସୀତାକାନ୍ତ ମହାନ୍ତି ଓଡ଼ିଆ ଯୁବଲେଖକ ସମ୍ମେଳନର ଆଦ୍ୟ ପର୍ଯ୍ୟାୟରେ ଥିଲେ ବେଶ୍ ସକ୍ରିୟ। ୧୯୬୪ରୁ ୧୯୬୮ ପର୍ଯ୍ୟନ୍ତ ଏହି ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକର ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମୟରେ ସେ ଭଞ୍ଜ ଜୟନ୍ତୀ ସହ ମଧ୍ୟ ସଂପୃକ୍ତ ଥିଲେ ଓ କିଛିଦିନ ଲାଗି ଏହାର ଯୁଗ୍ମ-ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ତେବେ ତାଙ୍କ ଜୀବନରେ ସାହିତ୍ୟ ସଙ୍ଗଠନରେ ସାମିଲ ହେବାର ପ୍ରବୃତ୍ତି ଆରମ୍ଭ ହୋଇଥିଲା ୧୯୫୯ରେ। ଏହି ବର୍ଷ ସେ କତିପୟ ସାହିତ୍ୟିକ ବନ୍ଧୁଙ୍କ ସହ ସମ୍ମିଳିତ ହୋଇ ଗୋଦାବରୀଶ ସାହିତ୍ୟ ସଂସଦର ମୂଳଦୁଆ ପକାଇଥିଲେ, ଯାହା ଆଜି ଓଡ଼ିଶାର ଅନ୍ୟତମ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଭାବେ ପରିଗଣିତ। ଦୀର୍ଘ ବର୍ଷ ଧରି ସେ ଏହାର ସଂପାଦକ ଓ ସଭାପତି ଭାବେ କାର୍ଯ୍ୟ କରିଥିଲେ।    

ସାଙ୍ଗଠନିକ ସକ୍ରିୟତା ସହିତ ସାହିତ୍ୟ ସାଧନା ମଧ୍ୟ ଜାରି ରଖିଥିଲେ ସ୍ରଷ୍ଟା ସୀତାକାନ୍ତ। ଗଳ୍ପ, କବିତା ଓ ପ୍ରବନ୍ଧ ଆଦି ସାହିତ୍ୟର ସବୁ ବିଭାଗରେ ଲେଖନୀ ଚାଳନା ତାଙ୍କର ଅନନ୍ୟତ୍ୱ ପ୍ରତିପାଦନ କରେ। ଏକଦା ‘ଡଗର’, ‘ଝଙ୍କାର’, ‘ମୁକୁର’, ‘ଆସନ୍ତାକାଲି’, ‘ନିର୍ଭୀକ’, ‘କଲ୍ୟାଣୀ’, ‘ମୂର୍ଚ୍ଛନା’ ଏବଂ ‘ଦିଗ୍‌ବଳୟ’ ଆଦି ପ୍ରତିଷ୍ଠିତ ପତ୍ରପତ୍ରିକାରେ ନିୟମିତ ଲେଖନୀ ଚାଳନା କରୁଥିବା ସୀତାକାନ୍ତ ଓଡ଼ିଶାରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ପ୍ରତିଷ୍ଠିତ ସତ୍‌ସଙ୍ଗର କାର୍ଯ୍ୟଧାରାରେ ସକ୍ରିୟ ହୋଇଥିଲେ।

୧୯୭୨ ମସିହାରେ ସେ ସତ୍‌ସଙ୍ଗର ସହ-ପ୍ରତି-ଋତ୍ବିକ ଦାୟିତ୍ବ ଲାଭ କରିଥିଲେ। ଯଦିଓ ଏହା ପରେ ସମସାମୟିକ ସାହିତ୍ୟ ଧାରାରୁ ସେ ନିଜକୁ ଦୂରେଇ ରଖିଥିଲେ କିନ୍ତୁ ସାରସ୍ୱତ ସକ୍ରିୟତାରୁ ଅବ୍ୟାହତି ନେଇ ନ ଥିଲେ। ତାଙ୍କର ଗଳ୍ପ ସମୂହକୁ ନେଇ ଓଡ଼ିଶା ବୁକ ଷ୍ଟୋର ‘ଫସିଲରୁ ମୁକ୍ତାଶିକାର’ ଶୀର୍ଷକ ଏକ ଗଳ୍ପ ସଂକଳନ ପ୍ରକାଶ କରିଥିଲେ। ଏହାପରେ ତାଙ୍କ ରଚିତ ଆଧୁନିକ କବିତାବଳିକୁ ନେଇ ସଂକଳନ ‘ଶବ୍ଦ ସିଂଜନୀ’ ପ୍ରକାଶ ପାଇଥିଲା। ଏଥିସହ ପ୍ରଫେସର ମହାନ୍ତିଙ୍କ ଆତ୍ମଜୀବନୀ ‘ଜୀବନର ପଥେ ପଥେ’ ତୀରତରଙ୍ଗ ପ୍ରକାଶନୀ ଦ୍ୱାରା ପ୍ରକାଶିତ ହୋଇଛି। ଶେଷ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ସତ୍‌ସଙ୍ଗ ବିହାରର ବାର୍ଷିକ ସ୍ମରଣିକା ‘ତର୍ପଣ’ର ମୁଖ୍ୟ ସଂପାଦକ ରହିଥିଲେ।

ସର୍ବୋପରି ‘ସତ୍‌ସଙ୍ଗ’ର ଜଣେ ବର୍ଷୀୟାନ୍ କର୍ମୀ ତଥା ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଋତ୍ୱିକ ଭାବରେ ସେ ଆଧ୍ୟାତ୍ମିକ ଏବଂ ଲୋକକଲ୍ୟାଣମୂଳକ କାର୍ଯ୍ୟରେ ଦୀର୍ଘ ଛଅ ଦଶନ୍ଧିରୁ ଅଧିକା କାଳ ସଂପୂର୍ଣ୍ଣ ଭାବେ ନିଜକୁ ନିୟୋଜିତ କରିଥିଲେ। ଭୁବନେଶ୍ବରରେ ସତ୍‌ସଙ୍ଗ ଆନ୍ଦୋଳନର ସେ ଥିଲେ ଅନ୍ୟତମ କର୍ଣ୍ଣଧାର। ସ୍ଥାନୀୟ ସତ୍‌ସଙ୍ଗ ବିହାରର ସଂପାଦକ ଓ ସଭାପତି ଭାବରେ ସଂଗଠନ ପରିଚାଳନା ଓ ମନ୍ଦିର ନିର୍ମାଣ କାର୍ଯ୍ୟରେ ସେ ନିଜକୁ ନୀରବଚ୍ଛିନ୍ନ ଭାବେ ବ୍ୟାପୃତ ରଖିଥିଲେ।

ଏହା ତାଙ୍କର ସାହିତ୍ୟ ସୃଷ୍ଟିକୁ ଏକ ନୂତନ ଦିଶା ଏବଂ ପରିଭାଷା ଦେଇଛି । ସେ ରଚନା କରିଛନ୍ତି ଏକ ଶହରୁ ଉର୍ଦ୍ଧ୍ଵ ଭକ୍ତିରସ ସମ୍ବଳିତ ଗୀତିକବିତା। ଏଗୁଡ଼ିକ ଭକ୍ତିଗୀତି ସଂକଳନ ‘ଗୀତି ଦୀପନାରେ’ ସ୍ଥାନ ପାଇଛି। ଏଥିମଧ୍ୟରୁ ବହୁ ଗୀତିକବିତା ସ୍ଵରାରୋପିତ ହୋଇ ବିଭିନ୍ନ ମାଧ୍ୟମରେ ଶ୍ରୋତାଙ୍କ ନିକଟରେ ପହଞ୍ଚି ସାରିଛି। ସେ ଭିତରୁ ଅନେକ ଗୀତ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଏବଂ ପଣ୍ଡିତ ଦାମୋଦର ହୋତାଙ୍କ ଭଳି ଓଡ଼ିଶାର ବରେଣ୍ୟ ସଂଗୀତଜ୍ଞଙ୍କ ଦ୍ୱାରା ସ୍ୱରାରୋପିତ ହୋଇଛି। ‘ଅର୍ଘ୍ୟାଞ୍ଜଳି’, ‘ଗୁରୁକୃପା’, ‘ଗୀତିସୁଧା’, ‘ରସଧାରା’, ‘ଭକ୍ତିସୁଧା’, ‘ଭଜନ ମାଳିକା’, ‘ଗୀତି ମାଳିକା’ ଓ ‘ସ୍ୱସ୍ତିଦୀପା’ ଆଦି ଭକ୍ତିସଂଗୀତ ଆଲବମ୍‌ରେ ଏହା ସ୍ଥାନୀତ।

୧୯୩୯ ମସିହା  ଜୁଲାଇ ୪ ତାରିଖରେ କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ଜନ୍ମିତ ସୀତାକାନ୍ତ ନିଜ ପିତା ବାଉରୀବନ୍ଧୁ ମହାନ୍ତିଙ୍କଠାରୁ ସୃଜନଶୀଳତାର ଆଦ୍ୟ ପ୍ରେରଣା ପାଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଦୂର ନିରନ୍ତର ପାଠ୍ୟ ନିର୍ଦ୍ଦେଶାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ରହିଥିବା ପ୍ରଫେସର ସୀତାକାନ୍ତ ମହାନ୍ତିଙ୍କ ଲିଖିତ ବହୁ ଆଧ୍ୟାତ୍ମିକ ଚେତନା ଓ ମାନବୀୟ ମୂଲ୍ୟବୋଧ ସମ୍ବଳିତ ଉଚ୍ଚମାନର ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକା ଓ ସ୍ମରଣିକାରେ ପ୍ରକାଶିତ ହୋଇଛି। କତିପୟ ଇଂରାଜୀ ନିବନ୍ଧର ମଧ୍ୟ ସେ ରଚୟିତା। ଲେଖାଲେଖି ସହ ସଂପାଦନାରେ ତାଙ୍କର କୃତିତ୍ୱ ଅନସ୍ୱୀକାର୍ଯ୍ୟ। ସତ୍‌ସଙ୍ଗର ଓଡ଼ିଆ ମୁଖପତ୍ର ‘ଉର୍ଜ୍ଜନା’ ଏବଂ ଗୋଦାବରୀଶ ସାହିତ୍ୟ ସଂସଦର ମୁଖପତ୍ର ‘ମୂର୍ଚ୍ଛନା’ର ସଂପାଦନା ଦାୟିତ୍ୱରେ ସେ ଦୀର୍ଘ ବର୍ଷ ଧରି ରହିଥିଲେ ।

ସ୍ରଷ୍ଟା, ଶିକ୍ଷାବିତ୍ ତଥା ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ସୀତାକାନ୍ତ ସଚେତନ ଭାବରେ ଜଣେ ‘ନୀରବ ସାଧକ’ର ପଥ ବାଛିନେବାକୁ ଶ୍ରେୟସ୍କର ମଣିଥିଲେ। ସଦାସର୍ବଦା ସେ ନିଜକୁ ସମ୍ମାନ, ସ୍ୱୀକୃତି ଓ ପୁରସ୍କାରଠାରୁ ଯଥାସମ୍ଭବ ଦୂରେଇ ରଖିଆସିଥିଲେ।

ପ୍ରଫେସର ସୀତାକାନ୍ତ ମହାନ୍ତିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ତାଙ୍କ ପରିବାରବର୍ଗ ଓ ଅନୁଗାମୀଙ୍କ  ଉଦ୍ୟମରେ ୨୦୧୬ ମସିହାରେ ‘ସୀତାକାନ୍ତ ମହାନ୍ତି ଫାଉଣ୍ଡେସନ୍‌ ଟ୍ରଷ୍ଟ’ ଗଠିତ ହୋଇଛି। ମୁଖ୍ୟତଃ ଆଧ୍ୟାତ୍ମିକତା, ପୂଜ୍ୟପୂଜା ଓ ସୃଜନାତ୍ମକ କାର୍ଯ୍ୟକଳାପରେ ଫାଉଣ୍ଡେସନ୍‌ ଜଡ଼ିତ ରହିଛି। ଚଳିତ ବର୍ଷର ସମ୍ବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ନାଟ୍ୟକାର ଡକ୍ଟର ନାରାୟଣ ସାହୁଙ୍କୁ ସୀତାକାନ୍ତ ସାହିତ୍ୟ ସମ୍ମାନ, ଡକ୍ଟର ସଂଗୀତା ଗୋସାଇଁଙ୍କୁ ସୀତାକାନ୍ତ ସଂଗୀତ ସମ୍ମ‌ାନ ଏବଂ ୧୯ ଜଣ ଆଧ୍ୟାତ୍ମିକ କର୍ମୀଙ୍କୁ ସୀତାକାନ୍ତ ସୁକର୍ମ ସମ୍ମାନ ପ୍ରଦାନ କରାଯାଉଛି।

Tags: #SitakantaMohanty #OdiaLiterature #OdiaLanguage #Odisha

Comment